Below header

‘ସୁଦର୍ଶନ ସେତୁ’ର ଲୋକାର୍ପଣ କଲେ ମୋଦି, ବ୍ରିଜର ଦୁଇ ପାର୍ଶ୍ବରେ ଲେଖା ହୋଇଛି ଭଗବଦ୍ ଗୀତାର ଶ୍ଲୋକ

ଲୋକାର୍ପିତ ହେଲା ଭାରତର ଦୀର୍ଘତମ କେବୁଲ ବ୍ରିଜ । ସୁଦର୍ଶନ ସେତୁର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୪ ଲେନ ବିଶିଷ୍ଟ ଏହି ସିଗନେଚର ବ୍ରିଜର ଲମ୍ବ ୨.୩୩ କିଲୋମିଟର ହୋଇଥିବାବେଳେ ପ୍ରାୟ ୯୮୦ କୋଟି ଟଙ୍କା ବ୍ୟୟରେ ଏହାର ନିର୍ମାଣ କରାଯାଇଛି ।

ନୂଆଦିଲ୍ଲୀ : ଲୋକାର୍ପିତ ହେଲା ଭାରତର ଦୀର୍ଘତମ କେବୁଲ ବ୍ରିଜ । ସୁଦର୍ଶନ ସେତୁର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ଗୁଜରାଟର ଓଖା ମେନଲ୍ୟାଣ୍ଡକୁ ବେଟ ଦ୍ବାରକା ଦ୍ବୀପ ସହିତ ସଂଯୋଗ କରିବ । ୪ ଲେନ ବିଶିଷ୍ଟ ଏହି ସିଗନେଚର ବ୍ରିଜର ଲମ୍ବ ୨.୩୩ କିଲୋମିଟର ହୋଇଥିବାବେଳେ ପ୍ରାୟ ୯୮୦ କୋଟି ଟଙ୍କା ବ୍ୟୟରେ ଏହାର ନିର୍ମାଣ କରାଯାଇଛି ।

୨୦୧୭ରେ ପ୍ରଧାନମନ୍ତ୍ରୀ ଏହି ପୋଲର ନିର୍ମାଣ ଲାଗି ଭିତ୍ତିରପ୍ରସ୍ତର ସ୍ଥାପନ କରିଥିଲେ । ଏହି ପୋଲଟି ପୁରାତନ ଓ ଆଧୁନିକ ଦ୍ବାରକାକୁ ପରସ୍ପର ସହିତ ସଂଯୋଗ କରିବ । ଏହି ବ୍ରିଜର ଦୁଇ ପାର୍ଶ୍ବରେ ଶ୍ରୀମଦ ଭଗବଦ୍ ଗୀତାର ଶ୍ଲୋକ ଲେଖା ହେବା ସହ ଉଭୟ ପଟେ ଭଗବାନ ଶ୍ରୀକୃଷ୍ଣ ପ୍ରତିଛବିରେ ସଜ୍ଜିତ କରାଯାଇଛି । ଦ୍ବାରକା ଜିଲ୍ଲାରେ ୨୧ଟି ଭୂଖଣ୍ଡ ରହିଥିବା ବେଳେ ବେଟ ଦ୍ବାରକା ଦ୍ବୀପରେ ଜନବସତି ରହିଛି । ଏଠାରେ ପ୍ରାୟ ୧୨ ହଜାର ଲୋକ ବାସ କରନ୍ତି । କିମ୍ବଦନ୍ତୀ ଅନୁସାରେ ଭଗବାନ ଶ୍ରୀକୃଷ୍ଣ ବେଟ ଦ୍ବାରକାରେ ବସବାସ କରୁଥିଲେ । ଏହାବାଦ ଏଠାରେ ମହାବୀର ହନୁମାନ ଓ ତାଙ୍କ ପୁତ୍ର ମକରଧ୍ବଜଙ୍କ ମନ୍ଦିର ମଧ୍ୟ ରହିଛି । ବିଶ୍ବର ଏହା ଏକମାତ୍ର ସ୍ଥାନ ଯେଉଁଠି ରହିଛି ମକରଧ୍ବଜଙ୍କ ମନ୍ଦିର ।

ତେବେ ପର୍ଯ୍ୟଟକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯୮୦ କୋଟି ଟଙ୍କା ବ୍ୟୟରେ ଏହି ସୁଦର୍ଶନ ସେତୁ ନିର୍ମାଣ ଲାଗି ଘୋଷଣା କରିଥିଲେ । ଏହି ସେତୁର ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ୭ ବର୍ଷ ଲାଗିଥିବା ବେଳେ ଆଜି ମୋଦି ଏହାକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାକୁ ଯାଉଛନ୍ତି । ସମୁଦ୍ରରେ ନିର୍ମାଣ ହୋଇଥିବା ଏହି ପୋଲର ନିର୍ମାଣ କାର୍ଯ୍ୟ ସମୟରେ ଅନେକ ବାଧାବିଘ୍ନର ସାମ୍ନା କରିବାକୁ ପଡ଼ିଥିଲା । ଅନେକ ଆହ୍ବାନ ସତ୍ତ୍ବେ ଶେଷରେ ଏହି ପୋଲ ନିର୍ମାଣ କାର୍ଯ୍ୟ ଶେଷ ହୋଇ ଏବେ ବ୍ୟବହାର ଲାଗି ପ୍ରସ୍ତୁତ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.