ପାକିସ୍ତାନର ତଳମୁହାଁ ଅର୍ଥନୀତିକୁ ଏବେ ସାହାରା ହେବେ ଛତୁଆ ଓ ଲସି!

ପାକିସ୍ତାନରେ ଗତ କିଛି ମାସ ହେଲାଣି ଗମ୍ଭୀର ଆର୍ଥିକ ସଙ୍କଟ ଦେଖାଦେଇଛି। ଇନ୍ଧନର ମୂଲ୍ୟ ବୃଦ୍ଧି ଓ ବିଜୁଳି କାଟ୍‌ ଯୋଗୁ ସାଧାରଣ ଜନତା ଅସ୍ତବ୍ୟସ୍ତ ହୋଇଯାଇଛନ୍ତି। ଇତି ମଧ୍ୟରେ କିଛି ଦିନ ତଳେ ବିଜୁଳି କାଟ୍‌ରୁ ମୁକ୍ତି ପାଇଁ ବଜାରକୁ ରାତି ୧୦ଟା ପୂର୍ବରୁ ବନ୍ଦ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଥିଲା। ତେବେ ବର୍ତ୍ତମାନ ଛତୁଆ ଓ ଲସି ସାହାଯ୍ୟରେ ଦେଶରେ ରୋଜଗାର ସୃଷ୍ଟି ନେଇ ଆଲୋଚନା ଚାଲିଛି। ଏହି ଛତୁଆ ଓ ଲସି ସାହାଯ୍ୟରେ ରୋଜଗାର ସୃଷ୍ଟି କଥା ଆଉ କେହି ନୁହେଁ, ବରଂ ପାକିସ୍ତାନର ଉଚ୍ଚ ଶିକ୍ଷା ଆୟୋଗ କହିଥିବା ଜଣାଯାଇଛି।

ରିପୋର୍ଟ ମୁତାବକ, ନିକଟରେ ପାକିସ୍ତାନର ଯୋଜନା ମନ୍ତ୍ରୀ ବୟାନ ଦେଇଥିଲେ ଯେ ଦେଶରେ ଚା’ ପାଇଁ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ ହେଉଛି। ଏଣୁ ଦେଶର ଲୋକ ଚା’ ସେବନ କରିବା କମ୍‌ କରନ୍ତୁ। ମନ୍ତ୍ରୀଙ୍କ ଏହି ବୟାନକୁ ନେଇ ଏବେ ପାକିସ୍ତାନରେ ଆଲୋଚନା ଚାଲିଛି। ଏବେ ଉଚ୍ଚ ଶିକ୍ଷା ଆୟୋଗର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡା.ଶାଇସ୍ତା ସୋହେଲ ଚା’ ଖର୍ଚ୍ଚ କମ୍‌ କରି ଲସି ଓ ଛତୁଆ ଭଳି ସ୍ଥାନୀୟ ପେୟ ପଦାର୍ଥକୁ ଲୋକପ୍ରିୟ କରି ରୋଜଗାର ବଢ଼ାଇବା ଦିଗରେ ଚିନ୍ତା କରିବାକୁ କହିଛନ୍ତି।

ପାକିସ୍ତାନ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଏକ ସର୍କୁଲାର ଜାରି କରି ସୋହେଲ କହିଛନ୍ତି, ସେ କମ୍‌ ଆୟ କରୁଥିବା ଲୋକଙ୍କ ରୋଜଗାର ବଢ଼ାଇବା ସହ ଅର୍ଥ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପାୟ ଚିନ୍ତା କରନ୍ତୁ। ଏହାର ଜବାବରେ ସର୍କୁଲାର କହିଛନ୍ତି ଯେ ସ୍ଥାନୀୟ ଚା’ ବଗିଚା ଓ ଲସି-ଛତୁଆ ଭଳି ପାରମ୍ପରିକ ପେୟକୁ ଲୋକପ୍ରିୟ କରିବା ଦିଗରେ ଦୃଷ୍ଟି ଦିଅନ୍ତୁ। ଏମିତି ହେଲେ ଚା’ ଦର କମ୍‌ ହେବା ସହ ଲୋକାଲ ପେୟ ବି ଲୋକଙ୍କ ମଧ୍ୟରେ ଅଧିକ ଆଦୃତ ହେବ।

ସୂଚନାଯୋଗ୍ୟ ଯେ ପାକିସ୍ତାନରେ ଗତ କିଛି ଦିନ ହେଲାଣି ପେଟ୍ରୋଲ ଓ ଡିଜେଲ ଦରରେ ଆଶାତୀତ ବୃଦ୍ଧି ଘଟିଛି। ପାକ୍‌ରେ ଏହି ମୂଲ୍ୟ ଲିଟର ପିଛା ୨୩୦ ଟଙ୍କା ପାର କରି ସାରିଲାଣି।

Also Read: ସାମ୍ନାକୁ ଆସିଲା ‘ଏକ୍‌ ଭିଲେନ୍‌ ରିଟର୍ଣ୍ଣସ’ର ଫାଷ୍ଟ ଲୁକ୍‌, ୮ ବର୍ଷ ପରେ ଖୋଲିଲା ଭିଲେନ୍‌ର ମୁଖା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.