ଶାରୀରିକ ସମ୍ବନ୍ଧ ରଖି ବିବାହ ପାଇଁ ମନା କରି ପାରିବ ପ୍ରେମିକ! ଏହା କୌଣସି ପ୍ରତାରଣା ନୁହେଁ, ଏମିତି ଟିପ୍ପଣୀ ଦେଲେ ବମ୍ବେ ହାଇକୋର୍ଟ; ନିର୍ଦ୍ଦୋଷରେ ଅଭିଯୁକ୍ତ ଖଲାସ୍‌

ଲମ୍ବା ସମୟ ଧରି ଶାରୀରିକ ସମ୍ପର୍କ ରଖିବା ପରେ ଯଦି କେହି ବିବାହ କରିବାକୁ ମନା କରି ଦିଅନ୍ତି, ତ ତାଙ୍କୁ ଧୋକାବାଜ ବା ପ୍ରତାରକ ବୋଲି କୁହାଯାଇ ପାରିବ ନାହିଁ। ନିମ୍ନ ଅଦାଲତଙ୍କ ପକ୍ଷରୁ ଜଣେ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରାଯିବାର ନିଷ୍ପତ୍ତିକୁ ବଦଳାଇ ବମ୍ବେ ହାଇକୋର୍ଟ ଏହି ଟିପ୍ପଣୀ ଦେଇଛନ୍ତି। ପାଲଘରର ବାସିନ୍ଦା କାଶୀନାଥ ଘରାତଙ୍କ ବିରୋଧରେ ତାଙ୍କ ପ୍ରେମିକା ଏକ ଅଭିଯୋଗ କରିଥିଲେ, ଯାହାକୁ ଭିତ୍ତି କରି ପୋଲିସ ଧାରା ୩୭୬ ଏବଂ ୪୧୭ ଅନୁଯାୟୀ ଦୁଷ୍କର୍ମ ଓ ପ୍ରତାରଣା ମାମଲା ରୁଜୁ କରିଥିଲା। ପ୍ରେମିକା ଅଭିଯୋଗ କରିଥିଲେ କି, ବିବାହର ପ୍ରତିଶ୍ରୁତି ଦେଇ କାଶୀନାଥ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଏବଂ ପରେ ପ୍ରତିଶ୍ରୁତି ପାଳନ କରି ନ ଥିଲେ। ଏହି ମାମଲାରେ ୧୯ ଫେବୃଆରୀ ୧୯୯୯ରେ ଅତିରିକ୍ତ ସେସନ ଜଜ୍ କାଶୀନାଥଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯଦିଓ ନିର୍ଦ୍ଦୋଷରେ ଖଲାସ କରିଥିଲେ, କିନ୍ତୁ ପ୍ରତାରଣା ମାମଲାରେ ଦୋଷୀ ସାବ୍ୟସ୍ତ କରି ଦେଇଥିଲେ।

ତିନି ବର୍ଷ ଧରି ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିବା ଏବଂ ପରେ ଏଥିରୁ ଓହରିଯିବା ଅଭିଯୋଗରେ କୋର୍ଟ କାଶୀନାଥଙ୍କୁ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। କାଶୀନାଥ ଏହି ଆଦେଶକୁ ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ, ଯେଉଁଠାରେ ଜଷ୍ଟିସ ଅନୁଜା ପ୍ରଭୁଦେସାଇଙ୍କର ଏକକ ବେଞ୍ଚ ତାଙ୍କୁ ପ୍ରତାରଣା ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଥିଲା। ଜଷ୍ଟିସ୍ ପ୍ରଭୁଦେସାଇ କହିଥିଲେ, ତଥ୍ୟ କହୁଛି ଯେ ମହିଳା ଏବଂ ଅଭିଯୁକ୍ତଙ୍କ ମଧ୍ୟରେ ତିନି ବର୍ଷ ଧରି ଶାରୀରିକ ସମ୍ପର୍କ ରହିଥିଲା ଏବଂ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ମହିଳାଙ୍କ ବୟାନରୁ ଏହା ପ୍ରମାଣିତ ହେଉ ନାହିଁ ଯେ ତାଙ୍କୁ କୌଣସି ପ୍ରକାର ଧୋକାରେ ୩ ବର୍ଷ ଧରି ରଖା ଯାଇଥିଲା।

ଶୁଣାଣି ସମୟରେ ହାଇକୋର୍ଟ ଏମିତି ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଗୁରୁତ୍ୱ ଦେଇଥିଲେ। କୋର୍ଟ କହିଥିଲେ ଯେ ଏହା ପ୍ରମାଣିତ ହେବା ଉଚିତ୍ ଯେ ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେବା ବେଳେ ମିଥ୍ୟା ତଥ୍ୟ ରଖାଯାଇଥିଲା ଏବଂ ପରେ ସେହି କଥାଗୁଡ଼ିକ ଭୁଲ ପ୍ରମାଣିତ ହୋଇଥିଲା। କୋର୍ଟ କହିଥିଲେ, ଦୁଇଟି କଥା ପ୍ରମାଣିତ ହେବା ଉଚିତ। ପ୍ରଥମତଃ ମିଥ୍ୟା ତଥ୍ୟ ଦେଇ ବିବାହ ବିଷୟରେ ଆଲୋଚନା କରାଯାଇଥିଲା ଏବଂ ଦ୍ୱିତୀୟରେ ପ୍ରତିଶ୍ରୁତି ଭୁଲ୍ ଥିଲା, ଯାହା ପ୍ରଲୋଭନରେ ଆସି ମହିଳା ଯୌନ ସମ୍ପର୍କ ରଖିବାକୁ ରାଜି ହୋଇଥିଲେ।

ଭୁଲ ତଥ୍ୟ ଦେଇ ଯୌନ ସମ୍ପର୍କ ରଖିବାର ପ୍ରମାଣ ନାହିଁ

ହାଇକୋର୍ଟ କହିଥିଲେ ଯେ ଏହି ମାମଲାରେ ଏ ନେଇ କୌଣସି ପ୍ରମାଣ ମିଳୁନାହିଁ କି, ଅଭିଯୁକ୍ତ ମହିଳାଙ୍କୁ ବିବାହ କରିବାକୁ ଚାହୁଁ ନ ଥିଲେ। ଏଠାରେ ଏହି କଥା ପ୍ରମାଣ କରିବା ପାଇଁ ପର୍ଯ୍ୟାପ୍ତ ତଥ୍ୟ ନାହିଁ ଯେ ମହିଳାଙ୍କୁ ମିଥ୍ୟା ତଥ୍ୟ ଦେଇ ଅଭିଯୁକ୍ତ ଯୌନ ସମ୍ବନ୍ଧ ପାଇଁ ରାଜି କରାଇଥିଲେ। ଏମିତିରେ ତାଙ୍କୁ ଲମ୍ବା ରିଲେସନସିପ୍‌ ପରେ ବିବାହ କରିବାକୁ ମନା କରିବାରେ ଦୋଷୀ ସାବ୍ୟସ୍ତ କରାଯାଇ ପାରିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.