ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି: ପଶ୍ଚିମବଙ୍ଗରେ ମୁତୟନ ହେବେ କେନ୍ଦ୍ରୀୟ ସୁରକ୍ଷା ବଳର ୪୧୫ କମ୍ପାନୀ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ କେନ୍ଦ୍ରୀୟ ସୁରକ୍ଷା ବଳର ୪୧୫ କମ୍ପାନୀକୁ ମୁତୟନ କରାଯାଇଛି। ଏ ନେଇ ଜଣେ ବରିଷ୍ଠ ଅଧିକାରୀ ଶନିବାର ସୂଚନା ଦେଇଛନ୍ତି। ସେ କହିଛନ୍ତି କି, ଏବେ ସୁଦ୍ଧା ସିଏପିଏଫ୍‌ର ୨୦୦ କମ୍ପାନୀ ପଶ୍ଚିମବଙ୍ଗର ପହଞ୍ଚି ସାରିଲେଣି। ଏଥିରେ ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ୩୦ ଏବଂ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ(ସିଆଇଏସ୍‌ଏଫ୍‌) ଓ ଭାରତ-ତିବ୍ଦତ ସୀମା ପୋଲିସ(ଆଇଟିବିପି)ର ୫ ଲେଖାଏ କମ୍ପାନୀ ସାମିଲ ଅଛନ୍ତି। ସିଏପିଏଫ୍‌ର ବାକି ୨୧୫ କମ୍ପାନୀ ଆସନ୍ତା କିଛିଦିନ ଭିତରେ ରାଜ୍ୟରେ ପହଞ୍ଚିଯିବେ।

ଏହି କମ୍ପାନୀଗୁଡ଼ିକୁ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ମୁତୟନ କରାଯିବ। କେନ୍ଦ୍ରୀୟ ସୁରକ୍ଷା ବଳର ପ୍ରତି ଗୋଟିଏ କମ୍ପାନୀରେ ୧୦୦ ଯବାନ ଅଛନ୍ତି। ପ୍ରଥମ ପର୍ଯ୍ୟାୟରେ ୫ ଜିଲାର ବିଧାନସଭା ଆସନରୁ ଭୋଟ ଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ୧୦,୨୮୮ ମତଦାନ କେନ୍ଦ୍ର ତିଆରି କରାଯାଇଛି। ପୁରୁଲିଆରେ ୩,୧୨୭, ବାଙ୍କୁରାରେ ୧,୩୨୮, ପୂର୍ବ ମେଦିନୀପୁରରେ ୨,୪୩୭ ଏବଂ ପଶ୍ଚିମ ମେଦିନୀପୁରରେ ୨,୦୮୯ ମତଦାନ କେନ୍ଦ୍ର ତିଆରି ହୋଇଛି।

ସ୍ଥିତି ସମୀକ୍ଷା କଲେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଓ ପୋଲିସ ପର୍ଯ୍ୟବେକ୍ଷକ

ନିର୍ବାଚନ ଆୟୋଗର ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଅଜୟ ନାଏକ ଏବଂ ପୋଲିସ ପର୍ଯ୍ୟବେକ୍ଷକ ବିବେକ ଦୁବେ ଜିଲାଗୁଡ଼ିକର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହିତ ବସି ନିର୍ବାଚନ ପ୍ରସ୍ତୁତି ଲାଗି ସମୀକ୍ଷା କରିଛନ୍ତି। ଏଥିସହ ରାଜ୍ୟ ପୋଲିସର ନୋଡାଲ ଅଧିକାରୀ ଏବଂ ଲ’ ଆଣ୍ଡ ଅର୍ଡର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଜଗମୋହନଙ୍କ ସହ ବସି ବୈଠକ କରିଥିଲେ। ଅଧିକାରୀମାନଙ୍କ କହିବା ଅନୁଯାୟୀ, ବୈଠକରେ ଆଇନ ବ୍ୟବସ୍ଥା ଏବଂ ନିର୍ବାଚନ ପ୍ରସ୍ତୁତିକୁ ନେଇ ଆଲୋଚନା ହୋଇଛି। ସେପଟେ ସ୍ୱତନ୍ତ୍ର ବ୍ୟୟ ପର୍ଯ୍ୟବେକ୍ଷକ ବି. ମୁରଲି କୁମାର ସୋମବାର କୋଲକାତାରେ ପହଞ୍ଚିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.