କରୋନା ପୁଣି ଦେଖାଉଛି କରୁଣ ଚିତ୍ର, ପୁଅ ଜାଣିନି ଯେ ବାପା ମାଆ କେବେଠାରୁ ମରିଗଲେଣି

ମୁମ୍ବାଇ : ପୁଣି ସେଇ କରୋନାର କରୁଣ ଚିତ୍ର । ଯାହା ଦେଖିବାକୁ ମିଳିଥିଲା ବର୍ଷେ ତଳେ । ଏବେବି ସେହି ସ୍ଥିତି । ମୁମ୍ବାଇରେ ଥିବା କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କୋଭିଡ୍‌ରେ ସଂକ୍ରମିତ ହେଲେ । ତା ପରେ ପରିବାର ସାରା ତାଙ୍କ ପତ୍ନୀ, ବାପା ଓ ମା ଏବଂ ୧୨ ବର୍ଷର ପୁଅ ବି ପରୀକ୍ଷା କରାଇଲେ । କେବଳ ନାବାଳକ ପୁଅକୁ ଛାଡ଼ି ଆଉ ସମସ୍ତେ ସଂକ୍ରମିତ ବୋଲି ଜଣାପଡ଼ିଲା । ଘରେ ସମସ୍ତେ ସଂଗରୋଧରେ ରହିବା ସମ୍ଭବ ନଥିଲା । ତେଣୁ ହସପିଟାଲ ଖୋଜା ଚାଲିଲା । ଗୋଟିଏ ହସପିଟାଲରେ ସମସ୍ତଙ୍କୁ ଜାଗା ମିଳିଲା ନାହିଁ । ତେଣୁ ସ୍ୱାମୀ, ସ୍ତ୍ରୀ ଓ ବାପା, ମା ଅଲଗା ଅଲଗା ଡାକ୍ତରଖାନାରେ ଚିକିତ୍ସାଧୀନ ରହିଲେ । ଏପଟେ ଛୋଟ ପୁଅଟିକୁ ଜଗି ରହିଲେ ତାର ପିଉସୀ ।

ତେବେ ଅଘଟଣ ଘଟିଲା ଡାକ୍ତରଖାନା ଗଲା ପରେ । ବାବୁଙ୍କ ଅଜାଣତରେ ତାଙ୍କ ବାପା ଓ ମାଆ ଉଭୟଙ୍କର କୋଭିଡ୍‌ରେ ପରଲୋକ ହୋଇଗଲା । ଏକଥା ଉଭୟ ସ୍ୱାମୀ ଓ ସ୍ତ୍ରୀ ବି ଜାଣି ପାରିଲେ ନାହିଁ । ସେପଟେ ପତ୍ନୀ ସୁସ୍ଥ ହୋଇ ଘରକୁ ଫେରିଲେ । ହେଲେ ସେହି ରାତିରେ ପୁଣି ତାଙ୍କର ସ୍ୱାସ୍ଥ୍ୟ ବିଗିଡ଼ି ଗଲା । ତେଣୁ ପୁନର୍ବାର ଡାକ୍ତରଖାନା ଫେରି ଆସିଲେ ।

ଅନ୍ୟପଟେ ସ୍ୱାମୀ ମଧ୍ୟ ଗୁରୁତର ଅବସ୍ଥାରେ ଭେଣ୍ଟିଲେଟରରେ ଅଛନ୍ତି । ଆଉ ପୁଅ ସେହିଭଳି ଏକା ଏକା ରହୁଛି ପିଉସୀଙ୍କ ତତ୍ତ୍ୱାବଧାନରେ ।

ଇଏ ଗୋଟିଏ ଉଦାହରଣ ମାତ୍ର । ଏଭଳି ଅନେକ ଘଟଣା ଘଟି ଚାଲିଛି ସାରା ଦେଶରେ । କରୋନାର ଦ୍ୱିତୀୟ ଲହରୀ ବି ସେମିତି ଘାତକ ଆଉ ଭୟଙ୍କର ହେଉଛି । ସ୍ଥିତି ଧୀରେ ଧୀରେ କଷ୍ଟକର ହୋଇପଡୁଛି । ଜୀବନ, ଜୀବିକା ଆଉ ଅବହେଳା ଆଗରେ ବଳି ପଡ଼ି ଯାଉଛି ମଣିଷ ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.