ଭାରତ ଚାପ ଆଗରେ ନଇଁଲା ପାକିସ୍ତାନ, ଆସନ୍ତାକାଲି ମୁକ୍ତ ହେବେ ଭାରତୀୟ ପାଇଲଟ୍ ଅଭିନନ୍ଦନ

ଭାରତର ଚାପ ଆଗରେ ନଇଁଲା ପାକିସ୍ତାନ। ଆସନ୍ତାକାଲି ମୁକୁଳିବେ ପାଇଲଟ ଅଭିନନ୍ଦନ ବର୍ତ୍ତମାନ। ତାଙ୍କୁ କାଲି ଛଡାଯିବ ବୋଲି ସୂଚନା ଦେଇଛି ପାକିସ୍ତାନ। ଏହାକୁ ଭାରତର କୂଟନୈତିକ ବିଜୟ ବୋଲି କୁହାଯାଉଛି। ସେପଟେ ଆଗକୁ ଭାରତ-ପାକ୍‌ ମଧ୍ୟରେ ଉତ୍ତେଜନା ହ୍ରାସ ପାଇବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଆଶା ପ୍ରକାଶ କରିଛନ୍ତି । ଶାନ୍ତିର ସଙ୍କେତ ଭାବେ ତାଙ୍କୁ ଛଡାଯାଉଥିବା କହିଛନ୍ତି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍‌ରାନ ଖାନ।

ଅଭିନନ୍ଦନ ନେଇ ଭାରତ ସ୍ପଷ୍ଟ କରିଥିଲା କନସୁଲାର ଆସେସନ ପାଇଁ କୁହାଯିବ ନାହିଁ। ତୁରନ୍ତ ଅଭିନନ୍ଦନଙ୍କୁ ଛାଡୁ ପାକିସ୍ତାନ। ଅଭିନନ୍ଦନଙ୍କ ପାଇଁ ପାକିସ୍ତାନ ସହ କୌଣସି ଡିଲ୍‌ ହେବ ନାହିଁ ବୋଲି ସ୍ପଷ୍ଟ କରିଥିଲା ଭାରତ। ସେପଟେ ଆଜି ଦିନ ତମାମ ଉଭୟ ପଟୁ ଜାରି ରହିଥିଲା ବୟାନବାଜୀ। ପାକିସ୍ତାନକୁ ପୁଣି ଚେତେଇ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଥିଲେ, ଭାରତ ଏକ ହୋଇ ରହିବ, ଏକ ହୋଇ ବଞ୍ଚିବ, ଏକ ହୋଇ କାମ କରିବ, ଏକ ହୋଇ ଆଗକୁ ବଢ଼ିବ, ଏକ ହୋଇ ଲଢ଼ିବ ଓ ଏକ ହୋଇ ଜିତିବ।

ଆଜି ତିନି ସେନା ମୁଖ୍ୟଙ୍କ ସହ ଆଲୋଚନା କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ଆସନ୍ତାକାଲି ନିର୍ମଳା ସୀତାରମଣ ଜମ୍ମୁ କାଶ୍ମୀର ଗସ୍ତରେ ଯିବେ । ସେପଟେ ଆଜି ଧରାପଡ଼ିଲା ପାକିସ୍ତାନର ଆଉ ଏକ ମିଛ। ମିଳିଥିଲା ପାକିସ୍ତାନର ଫାଇଟର ବିମାନ ୠ-୧୬ର ଭଗ୍ନାବଶେଷ । ଗତକାଲି ଭାରତ ଏହି ବିମାନକୁ ମାରି ଖସାଇ ଦେଇଥିବା ଦାବି କରିଥିଲା।