ଦୀର୍ଘ ୪ ବର୍ଷ ପରେ FATFର ଗ୍ରେ ଲିଷ୍ଟରୁ ମୁକୁଳିଲା ପାକିସ୍ତାନ : କଳା ତାଲିକାଭୁକ୍ତ ହେଲା ଭାରତର ଆଉ ଏକ ପଡ଼ୋଶୀ

ନୂଆଦିଲ୍ଲୀ : ଦିର୍ଘ ୪ ବର୍ଷ ପରେ ଗ୍ଲୋବାଲ ଫାଇନାନ୍ସ ୱାଚଡଗ୍(ଏଫଏଟିଏଫ) ପାକିସ୍ତାନକୁ ଗ୍ରେ ତାଲିକାରୁ ବାହାର କରିଛି। ଶୁକ୍ରବାର ଏଫଏଟିଏଫର ବୈଠକରେ ଏହି ଘୋଷଣା କରାଯାଇଛି । ଏହି ଘୋଷଣା ପାକିସ୍ତାନ ପାଇଁ ଏକ ଭଲ ଖବର । ଆତଙ୍କବାଦି ଓ ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବାରେ ବିଫଳ ହେବା ନେଇ ପାକିସ୍ତାନ ଏଫଏଟିଏଫର ଗ୍ରେ ଲିଷ୍ଟରେ ରହିଥିଲା । ତେବେ ଏଫଏଟିଏଫ ତାଲିକାରେ ଥିବାରୁ ପାକିସ୍ତାନ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହୋଇଛି। ଚାରି ବର୍ଷ ମଧ୍ୟରେ ପାକିସ୍ତାନ ପ୍ରାୟ ତିନି ଲକ୍ଷ କୋଟି କ୍ଷତି ସହିଛି।

ଅନ୍ୟପଟେ ମିଆଁମାର ସଂଗଠନର କଳାତାଲିକାରେ ସାମିଲ ହୋଇଛି । ପାକିସ୍ତାନ ତରଫରୁ ମୋଟ ୩୪ ଟି ପାରାମିଟର ପୂରଣ ହୋଇଛି। ବର୍ତ୍ତମାନଠାରୁ ପାକିସ୍ତାନକୁ ଏସିଆ ପେସିଫିକ୍ ଗ୍ରୁପ୍ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ପଡିବ। ଏଫଏଟିଏଫ’ର ଏହି ନିଷ୍ପତ୍ତିକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ମଧ୍ୟ ଖୁସି ବ୍ୟକ୍ତ କରି କହିଛନ୍ତି ଯେ, ପାକିସ୍ତାନ ଦ୍ୱାରା କରାଯାଇଥିବା ସମସ୍ତ ପ୍ରୟାସକୁ ମୋହର ଦିଆଯାଇଛି। ତାଙ୍କ ତରଫରୁ ସେନାକୁ ମଧ୍ୟ ଅଭିନନ୍ଦନ ଜଣାଯାଇଛି। କୁହାଯାଇଛି ଯେ ଏଫଏଟିଏଫ ସେମାନଙ୍କର କଠିନ ପରିଶ୍ରମର ଫଳ ଦେଇଛି।

ଜୁଲାଇରେ ସିଙ୍ଗାପୁରର ଟି ରାଜା କୁମାର ଏଫଏଟିଏଫର ସଭାପତି ଭାବେ ନିଯୁକ୍ତି ହୋଇଥିଲେ । ଏହାପରେ ସଂଗଠନ ପାକିସ୍ତାନ ପ୍ରତି ନରମ ମନୋଭାବ ପୋଷଣ କରିଆସୁଛି । ପାକିସ୍ତାନରେ ଯେ ନିଜର ଆତଙ୍କବାଦ ମନୋବୃତି ଓ କାର୍ଯ୍ୟକଳାପ ଛାଡ଼ିଦେଇଛି, ଏକଥା ବିଶ୍ୱାସ କରିବା ଭୁଲ । ହେଲେ ଅନ୍ତର୍ଜାତୀୟ କୂଟନୀତି ହିସାବରେ ଗ୍ରେ ଲିଷ୍ଟରୁ ମୁକୁଳିବା ପାକିସ୍ତାନ ପାଇଁ ଏକ ଭଲ ଖବର ।

ପାକିସ୍ତାନ ଉପରେ ମନି ଲଣ୍ଡରିଂ ତଥା ଆତଙ୍କବାଦକୁ ଆର୍ଥିକ ସହାୟତା ପହଞ୍ଚାଇବାର ଅଭିଯୋଗ ଥିଲା । ଏହାପରେ ୨୦୧୮ରେ ଗ୍ଲୋବାଲ ଫାଇନାନ୍ସ ୱାଚଡଗ୍(ଏଫଏଟିଏଫ) ପାକିସ୍ତାନକୁ ଗ୍ରେ ଲିଷ୍ଟରେ ରଖିଦେଇଥିଲା । ପ୍ରାୟ ୪ ବର୍ଷ ପରେ ପାକିସ୍ତାନ ଏବେ ଏହି ତାଲିକାରୁ ମୁକ୍ତି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.