ନାମ୍ବିଆ ପରେ ଏବେ ଦକ୍ଷିଣ ଆଫ୍ରିକା! କୁନୋ ଜାତୀୟ ଉଦ୍ୟାନକୁ ଆହୁରି ଆସିବେ ୧୨ ଚିତା; ପ୍ରସ୍ତୁତ ହୋଇଗଲାଣି ନୂତନ ଏନ୍କ୍ଲୋଜର

ମଧ୍ୟ ପ୍ରଦେଶର ଶେଓପୁରସ୍ଥିତ କୁନୋ ନ୍ୟାସନାଲ ପାର୍କରେ ନାମ୍ବିଆରୁ ୮ ଚିତା ଆସିବା ପରେ ଏବେ ଦକ୍ଷିଣ ଆଫ୍ରିକାରୁ ଚିତା ଆଣିବା ପାଇଁ ପ୍ରସ୍ତୁତି ଚାଲିଛି। ଚଳିତ ଡିସେମ୍ବରରେ ୧୨ ଚିତା ଆଣିବାକୁ ମଧ୍ୟ ପ୍ରଦେଶ ସରକାର ପ୍ରସ୍ତୁତି ଚଳାଇଛନ୍ତି। ଦକ୍ଷିଣ ଆଫ୍ରିକାର ବନ ଏବଂ ପରିବେଶ ବିଭାଗ ମନ୍ତ୍ରୀ ବାରବରା କ୍ରିସି ପ୍ରୋଜେକ୍ଟ ଚିତା ପାଇଁ ଭାରତ ସହ ଏମ୍ଓୟୁକୁ ମଞ୍ଜୁରୀ ଦେଇଛନ୍ତି। ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସାଙ୍କ ପାଖରେ ବର୍ତ୍ତମାନ ଏ ସଂକ୍ରାନ୍ତୀୟ ଦସ୍ତାବିଜ୍ ରହିଛି। ଆଗାମୀ କିଛି ଦିନ ଭିତରେ ରାଷ୍ଟ୍ରପତି ଭବନରୁ ସ୍ୱୀକୃତି ମିଳିବାର ଆଶା ରହିଛି।
ପ୍ରକୃତରେ, ନାମ୍ବିଆ ଏବଂ ଦକ୍ଷିଣ ଆଫ୍ରିକାରୁ ଏକ ସାଥୀରେ ଚିତା ଆଣି ଭାରତରେ ରଖାଯିବାର ଯୋଜନା ଥିଲା। ଚିତା ଚୟନଠାରୁ ଆରମ୍ଭ କରି ସେମାନଙ୍କୁ କ୍ୱାରେଣ୍ଟିନ୍ କରିବା ପର୍ଯ୍ୟନ୍ତ, ସମସ୍ତ ପ୍ରସ୍ତୁତି ନାମ୍ବିଆ ସାଙ୍ଗକୁ ଦକ୍ଷିଣ ଆଫ୍ରିକାରେ ମଧ୍ୟ ସେହି ସମୟରେ ପୂରା କରି ନିଆଯାଇଥିଲା। କିନ୍ତୁ ଦକ୍ଷିଣ ଆଫ୍ରିକାରୁ ଚିତା ଆଣିବାର ଏମ୍ଓୟୁ ସ୍ୱାକ୍ଷର ହୋଇପାରି ନ ଥିଲା। ଯାହାଫଳରେ କି, ନାମ୍ବିଆରୁ ୮ ଚିତା ଆସିଥିଲେ ଏବଂ ଭାରତ ଆଣିବା ପାଇଁ ଦକ୍ଷିଣ ଆଫ୍ରିକାରେ ଚିହ୍ନିତ ୧୨ ଚିତା କ୍ୱାରେଣ୍ଟିନରେ ହିଁ ବନ୍ଦ ରହିଥିଲେ। ଏବେ ସେମାନେ କ୍ୱାରେଣ୍ଟିନ୍ ହେବାରେ ପାଖାପାଖି ସାଢ଼େ ୩ ମାସରୁ ଅଧିକ ସମୟ ହୋଇଗଲାଣି।
ସେପଟେ ଏହାରି ଭିତରେ ନାମ୍ବିଆରୁ କୁନୋ ନ୍ୟାସନାଲ ପାର୍କ ଆସିଥିବା ସମସ୍ତ ୮ ଚିତା ବଡ଼ ଏନ୍କ୍ଲୋଜରକୁ ସିଫ୍ଟ ହୋଇଯାଇଛନ୍ତି। ସେମାନେ ଏଠାରେ ଶିକାର କରି ନିଜକୁ ଭଲ ଭାବରେ ଖାପଖୁଆଇ ନେଲେଣି। ଏହି କାରଣରୁ ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରୁ ପୁଣି ଚିତା ଆଣିବାର ପ୍ରକ୍ରିୟା ଦ୍ରୁତ ଗତିରେ ଆଗେଇ ଚାଲିଛି।
ନାମ୍ବିଆ ଚିତାମାନେ ଭାରତ ମାଟିରେ ଖାପଖୁଆଇ ଯାଇଥିବାର ଦେଖି ଦକ୍ଷିଣ ଆଫ୍ରିକାର ମନୋଭାବ ମଧ୍ୟ ସକାରାତ୍ମକ ହୋଇଛି ଏବଂ ଗତକାଲି ସେଠାକାର ମନ୍ତ୍ରୀ ବାରବରା କ୍ରିସି ପ୍ରୋଜେକ୍ଟ ଚିତା ପାଇଁ ଭାରତ ସହ ଏମ୍ଓୟୁକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏବେ କେବଳ ରାଷ୍ଟ୍ରପତିଙ୍କ ହସ୍ତାକ୍ଷର ବାକି ଅଛି। ବିଶେଷଜ୍ଞଙ୍କ କହିବା ହେଲା, ରାଷ୍ଟ୍ରପତିଙ୍କ ସ୍ୱାକ୍ଷର ହେବା ପରେ ଚିତାମାନଙ୍କୁ ଭାରତ ଆଣିବାରେ ୭ରୁ ଅଧିକ ଦିନ ସମୟ ଲାଗିବ ନାହିଁ। କାହିଁକି ନା, ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିସାରିଛି।