ଅଭିଯୋଗ କରିବାକୁ ଥାନାକୁ ଯାଇଥିଲେ ମହିଳା, କିନ୍ତୁ ୩ ଦିନ ଧରି ଦୁଷ୍କର୍ମ କଲେ ଏସ୍‌ଆଇ

ସାରା ବିଶ୍ୱରେ ଆଜି ମହିଳା ଦିବସ ପାଳିତ ହେଉଥିଲେ ମଧ୍ୟ ସତରେ କ’ଣ ମହିଳା ସୁରକ୍ଷିତ! ପ୍ରତିଦିନ ଖବରକାଗଜରେ, ନ୍ୟୁଜ୍‌ରେ ଓ ଟିଭିରେ ମହିଳାଙ୍କ ଉପରେ ନିର୍ଯାତନା ହେଉଥିବା ଖବର ସାମ୍ନାକୁ ଆସୁଛି। ତେବେ ରାଜସ୍ଥାନର ଅଲବର ଜିଲ୍ଲାରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଏଠାରେ ରକ୍ଷକ ହିଁ ସାଜିଛି ଭକ୍ଷକ। ଅଲବର ଜିଲ୍ଲାରେ ଥାନାକୁ ଅଭିଯୋଗ କରିବାକୁ ଆସିଥିବା ଜଣେ ମହିଳାଙ୍କୁ ଖୋଦ୍‌ ଏସ୍‌ଆଇ ଲଗାତାର ୩ ଦିନ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣା ସାମ୍ନାକୁ ଆସିବା ପରେ ଉକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଜଣାଯାଇଛି।

ମିଳିଥିବା ସୂଚନାନୁସାରେ, ଅଲବର ଜିଲ୍ଲାର ଖେଡଲି ଥାନାରେ କାର୍ଯ୍ୟରତ ସବ୍‌ ଇନ୍‌ସପେକ୍ଟର ଭରତ ସିଂହଙ୍କ ନିକଟକୁ ଜଣେ ୨୬ ବର୍ଷୀୟା ମହିଳା ଅଭିଯୋଗ କରିବାକୁ ଆସିଥିଲେ। ସେ ନିଜ ସ୍ୱାମୀଙ୍କ ବିରୋଧରେ ଯୌତୁକ ନିର୍ଯାତନା ଦେଉଥିବା ନେଇ ଏଫ୍‌ଆଇଆର୍‌ ଲେଖିବାକୁ ଆସିଥିଲେ। ମାତ୍ର ଏସ୍‌ଆଇ ଜଣକ ଅଭିଯୋଗ ଗ୍ରହଣ କରିବା ବଦଳରେ ଲଗାତାର ୩ ଦିନ ଧରି ତାଙ୍କୁ ଦୁଷ୍କର୍ମ କରି ଆସୁଥିଲେ। ଏନେଇ ମହିଳା ଜଣକ ମୁହଁ ଖୋଲିବା ପରେ ପୋଲିସ ବିଭାଗରେ ଭୂକମ୍ପ ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ ଉକ୍ତ ପୋଲିସ ବାବୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଇଜି ଓ ଏସ୍‌ପି ଉଭୟ ଥାନାରେ ପହଞ୍ଚିଛନ୍ତି।

ଏହି ଘଟଣା ବାବଦରେ ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ କହିଛନ୍ତି ଯେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ କୌଣସି ମହିଳା ନିଜ ଉପରେ ହୋଇଥିବା ଅତ୍ୟାଚାର ବିରୋଧରେ ଥାନାକୁ ଯିବାକୁ ବି ଡରିବ। ଉକ୍ତ ମହିଳାଙ୍କ ଉପରେ ସମସ୍ତେ ଅନ୍ୟାୟ କରିଛନ୍ତି। ଏଣୁ ତୁରନ୍ତ ତାଙ୍କୁ ନ୍ୟାୟ ଦେବାକୁ ଦାବି ହୋଇଛି।