ରାଜଧାନୀରେ ବେକାବୁ ହେଲାଣି କରୋନା, ସମସ୍ତ ପ୍ରାଇଭେଟ୍‌ ଅଫିସ୍‌ ବନ୍ଦ କରିବାକୁ ନିର୍ଦ୍ଦେଶ

ଦେଶରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ଟିକା ନେଇସାରିଥିଲେ ମଧ୍ୟ ସଂକ୍ରମଣ କମିବାର ନାଁ କିନ୍ତୁ ଧରୁନି। ଏବେ ତୃତୀୟ ଲହର ରୂପେ ଓମିକ୍ରନ୍‌ ସାରା ଦେଶରେ କାୟା ବିସ୍ତାର କରିସାରିଲାଣି। ତେବେ ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ବଢ଼ୁଥିବା ଦେଖି ରାଜ୍ୟ ସରକାର କଠୋର ହୋଇଛନ୍ତି। ଦିଲ୍ଲୀରେ ଗୋଟିଏ ପରେ ଗୋଟିଏ ପ୍ରତିବନ୍ଧକ ଲାଗୁ କରାଯାଉଛି। ମଙ୍ଗଳବାର ଦିନ ଜାରି ଗାଇଡ୍‌ ଲାଇନ୍‌ ମୁତାବକ, ଏବେ ଦିଲ୍ଲୀରେ ଜରୁରୀ କାଳୀନ ସେବା ସହ ଜଡ଼ିତ ଅଫିସ୍‌କୁ ବାଦ୍‌ ଦେଇ ବାକି ସବୁ ପ୍ରାଇଭେଟ୍‌ ଅଫିସ୍‌ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାଇଭେଟ୍‌ ଅଫିସର କର୍ମଚାରୀଙ୍କୁ ଘରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ ଯେ ଦିଲ୍ଲୀରେ ହୁ ହୁ ହୋଇ କରୋନା ସଂକ୍ରମଣ ବ୍ୟାପୁଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ଶକ୍ତ ହୋଇଛନ୍ତି। ସୋମବାର ଦିନ କରୋନା ସଂକ୍ରମଣ ରୋକିବାକୁ ସରକାରଙ୍କ ପକ୍ଷରୁ ସମସ୍ତ ରେସ୍ତୋରାଁ ଓ ବାର୍‌ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଲୋକମାନେ କେବଳ ହୋଟେଲରୁ ଖାଦ୍ୟ ନେଇପାରିବେ ବୋଲି କୁହାଯାଇଥିଲା।

ତେବେ ଆଜି ପୁଣିଥରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ନୂଆ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ସମସ୍ତ ବେସରକାରୀ ଅଫିସ୍‌କୁ ତୁରନ୍ତ ବନ୍ଦ କରାଯାଉ। ଜରୁରୀକାଳୀନ ସେବା ସହ ଜଡ଼ିତ ଅଫିସ୍‌କୁ ବାଦ୍‌ ଦେଇ ବାକି ଅବୁ ଅଫିସ୍‌ ଉପରେ ଏହି ନିୟମ ଲାଗୁ ହେବ ବୋଲି ଗାଇଡ୍‌ଲାଇନ୍‌ରେ ସ୍ପଷ୍ଟ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.