୨ ବର୍ଷ ତଳେ ପଡ଼ୋଶୀଙ୍କ କୁକୁର କାମୁଡ଼ି ଦେଇଥିଲା ଝିଅକୁ, ଏବେ ଜରିମାନା ଦେବେ ୩ ଲକ୍ଷ ୮୦ ହଜାର ଟଙ୍କା!

ଘରେ କୁକୁର କିମ୍ବା ଅନ୍ୟ କୌଣସି ପ୍ରାଣୀ ପାଳୁଥିବା ଲୋକେ ସାବଧାନ ହୋଇ ଯାଆନ୍ତୁ। କାହିଁକି ନା, ହରିୟାଣାର ଗୁରୁଗ୍ରାମରୁ ଏମିତି ଏକ ଖବର ସାମ୍ନାକୁ ଆସିଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେବ। ଏଠାରେ ଏକ ପୋଷା କୁକୁର ପଡ଼ୋଶୀ ଘରର ଜଣେ କୁନି ଝିଅକୁ କାମୁଡ଼ି ଦେଇଥିଲା। ଆଉ ଏହି ମାମଲା କଞ୍ଜ୍ୟୁମର ଫୋରମ୍‌ରେ ପହଞ୍ଚିଥିଲା। ଏବେ ୨ ବର୍ଷ ପରେ ଫୋରମ୍‌ କୁକୁର ମାଲିକଙ୍କୁ ପୀଡ଼ିତ ପରିବାରକୁ ୩ ଲକ୍ଷ ୮୦ ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛି।

ମିଡିଆ ରିପୋର୍ଟ ମୁତାବକ, ଏହି ଘଟଣା ଗୁରୁଗ୍ରାମର ଡିଏଲ୍‌ଏଫ୍‌ ଫେଜ୍‌-୫ ସ୍ଥିତ ଏକ ସୋସାଇଟି ବିଲ୍ଡିଂରେ ଘଟିଥିଲା। ଘଟଣାଟି ଦୁଇ ବର୍ଷ ତଳର। ଏଠାରେ ୯ ବର୍ଷର ଏକ ଝିଅ ବିଲ୍ଡିଂରେ ଲାଗିଥିବା ଲିଫ୍ଟ ଜରିଆରେ ୨୨ ତମ ମହଲାରେ ରହୁଥିବା ନିଜ ସମ୍ପର୍କୀୟଙ୍କ ଘରକୁ ଯାଉଥିଲା। ଏହି ସମୟରେ ୧୦ମ ମହଲାରେ ରହୁଥିବା ରାକେଶ କୁମାରଙ୍କ ଘରୋଇ ସହାୟକ ତାଙ୍କ ପୋଷା କୁକୁରକୁ ବିନା ଚେନ୍‌ରେ ଲିଫ୍ଟରେ ଚଢ଼ାଇ ଥିଲେ। ହେଲେ ଲିଫ୍ଟରେ କୁକୁରଟି ଝିଅ ଉପରକୁ ହଠାତ୍‌ କୁଦି ପଡ଼ିଥିଲା ଏବଂ ତାକୁ କାମୁଡ଼ି ଦେଇଥିଲା।

କୁକୁର କାମୁଡ଼ାରେ ଝିଅଟି ଗୁରୁତର ଭାବେ ଆହତ ହୋଇ ପଡ଼ିଥିଲା। ପରିବାର ଲୋକେ ତାକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏହାପ ରେ ଝିଅର ବାପା ଏ ନେଇ ସୋସାଇଟି ପ୍ରବନ୍ଧକ, ମ୍ୟାନେଜର ଏବଂ କୁକୁର ମାଲିକଙ୍କ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ କେହି ବି ତାଙ୍କ ଅଭିଯୋଗକୁ ଗୁରୁତର ସହିତ ନେଇ ନ ଥିଲେ। ଆଉ ଯେତେବେଳେ ତାଙ୍କ କଥା କେହି ଶୁଣି ନ ଥିଲେ, ତ ସେ ଘଟଣାର ପାଖାପାଖି ୭ ମାସ ପରେ କଞ୍ଜ୍ୟୁମର ଫୋରମ୍‌ରେ ଅଭିଯୋଗ କରିଥିଲେ।

କଞ୍ଜ୍ୟୁମର ଫୋରମ୍‌ରେ ଏହି ମାମଲାର ଶୁଣାଣି ଜିଲ୍ଲା ଉପଭୋକ୍ତା ଫୋରମ୍‌ର ଅଧ୍ୟକ୍ଷ ସନ୍ଦୀପ ଜିନ୍ଦଲ, ଫୋରମ୍‌ର ସଦସ୍ୟ ଉପାସନା ବାଗଲା ଓ ରିଶିଦତ୍ତ କୌଶିକ କରିଥିଲେ। ଏ ସମସ୍ତ ପକ୍ଷ ଶୁଣିବା ପରେ ଫୋରମ୍‌ ସୋସାଇଟିରେ ସିକ୍ୟୁରିଟି ବ୍ୟବସ୍ଥା ଭଲ ନ ଥିବା ଜାଣିବାକୁ ପାଇଥିଲା। ସମସ୍ତ ଦିଗକୁ ନଜରରେ ରଖି ଏବେ ଫୋରମ୍‌ ସୋସାଇଟି ପ୍ରବନ୍ଧନରୁ ୩ ଲକ୍ଷ ୮୦ ହଜାର ଟଙ୍କାର କ୍ଷତିପୂରଣ ୯ ପ୍ରତିଶତ ସୁଧ ହାରରେ ଅଭିଯୋଗକାରୀଙ୍କୁ ପ୍ରଦାନ କରିବାକୁ ଆଦେଶ ଦେଇଛି। କେବଳ ଏତିକି ନୁହେଁ, ୨୦ ହଜାର ଟଙ୍କା କୋର୍ଟ ଖର୍ଚ୍ଚ ଭରଣା କରିବାକୁ ମଧ୍ୟ ଆଦେଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.