୨୦୨୨ରେ ମୋଦିଙ୍କ ପ୍ରଥମ ବିଦେଶ ଯାତ୍ରା: ମେ’୨ରୁ ଗସ୍ତ କରିବେ ଜର୍ମାନୀ, ଡେନ୍‌ମାର୍କ ଓ ଫ୍ରାନ୍ସ

କରୋନା ମହାମାରୀ ଯୋଗୁ ଗତ ୨ ବର୍ଷ ହେଲାଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏତେ ଟା ବିଦେଶ ଯାତ୍ରା କରୁନଥିଲେ। କିନ୍ତୁ ଏବେ ସେ ଅନ୍ୟ ଦେଶ ସହ ଭାରତର ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ପୁଣି ଥରେ ବିଦେଶ ଯାତ୍ରା ଉପରେ ଗୁରୁତ୍ୱାରୋପ କରିଛନ୍ତି। ୨୦୨୨ ମସିହାର ପ୍ରଥମ ବିଦେଶ ଯାତ୍ରା କରିବାକୁ ପ୍ରଧାନମନ୍ତ୍ରୀ ମୋଦି ପ୍ରସ୍ତୁତ ହୋଇଛନ୍ତି। ମେ’ ୨ରେ ସେ ଏ ବର୍ଷର ପ୍ରଥମ ବିଦେଶ ଯାତ୍ରା କରିବେ। ଏ ଅବସରରେ ସେ ଜର୍ମାନୀ, ଡେନ୍‌ମାର୍କ ଓ ଫ୍ରାନ୍ସ ଗସ୍ତ କରିବେ। ମୋଦିଙ୍କର ଏହି ଗସ୍ତ ତିନି ଦିବସୀୟ ରହିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ ୨୦୨୨ରେ ଏହା ମୋଦିଙ୍କର ପ୍ରଥମ ବିଦେଶ ଯାତ୍ରା।

ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମୋଦିଙ୍କ ଗସ୍ତ ବିଷୟରେ ଘୋଷଣା କରାଯାଇଛି। ମନ୍ତ୍ରାଳୟ ତରଫରୁ ବୁଧବାର ଦିନ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନ ପାଇଁ ବିଦେଶ ଯାତ୍ରା କରୁଛନ୍ତି। ସେ ମେ ୨ରୁ ଯାତ୍ରା ଆରମ୍ଭ କରିବେ ଓ ମେ ୪ରେ ଭାରତ ଫେରିବେ। ପ୍ରଥମେ ମୋଦି ଜର୍ମାନୀ ଯାତ୍ରା କରିବେ। ତା’ ପର ଦିନ ଡେନ୍‌ମାର୍କ ଯିବେ। ମେ ୪ରେ ସର୍ବଶେଷରେ ସେ ପ୍ୟାରିସ୍‌ରେ କିଛି ସମୟ ରହିବେ। ଏହି ଦିନ ହିଁ ସେ ଭାରତ ଫେରିବେ।

ପ୍ୟାରିସ ଗସ୍ତ ବେଳେ ମୋଦି ଫ୍ରାନ୍ସର ନବ ନିର୍ବାଚିତ ରାଷ୍ଟ୍ରପତି ଇମେନୁଏଲ ମେକ୍ରୋନ୍‌ଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି। ପ୍ରକାଶ ଯେ ଇମେନୁଏଲ୍‌ ସୋମବାର ଦିନ ରାଷ୍ଟ୍ରପତି ପଦ ପାଇଁ କଡ଼ା ମୁକାବିଲାରେ ପ୍ରତିଦ୍ୱନ୍ଦ୍ୱୀ ମରୀନ ଲି ପେନ୍‌ଙ୍କୁ ହରାଇଛନ୍ତି ଓ ପୁଣିଥରେ ରାଷ୍ଟ୍ରପତି ଭାବେ ମନୋନୀତ ହୋଇଛନ୍ତି।

ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଛି, ବର୍ଲିନରେ ପ୍ରଧାନମନ୍ତ୍ରୀ ଜର୍ମାନୀର ସଂଘୀୟ ଚାନ୍‌ସେଲର ଓଲାଫ ଶୋଲଜ୍‌ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ଓ ଉଭୟ ନେତା ଭାରତ-ଜର୍ମାନୀ ଅନ୍ତର-ସରକାରୀ ପରାମର୍ଶ (ଆଇଜିସି)ର ଷଷ୍ଠ ସଂସ୍କରଣରେ ସହ-ଅଧ୍ୟକ୍ଷତା କରିବେ।

ଚାନ୍‌ସେଲର ଶୋଲଜଙ୍କ ସହ ମୋଦିଙ୍କର ଏହା ପ୍ରଥମ ସାକ୍ଷାତ ହେବ। ଚାନ୍‌ସେଲର ଶୋଲଜ ଗତ ବର୍ଷ ଡିସେମ୍ବରରେ ନିଜ ପୂର୍ବବର୍ତ୍ତୀ ଏଞ୍ଜେଲା ମର୍କେଲଙ୍କ ଠାରୁ ସର୍ବୋଚ୍ଚ କାର୍ଯ୍ୟାଳୟର କାର୍ଯ୍ୟଭାର ସମ୍ଭାଳିଥିଲେ। ୩ ଦେଶର ୟୁରୋପୀୟ ନେତାଙ୍କ ସହ ମୋଦିଙ୍କ ଆଲୋଚନାରେ ୟୁକ୍ରେନ୍‌ରେ ରୁଷର ଆକ୍ରମଣ ବିଷୟରେ ମଧ୍ୟ ଆଲୋଚନା ହେବା ସମ୍ଭାବନା ରହିଛି।
ସୂଚନାଯୋଗ୍ୟ ଯେ ଭାରତ ଓ ଫ୍ରାନ୍ସ ଚଳିତବର୍ଷ ରାଜନୈତିକ ସମ୍ପର୍କର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି ଓ ଦୁଇ ନେତାଙ୍କ ମଧ୍ୟରେ ଏହି ବୈଠକ ସାମରିକ ଚୁକ୍ତିର ଏକ ଏଜେଣ୍ଡା ନିର୍ଦ୍ଧାରିତ କରିବ।

Also Read: କେତେ ଅଛି ସୁନା ଓ ରୁପା ଦାମ୍, ଜାଣନ୍ତୁ ଆଜିର ଅପଡେଟ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.