ସମ୍ପର୍କଠାରୁ ବଳିଗଲା ସମ୍ପତ୍ତି; ମା’ଙ୍କୁ ହତ୍ୟା ପରେ ମୃତଦେହକୁ ଚାଦରରେ ବାନ୍ଧି ମନ୍ଦିର ନିକଟରେ ଫିଙ୍ଗିଦେଲେ ପୁଅ-ବୋହୂ

ନୂଆଦିଲ୍ଲୀ : ସଂପତ୍ତି ଲୋଭରେ ମାକୁ ମାରିଲା ପୁଅ । କେବଳ ମାରିଲା ନାହିଁ ହତ୍ୟା ପରେ ପୁଅ ଓ ବୋହୂ ମୃତ ଦେହକୁ ମନ୍ଦିର ନିକଟରେ ଫିଙ୍ଗି ଦେଇଆସିଲେ । ଉତ୍ତର ପ୍ରଦେଶର ବୁଲନ୍ଦସହର ଅଞ୍ଚଳର ଖୁର୍ଜା ନଗରରେ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା । ଏହି ଜଘନ୍ୟ କାମରେ ବୋହୂଙ୍କର ଭାଇ ମଧ୍ୟ ସହଯୋଗ କରିଛି । ପୁଲିସ ୩ ଜଣଙ୍କୁ ଗିରଫ କରିଛି । କୁହାଯାଉଛି ଯେ ସଂପତ୍ତିକୁ ନେଇ ଏହି ହତ୍ୟାକାଣ୍ଡ ହୋଇଛି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପୁଅ ଯୋଗେଶ, ତାଙ୍କ ପତ୍ନୀ ସୀମା ଏବଂ ତାଙ୍କ ଭାଇ ନବୀନଙ୍କୁ ପଚରାଉଚରା ବେଳେ ସମ୍ପତ୍ତି ବିବାଦ କାରଣରୁ ବୃଦ୍ଧାଙ୍କୁ ହତ୍ୟା କରାଯାଇଛି ବୋଲି ଖବର ମିଳିଛି । କୌଣସି ଏକ ଓଜନିଆ ଅସ୍ତ୍ରରେ ବରିଷ୍ଠ ମହିଳାଙ୍କୁ ହତ୍ୟା କରିଦିଆଯାଇଛି । ଏହା ପରେ ମୃତଦେହକୁ ଏକ ଚାଦରରେ ବାନ୍ଧି ଗାଁ ମନ୍ଦିର ନିକଟରେ ଫିଙ୍ଗି ଦିଆଯାଇଛି । ସ୍ଥାନୀୟ ଲୋକେ ମହିଳାଙ୍କ ମୃତଦେହ ଦେଖି ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କଲା ପରେ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।

ଅନ୍ୟପଟେ ମୃତ ବୃଦ୍ଧ ମହିଳାଙ୍କ ଝିଅ ମାନେ ଅଭିଯୋଗ କରିଛନ୍ତି ଯେ ସମ୍ପତ୍ତି ବିବାଦରେ ଭାଇ ପୂର୍ବରୁ ଅନେକ ଥର ମାଙ୍କୁ ଧମକ ଦେଉଥିଲା। ଭାଇ , ଭାଉଜ ସମ୍ପତ୍ତି ପାଇଁ ତାଙ୍କ ମା’ଙ୍କୁ ହତ୍ୟା କରିଛନ୍ତି ବୋଲି ପୋଲିସ ଆଗରେ କହିଛନ୍ତି । ଏଥିସହିତ ମୃତକ ମହିଳାଙ୍କ ସାନପୁଅ ନିଜର ଭାଇ ଓ ଭାଉଜଙ୍କ ଉପରେ ହତ୍ୟା ସନ୍ଦେହ କରିଥିଲା । ପୁଲିସ ଅଭିଯୁକ୍ତ ସ୍ୱାମୀ ଓ ସ୍ତ୍ରୀଙ୍କୁ ଗିରଫ କରି ପଚରାଉଚରା କଲା ବେଳେ ୩ୟ ଅଭିଯୁକ୍ତର ନାଁ ସାମ୍ନାକୁ ଆସିଥିଲା । ତିନିଟି ଘର ଓ ଦୋକାନ ବରିଷ୍ଠ ମହିଳାଙ୍କ ନାଁରେ ଥିଲା, ଯାହାକୁ ନେଇ ବିବାଦ ଦେଖାଯାଇଥିଲା ବୋଲି ପୋଲିସ କହିଛି । ତେବେ ଜଣେ ପୁଅ ବୋହୂ ସମ୍ପତ୍ତି ପାଇଁ ଜନ୍ମଦେଇଥିବା ମାଆକୁ ଜୀବନରୁ ମାରିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତ୍ରୀବ ନିନ୍ଦା କରାଯାଉଥିବାର ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.