ଧରାପଡିଲା ପଶ୍ଚିମବଙ୍ଗର କ୍ୟାବିନେଟ୍ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଅସୁସ୍ଥ ନାଟକ, ଭୁବନେଶ୍ୱର ଏମସ କହିଲା ସୁସ୍ଥ, ରିମାଣ୍ଡରେ ନେବାକୁ ଇଡିର ଆବେଦନ

କୋଲକାତା (କେନ୍ୟୁଜ) : ଧରାପଡିଲା ପଶ୍ଚିମବଙ୍ଗର କ୍ୟାବିନେଟ୍ ମନ୍ତ୍ରୀ ତଥା ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଅସୁସ୍ଥ ନାଟକ । ଭୁବନେଶ୍ୱର ଏମସ ଦ୍ୱାରା ପାର୍ଥଙ୍କୁ ସୁସ୍ଥ କୁହାଯିବା ପରେ ୧୪ ଦିନ ରିମାଣ୍ଡରେ ନେବାକୁ କୋଲକାତା ସ୍ୱତନ୍ତ୍ର କୋର୍ଟରେ ଆବେଦନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଇଡି ପକ୍ଷରୁ ଭୁବନେଶ୍ୱର ଏମସ ପକ୍ଷରୁ ଜାରି ପାର୍ଥଙ୍କ ମେଡିକାଲ ରିପୋର୍ଟ କୋର୍ଟରେ ଦାଖଲ କରାଯାଇଛି । ପୂରଣା ରୋଗ ଯୋଗୁଁ ପାର୍ଥଙ୍କ ସ୍ୱାସ୍ଥ୍ୟ ସମସ୍ୟା ରହିଛି ।

ତେବେ ମେଡିକାଲରେ ଆଡମିଟ ହେବାର ଆବଶ୍ୟକ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି ।ପାର୍ଥଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି, ଛାତିରେ ଯନ୍ତ୍ରଣା ନାହିଁ ବୋଲି ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକ ଡା.ଆଶୁତୋଷ ବିଶ୍ୱାସ ସୂଚନା ଦେଇଥିଲେ । କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଭୁବନେଶ୍ୱର ଏମସରେ ପାର୍ଥଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲା । ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆଜି ପାର୍ଥଙ୍କୁ କୋଲକତା SSKM ହସ୍ପିଟାଲରୁ ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ୱର ଏମ୍ସ ଆଣିଥିଲା ED ।

ଏପଟେ ମାମଲାରେ ଗିରଫ ହୋଇଥିବା ପାର୍ଥଙ୍କ ଘନିଷ୍ଠ ସହଯୋଗୀ ବଙ୍ଗଳା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଦିନିକିଆ ରିମାଣ୍ଡ ଶେଷ ପରେ ତାଙ୍କୁ ପିଏମ୍ଏଲଏ କୋର୍ଟରେ ହାଜର କରାଯାଇଛି । ଏପଟେ ଶନିବାର ଇଡି ଗିରଫ ପରେ ପାର୍ଥ ଚାଟାର୍ଜୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । ଦିଦିଙ୍କୁ ୩ ଥର କଲ କରିଥିଲେ ପାର୍ଥ ।

ତେବେ ମମତା ପାର୍ଥଙ୍କ ଗୋଟେ ବି କଲ ରିସିଭ କରିନଥିଲେ । ବେଆଇନ କାର୍ଯ୍ୟକଳାପରେ ଲିପ୍ତ ରହିଲେ ହସ୍ତକ୍ଷେପ କରିବୁ ନାହିଁ ବୋଲି ମମତା ସ୍ୱଷ୍ଟ କରିଛନ୍ତି । ସେପଟେ ଇଡି ଚଢଉ ବେଳେ ପାର୍ଥ ଚାଟାର୍ଜୀଙ୍କ ଘରୁ ଆଡମିଟ୍ କାର୍ଡ, ନିଯୁକ୍ତି ପତ୍ର ଓ ସଂପତ୍ତି କାଗଜପତ୍ର ଠାବ ହୋଇଛି।

ଶନିବାର ଗିରଫ ହୋଇଥିଲେ ପଶ୍ଚିମବଙ୍ଗର କ୍ୟାବିନେଟ୍ ମନ୍ତ୍ରୀ ତଥା ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ। ଶିକ୍ଷା ବିଭାଗରେ ନିଯୁକ୍ତିରେ ଦୁର୍ନୀତି ଅଭିଯୋଗରେ ଇଡିର ଚଢ଼ଉ ବେଳେ ଅର୍ପିତା ମୁଖାର୍ଜୀଙ୍କ ବାସଭବନରୁ ୨୧ କୋଟି ଟଙ୍କା ଜବତ ପରେ ପାର୍ଥ ଚାଟାର୍ଜୀ ଓ ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରାଯାଇଥିଲା । ଗିରଫ ହେବା ପରେ ଅସୁସ୍ଥ ଅନୁଭବ କରିବାରୁ ପାର୍ଥଙ୍କୁ ରାଜ୍ୟ ସରକାରଙ୍କ ଏସଏସକେଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରାଜ୍ୟ ସରକାରଙ୍କ ହସ୍ପିଟାଲରେ ଭର୍ତ୍ତିକୁ ବିରୋଧ କରିଥିଲା ଇଡି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.