୨୬/୧୧ ମୁମ୍ବାଇ ଆକ୍ରମଣକୁ ମନେ ପକାଇଲେ ରତନ ଟାଟା, ପୋଷ୍ଟ କଲେ ଏମିତି ଏକ ଭାବବିହ୍ୱଳ ପୋଷ୍ଟ

୨୬/୧୧ ମୁମ୍ବାଇ ଆକ୍ରମଣକୁ ଆଜି ଠିକ ୧୨ ବର୍ଷ ପୁରିଛି । ୨୦୦୮ ମସିହା ଆଜିର ଦିନରେ ହୋଇଥିବା ଏହି ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ଗଡିଥିଲା ଶହ ଶହ ମୁଣ୍ଡ । ଏହି ଘଟଣାରେ ଭାରତର ଅନେକ ସୁରକ୍ଷା କର୍ମୀଙ୍କ ସମେତ ୧୬୦ ଜଣ ନିରୀହ ସାଧାରଣ ଲୋକଙ୍କ ଜୀବନ ଯାଇଥିଲା । ଯେବେକି ୩୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ । ଦୀର୍ଘ ୬୦ ଘଣ୍ଟା ଧରି ଚାଲିଥିବା ଏହି ଅପରେସନରେ ସୁରକ୍ଷା ବଳଙ୍କ ଗୁଳି ମାଡ଼ରେ ଟଳି ପଡ଼ିଥିଲେ ୯ ଜଣ ଦୁର୍ଦ୍ଦାନ୍ତ ଆତଙ୍କୀ । ଛତ୍ରପତି ଶିବାଜୀ ଟର୍ମିନାଲ, ରେଳ ଷ୍ଟେସନ, ନରିମନ ହାଉସ କମ୍ପ୍ଲେକ୍ସ, ଲିପଲଡ କ୍ୟାଫେ, ତାଜ ହୋଟେଲ ସମେତ ଟାୱାର, ଓବରୟ ଟ୍ରାଇଡେଣ୍ଟ ହୋଟେଲକୁ ଟାର୍ଗେଟ କରିଥିଲେ ଏହି ଦୁର୍ଦ୍ଦାନ୍ତ ଆତଙ୍କବାଦୀ । ଦୀର୍ଘ ୬୦ ଘଣ୍ଟା ଧରି ଚଳାଇଥିଲେ ଭୟଙ୍କର ତାଣ୍ଡବ । ଏହି ଦୁଖଦ ଘଟଣାକୁ ୧୨ ବର୍ଷ ବିତି ଯାଇଥିଲେ ମଧ୍ୟ ଏହାର ଚିତ୍ର ଏବେ ଯାଏଁ ମନରୁ ଲିଭିନାହିଁ ।

ଏହି ଦିନକୁ ମନେ ପକାଇ ଟାଟା ଗ୍ରୁପର ପୂର୍ବ ଚ୍ୟରମ୍ୟାନ ତଥା ପ୍ରଖ୍ୟାତ ଇଣ୍ଡଷ୍ଟ୍ରିଆଲିଷ୍ଟ ରତନ ଟାଟା ନିଜ ଟ୍ୱିଟର ଆକାଉଣ୍ଟରେ ତାଜ ହୋଟେଲର ଏକ ପେଣ୍ଟିଙ୍ଗ ପୋଷ୍ଟ କରିବା ସହ ଏକ ଭାବବିହ୍ୱଳ ମେସେଜ ସେୟାର କରିଛନ୍ତି । ପେଣ୍ଟିଙ୍ଗ ଟିର କ୍ୟାପ୍ସନରେ ଲେଖିଛନ୍ତି “ଆମର ମନେ ଅଛି. ଆଜକୁ ଠିକ ୧୨ ବର୍ଷ ତଳେ ଯେଉଁ ବିନାଶ ହୋଇଥିଲା ତାହାକୁ କେବେ ହୁଏତ ଭୁଲିହେବନି । କିନ୍ତୁ ଏପରି ଏକ ଦୁଃସ୍ଥିତି ସମୟରେ ମୁମ୍ବାଇ ଜନତା ଯେମିତି ସାହାସିକତାର ସହ ଏକାଠି ହୋଇଥିଲେ ତାହା ପ୍ରଶଂସା ଯୋଗ୍ୟ । ଶତ୍ରୁ କବଳରୁ ଦେଶକୁ ରକ୍ଷା କରିବା ପାଇଁ ଆମ ଯବାନ ମାନେ ସେ ସମୟରେ ଯେଉଁ ବଳିଦାନ ଦେଇଛନ୍ତି ସେମାନଙ୍କ ସ୍ମୃତିକୁ ଆମ ଚିର ଦିନ ପାଇଁ ମନେ ରଖିବା ଉଚିତ ।”

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.