ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା, ଆଗତ ମହାଭିଯୋଗ ପ୍ରସ୍ତାବ ପ୍ରତିନିଧି ସଭାରେ ଗୃହୀତ

ଆମେରିକା: ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା । ତାଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବ ପ୍ରତିନିଧି ସଭାରେ ଗୃହୀତ ହୋଇଛି । ଦୀର୍ଘ ୧୦ ଘଣ୍ଟାର ବିତର୍କ ପରେ ଭୋଟ୍‌ ଗ୍ରହଣ ହୋଇଥିଲା । ମହାଭିଯୋଗ ପ୍ରସ୍ତାବ ସପକ୍ଷରେ ୨୩୨ ଜଣ ସାଂସଦ ଭୋଟ୍‌ ଦେଇଥିବା ବେଳେ ପ୍ରସ୍ତାବ ବିରୋଧରେ ୧୯୭ ସାଂସଦ ଭୋଟ୍‌ ଦେଇଥିଲେ । ମହାଭିଯୋଗ ପାଇଁ ୨୧୮ ଜଣ ସାଂସଦଙ୍କ ଭୋଟ୍‌ ଆବଶ୍ୟକ । ପ୍ରସ୍ତାବ ସପକ୍ଷରେ ଭୋଟ୍‌ ଦେଇଥିବା ସାଂସଦଙ୍କ ମଧ୍ୟରେ ୨୨୨ ଜଣ ଡେମୋକ୍ରାଟ୍ସ ସାଂସଦ ଥିବା ବେଳେ ୧୦ ଜଣ ରିପବ୍ଲିକାନ୍‌ । ଗୋଟିଏ କାର୍ଯ୍ୟକାଳରେ ଦୁଇ ଥର ମହାଭିଯୋଗ ପ୍ରସ୍ତାବର ସମ୍ମୁଖୀନ ହେବାରେ ଟ୍ରମ୍ପ ହେଉଛନ୍ତି ପ୍ରଥମ ରାଷ୍ଟ୍ରପତି ।

ମହାଭିଯୋଗ ପ୍ରସ୍ତାବ ଗୃହୀତ ହେବା ପରେ ଏବେ ସମସ୍ତଙ୍କ ନଜର ସିନେଟ୍‌ ଉପରେ ରହିଛି । ଯଦି ସିନେଟ୍‌ରେ ମହାଭିଯୋଗ ପ୍ରସ୍ତାବ ପାସ୍‌ ହୋଇଯାଏ, ତେବେ ଡୋନାଲ୍ଡ ଟ୍ରମ୍ପଙ୍କୁ ନିର୍ଦ୍ଧାରିତ ସମୟ ପୂର୍ବରୁ ରାଷ୍ଟ୍ରପତି ପଦ ଛାଡିବାକୁ ପଡ଼ିବ । ରିପବ୍ଲିକାନ୍‌ମାନେ ୫୧-୫୦ରେ ସାମାନ୍ୟ ଆଗୁଆ ଥିବା ସଦନ ସିନେଟ୍‌ରେ ଏଥିପାଇଁ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଆବଶ୍ୟକ । ହ୍ଵାଇଟ୍‌ ହାଉସ୍‌ରେ ଟ୍ରମ୍ପଙ୍କ କାର୍ଯ୍ୟକାଳକୁ ଆଉ ମାତ୍ର ଏକ ସପ୍ତାହ ରହିଛି । ଜାନୁଆରୀ ୨୦ରେ ଜୋ ବାଇଡେନ୍‌ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେବେ । ବର୍ତ୍ତମାନ ସିନେଟ୍‌ ବନ୍ଦ ଥିବାରୁ ଜାନୁଆରୀ ୧୯ ସୁଦ୍ଧା ଖୋଲିବାର କାର୍ଯ୍ୟକ୍ରମ ନାହିଁ ।

କ୍ୟାପିଟଲ ବିଲଡିଂ ହିଂସା ପରେ ଆମେରିକାରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦରୁ ହଟାଇବା ପାଇଁ ଏପରି ପଦକ୍ଷେପ ନିଆଯାଇଛି । ମହାଭିଯୋଗ ପ୍ରସ୍ତାବ ପାରିତ ହେବା ପରେ ପ୍ରଥମ ପ୍ରତିକ୍ରିୟା ଦେଇ ଟ୍ରମ୍ପ କହିଛନ୍ତି, ସେ ହିଂସାର ବିରୋଧୀ । ତାଙ୍କ ପ୍ରକୃତ ସମର୍ଥକ କେବେ ବି ରାଜନୈତିକ ହିଂସା କରିବେ ନାହିଁ । ଆଇନ ଭାଙ୍ଗିବେ ନାହିଁ । ଯଦି ସେମାନେ ଏପରି କରୁଛନ୍ତି, ତେବେ ସେମାନେ ତାଙ୍କ ଆନ୍ଦୋଳନକୁ ସମର୍ଥନ କରୁନାହାନ୍ତି । ଦେଶ ଉପରେ ଆକ୍ରମଣ କରୁଛନ୍ତି । ଲୋକଙ୍କୁ ଏକାଠି ହୋଇ ରହିବା ପାଇଁ ଅପିଲ କରିଛନ୍ତି । ଏହା ସହ ହିଂସାରୁ ଦୂରେଇ ରହିବା ପାଇଁ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.