ପ୍ରତିରକ୍ଷା ମନ୍ତ୍ରାଳୟରୁ ଚୋରି ହୋଇଛି ରାଫେଲ୍ ଡିଲର ଗୁପ୍ତ ଦସ୍ତାବିଜ୍

ପ୍ରତିରକ୍ଷା ମନ୍ତ୍ରାଳୟରୁ ଚୋରି ହୋଇଛି ରାଫେଲ ଦସ୍ତାବିଜ୍। ଏହାର ତଦନ୍ତ ଚାଲିଛି। ଯେଉଁମାନେ ଚୋରି ହୋଇଥିବା ଦସ୍ତାବିଜ ତଥ୍ୟ ପ୍ରକାଶ କରିଛନ୍ତି ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ଚିନ୍ତା କରାଯାଉଛି। ସୁପ୍ରିମକୋର୍ଟରେ ଆଜି ରାଫେଲ ମାମଲାର ପୁନଃ ବିଚାର ପାଇଁ ଆବେଦନର ଶୁଣାଣି ବେଳେ ଏହି ତଥ୍ୟ ରଖିଛନ୍ତି ସରକାର। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୪ ତାରିଖରେ ହେବ।
କୋର୍ଟକୁ ପୁଣି ଫେରିଲା ରାଫେଲ। ଆଇନଗତ ଯୁଦ୍ଧ ଭିତରେ ଆଜି ଆସିଥିଲା ଅନେକ ଟ୍ଵିଷ୍ଟ ଆଣ୍ଡ ଟର୍ଣ୍ଣ। ମାମଲର ଶୁଣାଣି କରିଥିଲେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ଏସ୍ କେ କୌଲ ଓ ଜଷ୍ଟିକ କେ ଏମ୍ ଜୋଶେଫ। ସରକାରଙ୍କ ତରଫରୁ ଆଟର୍ଣ୍ଣି ଜେନେରାଲ କେ କେ ଭେନୁଗୋପାଳ କହିଥିଲେ, ଆବେଦନକାରୀ ଯେଉଁ ଦସ୍ତବିଜ୍ ଆଧାରରେ ଆବେଦନ କରିଛନ୍ତି ତାହା ପ୍ରତିରକ୍ଷା ମନ୍ତ୍ରାଳୟରୁ ଚୋରି ହୋଇଛି। ରାଫେଲ ଡିଲ୍ ଦସ୍ତାବିଜ୍ ଗୋପନୀୟ ବର୍ଗରେ ଆସୁଛି। ତଥ୍ୟ ଉନ୍ମୋଚନ କରିବା ଅର୍ଥ ଅଫିସିଆଲ ସିକ୍ରେଟ୍ ଆକ୍ଟର ଉଲ୍ଲଂଘନ। ଯେହେତୁ ଚୋରି ତଥ୍ୟ ଉପରେ ଆବେଦନ ହୋଇଛି, ତେଣୁ ଆବେଦନକାରୀଙ୍କ ରିଭ୍ୟୁ ପିଟିସନ ଖାରଜ କରାଯାଉ। ଦସ୍ତାବିଜ୍ ଗୁଡିକ ପ୍ରତିରକ୍ଷା ମନ୍ତ୍ରାଳୟର ବର୍ତ୍ତମାନର କିମ୍ବା ପୂର୍ବତନ କର୍ମଚାରୀଙ୍କ ଦ୍ୱାରା ଚୋରି ହୋଇଛି।
କୌଣସି ଏଫଆଇଆର ହୋଇ ନଥିଲେ ମଧ୍ୟ ତାର ତଦନ୍ତ ଜାରି ରହିଛି। ଏହି ଦସ୍ତାବିଜ୍ ସାଧାରଣରେ ପ୍ରକାଶ ହେବା କଥା ନୁହଁ। ଏହା କହି ହିନ୍ଦୁ ଖବର କାଗଜ ଉପରେ ଅଭିଯୋଗ ଆଣିଥିଲେ କେ କେ ଭେନୁଗୋପାଳ। ଆବେଦନକାରୀ ଓ ଖବର ପ୍ରକାଶ କରିଥିବା ଗଣମାଧ୍ୟମ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ମଧ୍ୟ ସରକାର ଚିନ୍ତା କରୁଛନ୍ତି ବୋଲି ସେ କହିଛନ୍ତି। ଏହାସହ ଆବେଦନକାରୀ କେଉଁ ସୂତ୍ରରୁ ଦସ୍ତାବିଜ ପାଇଲେ ସେ ସବୁ କୋର୍ଟରେ ଜଣାନ୍ତୁ ବୋଲି ଭେନୁଗୋପାଳ କହିଛନ୍ତି। ସେପଟେ ଆବେଦନକାରୀଙ୍କ ଯୁକ୍ତି ଥିଲା, ଟୁଜି ମାମଲାରେ ମଧ୍ୟ ବିଭିନ୍ନ ସୂତ୍ରରୁ ଗୋପନୀୟ ତଥ୍ୟ ଅଣାଯାଇଥିଲା।
