ଖୋର୍ଦ୍ଧା: ଚିଲିକା ସାନ ନାଇରୀ ଦଣ୍ଡା ସାହିରେ ଅଘଟଣ, ଗ୍ୟାସ ଲିକରୁ ନିଆଁ ଲାଗି ମହିଳା ଗୁରୁତର
ଟଙ୍ଗୀ(କେନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ସାନ ନାଇରୀ ଦଣ୍ଡା ସାହିରେ ଘଟିଛି ଅଘଟଣ । ନିଆଁରେ ପୋଡ଼ି ଗୁରୁତର ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ମହିଳାଙ୍କ ନାମ ଇନ୍ଦୁମତି ବେହେରା । ଇନ୍ଦୁମତି ଘରେ ରୋଷେଇ କରୁଥିବା ବେଳେ ଅଚାନକ ରୋଷେଇ ଗ୍ୟାସରୁ ନିଆଁ ଉପରକୁ ଉଠି ଘରର ଚାଳକୁ ଲାଗିଥିଲା । ଏହାପରେ ଚାହୁଁ ଚାହୁଁ ନିଆଁ ପାଖ ପଡ଼ୋଶୀଙ୍କ ଘରକୁ ମାଡି ଯାଇଥିଲା । ଗ୍ରାମବାସୀ ନିଆଁରୁ ପ୍ରଥମେ ଇଦୁମତୀଙ୍କୁ ଉଦ୍ଧାର କରିଥିଲେ । ସେତେବେଳକୁ ଇଦୁମତୀଙ୍କ ଶରୀର ପୋଡି ଗୁରୁତର ହୋଇଯାଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ଟାଙ୍ଗୀ ପରେ ଖୋର୍ଦ୍ଧା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟ ପଟେ ନିଆଁକୁ ଆୟତ୍ତ କରୁଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ଖବର ପାଇ ଗଙ୍ଗାଧରପୁର ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି।
ନିଆଁ ଆୟତ୍ତ ପରେ ଗ୍ରାମବାସୀ ମାନେ କହିଛନ୍ତି ଗଙ୍ଗାଧରପୁର ରେଳ ଷ୍ଟେସନ ଫାଟକ ଲାଗି ନିଆଁକୁ ଆୟତ୍ତ କରିବାରେ ବିଳମ୍ବ ହେଲା। ଟ୍ରେନ ଆସୁଥିବା ଯୋଗୁଁ ରେଳ ଫାଟକ କିଛି ସମୟ ପାଇଁ ବନ୍ଦ ରହିଥିଲା । ତେଣୁ ଅଗ୍ନିଶମ ବାହିନୀ ବିଳମ୍ବରେ ଅଗ୍ନିକାଣ୍ଡ ସ୍ଥଳରେ ପହଞ୍ଚିଥିଲେ। ଯଦି ଗେଟ୍ ପଡିନଥାନ୍ତି ତେବେ ତୁରନ୍ତ ପହଁଚି ନିଆଁକୁ ଆୟତ୍ତ କରାଯାଇପାରିଥାନ୍ତା ଓ ବ୍ୟାପକ କ୍ଷୟକ୍ଷତିରୁ କିଛି ଉପଶମ ମିଳିପାରିଥାନ୍ତା ।