‘ଅନ୍ଧାରୀ ମୂଲକରେ ପହଞ୍ଚି ଆମେ ଆଲୁଅ ଜାଳିଲୁ’, ଚନ୍ଦ୍ରଯାନ- ୩ର ଲ୍ୟାଣ୍ଡିଂ ପଏଣ୍ଟର ନାଁ ‘ଶିବଶକ୍ତି’ ରଖିଲେ ମୋଦି

ଚନ୍ଦ୍ରୟାନ-୩ର ସଫଳତା ପରେ ଇସ୍ରୋ ବୈଜ୍ଞାନିକଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିଛନ୍ତି। ସମ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଏବେ ଚନ୍ଦ୍ରରେ ଭାରତ’। ଚନ୍ଦ୍ରପୃଷ୍ଠରେ ଯେଉଁଠି ଚନ୍ଦ୍ରୟାନ-୩ ଅବତରଣ କରିଛି ସେହି ସ୍ଥାନର ନାଁ ପ୍ରଧାନମନ୍ତ୍ରୀ ମୋଦି ‘ଶିବଶକ୍ତି’ ଦେଇଛନ୍ତି। ଅଗଷ୍ଟ ୨୩ ତାରିଖକୁ 'ଜାତୀୟ ମହାକାଶ ଦିବସ' ଭାବେ ପାଳନ କରାଯିବ ।

ନୂଆଦିଲ୍ଲୀ : ଅଗଷ୍ଟ ୨୩ ତାରିଖକୁ ‘ଜାତୀୟ ମହାକାଶ ଦିବସ’ ଭାବେ ପାଳନ କରାଯିବ । ଇସ୍ରୋ ବୈଜ୍ଞାନିକଙ୍କୁ ସମ୍ବୋଧନ କରିବା ବେଳେ ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜି ବିଦେଶରୁ ଫେରି ସିଧା ଇସ୍ରୋ ହିରୋଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ । ବେଙ୍ଗାଳୁରୁ ସ୍ଥିତ ଇସ୍ରୋ ମୁଖ୍ୟାଳୟରେ ଚନ୍ଦ୍ରଯାନ-୩ ମିଶନରେ ସମ୍ପୃକ୍ତ ବୈଜ୍ଞାନିକଙ୍କୁ ଭେଟି ପ୍ରଂଶସା କରିଥିଲେ। ଇସ୍ରୋ ମୁଖ୍ୟ ଏସ୍ ସୋମନାଥଙ୍କୁ ଆଲିଙ୍ଗନ କରି ପିଠି ଥାପୁଡାଇଲେ ମୋଦି । ବୈଜ୍ଞାନିକମାନଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି, ଆପଣଙ୍କ ଦର୍ଶନ କରିବାକୁ ଚାହୁଁଥିଲି । ଆପଣଙ୍କର ଯେତେ ଗୁଣଗାନ କଲେ, ତାହା କମ୍ ହେବ । ଆପଣଙ୍କୁ ମୋର ସାଲ୍ୟୁଟ୍ । ଚନ୍ଦ୍ର ଅଭିଯାନ କୌଣସି ସାଧାରଣ ସଫଳତା ନୁହେଁ। ଆମେ ସେଠି ପହଞ୍ଚିଲୁ, ଯେଉଁଠି କେହି ପହଞ୍ଚି ନଥିଲେ। ଏହାହିଁ ହେଉଛି ଆଜିର ଭାରତ, ନିର୍ଭୀକ ଭାରତ, ଲଢୁଆ ଭାରତ। ମୁଁ ଆପଣଙ୍କର ଯେତେ ଗୁଣଗାନ କଲେ, ତାହା କମ୍ ହେବ।’

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ‘ଅନ୍ଧାରୀ ମୂଲକରେ ପହଞ୍ଚି ଆମେ ଆଲୁଅ ଜାଳିଲୁ। ଏବେ ଚନ୍ଦ୍ରରେ ଭାରତ’। ଯେଉଁଠି ଚନ୍ଦ୍ରଯାନ-୩ ଅବତରଣ କଲା, ତା’ର ନାଁ ରଖିଛନ୍ତି ମୋଦି । ଚନ୍ଦ୍ରଯାନ ଅବତରଣ କରିଥିବା ସ୍ଥାନର ନାଁ ‘ଶିବଶକ୍ତି’ ରଖିଥିବା ବେଳେ ଚନ୍ଦ୍ରଯାନ-୨ର ପଦଚିହ୍ନ ସ୍ଥଳକୁ ‘ତ୍ରିରଙ୍ଗା’ ନାଁ ରଖିଛନ୍ତି ।

‘ଇସ୍ରୋ’ ବୈଜ୍ଞାନିକମାନଙ୍କୁ ଭେଟିବେ ବୋଲି ପୂର୍ବରୁ ‘ଏକ୍ସ’ (ଟୁଇଟ୍‌) କରି ପ୍ରଧାନମନ୍ତ୍ରୀ ମୋଦି ଲେଖିଥିଲେ: ବେଙ୍ଗାଲୁରୁରେ ଅବତରଣ କଲି। ଚନ୍ଦ୍ରଯାନ-୩କୁ ସଫଳ କରି ଭାରତକୁ ଗୌରବାନ୍ୱିତ କରିଥିବା ‘ଇସ୍ରୋ’ର ଅସାଧାରଣ ବୈଜ୍ଞାନିକମାନଙ୍କୁ ଭେଟିବାକୁ ଯିବି। ମହାକାଶ କ୍ଷେତ୍ରରେ ଆମ ଦେଶର କୃତିତ୍ୱର ସାମର୍ଥ୍ୟ ହେଉଛି ସେମାନଙ୍କର ପ୍ରତିବଦ୍ଧତା ଓ ଅଦମ୍ୟ ଆଗ୍ରହ।

‘ଟେଲିମେଟ୍ରି ଟ୍ରାକିଙ୍ଗ୍‌ ଆଣ୍ଡ୍‌ କମାଣ୍ଡ ନେଟ୍‌ୱାର୍କ ମିସନ୍‌ କଣ୍ଟ୍ରୋଲ୍‌ କମ୍ପ୍ଲେକ୍ସ୍‌’ରେ ‘ଇସ୍ରୋ’ ମୁଖ୍ୟ ଏସ୍‌. ସୋମନାଥନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ରୋଭର୍‌ ପ୍ରଜ୍ଞାନ’ ଓ ‘ଲାଣ୍ଡର୍‌ ବିକ୍ରମ’ ବିଷୟରେ ସଂକ୍ଷିପ୍ତ ସୂଚନା ଦେଇଛନ୍ତି। ଏଥିସହିତ ସେ ‘ବିକ୍ରମ’ର ଏକ ପ୍ରତିରୂପ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଦେଖାଇଛନ୍ତି।