ଜେଏନୟୁରେ ରାଗିଙ୍ଗ: କୁହାଗଲା, ‘ବିହାରୀ ତୁମେ?’, ହଁ କହିବାରୁ କାନ ଧରେଇ କରାଇଲେ ଉଠ୍ ବସ୍

ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ(ଜେଏନୟୁ)ର ଜଣେ ବିଏ ପ୍ରଥମ ବର୍ଷର ଛାତ୍ରଙ୍କୁ ରାଗିଙ୍ଗ ହୋଇଥିବା ନେଇ ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଛାତ୍ର ଜଣକ ଟୁଇଟରରେ ମଧ୍ୟ ଏମଏଚଆରଡି ଏବଂ ବିଶ୍ବବିଦ୍ୟାଳୟ କୁଳପତିଙ୍କ ଉଦ୍ଦେଶ୍ୟରେ ଅଭିଯୋଗ ଜଣାଇଛନ୍ତି। ଛାତ୍ରଙ୍କ କହିବାନୁଯାୟୀ, ଜଣେ ପିଏଚଡି ସ୍କଲାର ପ୍ରଥମେ ତାଙ୍କୁ ପଚାରିଥିଲେ କି, ତୁମେ ବିହାରୀ କି, ଯେତେବେଳେ ସେ ହଁ ବୋଲି ଉତ୍ତର ଦେଇଥିଲେ, ପିଏଚଡି ଛାତ୍ର ତାଙ୍କୁ ବାଡ଼େଇଥିଲେ ଏବଂ କାନ ଧରେଇ ଉଠ୍ ବସ୍ କରାଇଥିଲେ।

ଘଟଣାଟି ଜୁଲାଇ ୧୮ ତାରିଖର ବୋଲି କୁହାଯାଉଛି। ତେବେ ଏହି ମାମଲା ସେତେବେଳେ ପଦାକୁ ଆସିଥିଲା, ଯେତେବେଳେ ପୀଡ଼ିତ ଛାତ୍ର ଜେଏନୟୁ ଆଣ୍ଟି ରାଗିଙ୍ଗ କମିଟି ଏବଂ ବସନ୍ତ କୁଞ୍ଜ ଉତ୍ତର ଥାନା ପୋଲିସ ଆଗରେ ଅଭିଯୋଗ କରିଥିଲେ। ସୂଚନା ମୁତାବକ, ପୋଲିସ ଅଭିଯୁକ୍ତ ଛାତ୍ରଙ୍କ ଉପରେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।

ଏହାସହ ପଢ଼ନ୍ତୁ: ଏ କି ପ୍ରେମ ! ଘର ଲୋକଙ୍କୁ ସାକ୍ଷାତ କରିବା ବାହାନାରେ ପ୍ରେମିକାକୁ ପାହାଡରୁ ଠେଲି ଦେଲା ପ୍ରେମିକ

ପୀଡ଼ିତ ଛାତ୍ରଙ୍କ ଅଭିଯୋଗ ଅନୁଯାୟୀ, ସେ ଜେଏନୟୁର ସେଣ୍ଟର ଅଫ୍ ଜର୍ମାନ ଷ୍ଟଡିଜରେ ବିଏ ପାଠ୍ୟକ୍ରମରେ ଜୁଲାଇ ୧୦ ତାରିଖରେ ନାମ ଲେଖାଇଥିଲେ। ଆଡମିଶନର ୮ ଦିନ ପରେ ଅର୍ଥାତ ଜୁଲାଇ ୧୮ରେ ସେଣ୍ଟର ଫର୍ ଇଂଲିଶ୍ ଷ୍ଟଡିଜର ଜଣେ ଛାତ୍ର ତାଙ୍କର ଅନ୍ୟ ଦୁଇ ସାଙ୍ଗଙ୍କ ସହ ଆସି ତାଙ୍କ ପାଖରେ ପହଞ୍ଚିଥିଲେ।

ଅଭିଯୁକ୍ତ ଜଣକ ଛାତ୍ରଙ୍କ ପାଖକୁ ଆସି ତାଙ୍କ ଘରର ଠିକଣା ପଚାରିଥିଲେ। ଯେତେବେଳେ ଜଣାପଡ଼ିଥିଲା କି ସେ ବିହାରୀ ବୋଲି, ସଙ୍ଗେ ସଙ୍ଗେ ତାଙ୍କୁ ଗାଳି ହୋଇଥିଲା। ଅଭିଯୁକ୍ତ ପୀଡ଼ିତଙ୍କୁ ଧମକାଇଥିଲେ ଯେ ଠିକରେ ରୁହ, ଏହା ଦିଲ୍ଲୀ। ଏହାପରେ ଛାତ୍ରଙ୍କୁ ଚାପୁଡ଼ା ମଧ୍ୟ ମାରିଥିଲେ ଏବଂ ଉଠ୍ ବସ୍ କରାଇଥିଲେ। ଆଉ ଥରେ ଦେଖାହେଲେ ନାକ ରଗଡ଼ି ତାଙ୍କୁ ପ୍ରଣାମ କରିବାକୁ ଉକ୍ତ ପିଏଚଡି ଛାତ୍ର କହିଥିବା ପୀଡ଼ିତ ଛାତ୍ର ଅଭିଯୋଗରେ ଦର୍ଶାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.