ବିବାହରେ ଗହଣା ବଦଳରେ ଏହି ପାକିସ୍ତାନୀ ଯୁବତୀ ପିନ୍ଧିଲେ ଟମାଟୋ, କାରଣ ପଚାରିବାରୁ ଦେଲେ ଏଭଳି ଉତ୍ତର

ବିବାହକୁ ନେଇ ସବୁ ଝିଅଙ୍କର କିଛି ନା କିଛି ସ୍ୱପ୍ନ ଥାଏ। ସମସ୍ତେ ନିଜ ବାହାଘରରେ ଅଧିକ ସୁନ୍ଦର ଦେଖାଯିବାକୁ ଚେଷ୍ଟା କରିଥାନ୍ତି। ଏଥିପାଇଁ ମେକଅପ୍‌, ଡ୍ରେସ୍‌ ଠାରୁ ଆରମ୍ଭ କରି ଗହଣା ପର୍ଯ୍ୟନ୍ତ ସବୁ ଜିନିଷକୁ ନିଜେ ବାରମ୍ବାର ଚେକ୍‌ କରିଥାନ୍ତି। କିନ୍ତୁ ଏବେ ପାକିସ୍ତାନର ଏକ ବିବାହ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣଙ୍କ ଆଶ୍ଚର୍ଯ୍ୟ ସୀମା ରହିବ ନାହିଁ। ଭିଡିଓରେ ଜଣେ ଯୁବତୀ ନିଜ ବିବାହରେ ଗହଣା ବଦଳରେ ଟମାଟୋ ପିନ୍ଧିଥିବା ନଜର ଆସିଛି।

ଦେଖନ୍ତୁ ଭିଡିଓ:

ଟ୍ୱିଟରରେ ନାୟଲା ଇନାୟତ ଏହି ଭିଡିଓକୁ ସେୟାର କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ ପାକିସ୍ତାନର ଲାହୋରରେ ଜଣେ ବଧୂ ବିବାହରେ ସୁନା ଗହଣା ବଦଳରେ ଟମାଟୋ ପିନ୍ଧିଛନ୍ତି। ସେ ଟମାଟୋର ହାର, କାନଫୁଲ, ଚୁଡ଼ି ଆଦି ପିନ୍ଧିଥିଲେ। ଏ ନେଇ ଯୁବତୀଙ୍କୁ ପଚରାଯିବାରୁ ସେ କହିଥିଲେ ଯେ, ସୁନା ଖୁବ୍‌ ମହଙ୍ଗା ହୋଇଥାଏ। ଏଣୁ ଲୋକେ ବିବାହରେ ସୁନା ଗହଣା ପିନ୍ଧିଥାନ୍ତି। କିନ୍ତୁ ଏବେ ବଜାରରେ ଟମାଟୋ ଦର ମଧ୍ୟ ଆକାଶଛୁଆଁ। ତେଣୁ ସେ ବିବାହରେ ସୁନା ଅଳଙ୍କାର ବଦଳରେ ଟମାଟୋ ଅଳଙ୍କାର ପିନ୍ଧିଥିବା କହିଛନ୍ତି।

ଜଣେ ମଜାରେ ଯୁବତୀଙ୍କ ଟମାଟୋକୁ ଛୁଇଁବାରୁ ଯୁବତୀ ଜଣକ ରାଗି ଯାଇ ମୋ ଟମାଟୋକୁ ଛୁଇଁଲେ ମାରିପକାଇବି ବୋଲି କହିଥିଲେ। ଯୁବତୀଙ୍କ କହିବାନୁସାରେ ତାଙ୍କ ମାତାପିତା ବରକୁ ଉପହାରରେ ୩ ପୋଟି ଟମାଟୋ ଦେଇଛନ୍ତି।

ଏହାସହ ପଢନ୍ତୁ: ଏହି ବୁଲାକୁକୁର RPF ସହ ମିଶି ଷ୍ଟେସନ୍‌ରେ ଦେଉଛି ପହରା, କିଛି ସନ୍ଦେହଜନକ ଦେଖିଲେ ଏମିତି କରୁଛି ଆଲର୍ଟ


ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ପାକିସ୍ତାନରେ ଟମାଟୋ ଦର ଆକାଶଛୁଆଁ। କେତେକ ସ୍ଥାନରେ ଟମାଟୋ କିଲୋପିଛା ୩୦୦ ଟଙ୍କାରେ ବିକ୍ରି ହେଉଛି। ୨ ମିନିଟ୍‌ର ଏହି ଭିଡିଓକୁ ଟ୍ଵିଟରରେ ଲକ୍ଷାଧିକ ଲୋକ ଦେଖିସାରିଥିବା ବେଳେ ବହୁ ମଜାଳିଆ କମେଣ୍ଟ ମଧ୍ୟ ଦେଉଛନ୍ତି।

Leave A Reply

Your email address will not be published.