ଏ ମାମଲାରେ ଯଦି ବର୍ତ୍ତମାନ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଏ ତେବେ ଦେଶର କ୍ଷତି ହେବ ବୋଲି ସରକାର କହିଥିଲେ। କୋର୍ଟ ପଚାରିଥିଲେ ଯଦି ଦୁର୍ନୀତି ହୋଇଥିବା ତେବେ ଏହି ଦସ୍ତାବିଜ ଗୁଡିକୁ କୋର୍ଟ ଦେଖିବେ ନା ନାହିଁ। ଭେନୁଗୋପାଳ କହିଥିଲେ, ଯେ ହେତୁ ଅଫିସିଆଲ୍ ସିକ୍ରେଟ୍ ଆକ୍ଟରେ ଆସୁଛି ତେଣୁ ଦସ୍ତାବିଜ ଦେଖିବା ଉଚିତ ନୁହଁ। ଏହା ଉପରେ ସରକାରଙ୍କ ଉପରେ ବର୍ଷିଥିଲେ କୋର୍ଟ। ଜଷ୍ଟିସ ଏସ୍ କେ କୌଲ କହିଥିଲେ, ଯଦି ଦସ୍ତାବିଜ୍ ଚୋରି ହୋଇଛି ତେବେ ନିଜ ଘର ଆଗ ସଜାଡ଼। କିନ୍ତୁ ଦସ୍ତବିଜ ନ ଦେଖିବାକୁ କହିବା ଆଇନଗତ ଭାବେ ଠିକ୍ ନୁହଁ।
ଆଇନଗତ ଯୁଦ୍ଧରେ ଉଠିଥିଲେ ଭାରତ-ପାକ୍ ଉତ୍ତେଜନା କଥା। ଭେନୁଗୋପାଳ କହିଥିଲେ, ବିନା ରାଫେଲରେ ଏଫ-୧୬କୁ ଅଟକାଇ ହେବ ନାହିଁ। ଦେଶର ସୁରକ୍ଷା ପାଇଁ ରାଫେଲ ଜରୁରୀ। ଜଷ୍ଟିସ କେ ଏମ୍ ଜୋଶେଫ କହିଥିଲେ, ଯଦି କିଛି ବଡ଼ ଅପରାଧ ହୋଇଛି, ତାହା ହେଲେ ଦେଶର ସୁରକ୍ଷା ନାଁରେ ଆଶ୍ରୟ ନେଇ ହେବ କି?
ପୂର୍ବରୁ ଅରୁଣ ସୌରୀ, ପ୍ରଶାନ୍ତ ଭୂଷଣ ଓ ଯଶୱନ୍ତ ସିହ୍ନା ରାଫେଲ କିଣାରେ ଅନିୟମିତତା ନେଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କିନ୍ତୁ କୌଣସି ଅନିୟମିତତା ହୋଇ ନଥିବା କହି ଆବେଦନକୁ କୋର୍ଟ ଖାରଜ କରିଥିଲେ। କିନ୍ତୁ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୁଚାଇଥିବା କହି ମାମଲରା ପୁନଃ ବିଚାର ପାଇଁ ଆବେଦନ ହୋଇଛି। ଏହି ଆବେଦନରେ ଅନେକ ତଥ୍ୟ କୋର୍ଟ ଆଗରେ ଉପସ୍ଥାପନ କରିଛନ୍ତି ଆବେଦନକାରୀ। ଯାହାକୁ ଚୋରି ହୋଇଥିବା ଦସ୍ତାବିଜ୍ ବୋଲି କହିଛନ୍ତି ସରକାର। ଏ ମାମଲା କେଉଁ ଦିଗକୁ ଗତି କରୁଛି ତା ଉପରେ ସମସ୍ତଙ୍କ ନଜର ରହିଛି। ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୪ ତାରିଖରେ ରହିଛି।