୧୭ ଆପାର୍ଟମେଣ୍ଟରେ ଲାଗିଲା ନିଆଁ! ମଲ୍ଟିଷ୍ଟୋରୀ ବିଲ୍ଡିଂ ସହ ଧକ୍କା ହେଲା ରୁଷୀୟ ସୁପରସୋନିକ୍‌ ଫାଇଟର ବିମାନ; ୧୩ ମୃତ

ୟୁକ୍ରେନ ସୀମା ନିକଟସ୍ଥ ଦକ୍ଷିଣ ରୁଷୀୟ ସହର ‘ୟେସ୍କ’ରେ ଏକ ମଲ୍ଟିଷ୍ଟୋରୀ ବିଲ୍ଡିଂ ସହ ଧକ୍କା ହୋଇ ରୁଷ୍‌ର ସୁପରସୋନିକ୍‌ ଲଢ଼େଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୩ ପିଲାଙ୍କ ସମେତ ପାଖାପାଖି ୧୩ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିସହ ୧୯ ଜଣ ଆହତ ହୋଇଥିବା ନେଇ ଖବର ରହିଛି।

ରୁଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ ଏକ ପ୍ରଶିକ୍ଷଣ ଅଭିଯାନ ପାଇଁ ବିମାନଟି ଟେକ୍‌ଅଫ୍‌ ନେଉଥିଲା। ଏହି ସମୟରେ ବିମାନ ଇଞ୍ଜିନରେ ହଠାତ୍‌ କୌଣସି କାରଣବଶତଃ ନିଆଁ ଲାଗିଯାଇଥିଲା, ଯାହାଫଳରେ ଏହା ୟେସ୍କର ବନ୍ଦର ସହରରେ ଦୁର୍ଘଟଣାର ଶିକାର ହୋଇଥିଲା। ମନ୍ତ୍ରାଳୟର ସୂଚନା ମୁତାବକ, ଚାଳକ ଦଳର ୨ ସଦସ୍ୟ ସୁରକ୍ଷିତ ଭାବେ ବାହାରି ଯାଇଛନ୍ତି। କିନ୍ତୁ ବିମାନଟି ଏକ ଆବାସୀୟ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହେବାରୁ ସେଠାରେ ନିଆଁ ଲାଗିଯାଇଥିଲା।

୧୭ ଆପାର୍ଟମେଣ୍ଟରେ ଲାଗିଲା ନିଆଁ

ଏହି ଦୁର୍ଘଟଣାର ତୁରନ୍ତ ପରେ ଅଧିକାରୀମାନେ ସ୍ଥାନୀୟ ହସ୍ପିଟାଲରେ ଜରୁରୀକାଳୀନ କୋଠରୀ ସଂରକ୍ଷିତ କରିଥିଲେ ଏବଂ ଚିକିତ୍ସା ବିମାନକୁ ପ୍ରସ୍ତୁତ କରିଥିଲେ। ନିଆଁ ଲାଗିବା ଦ୍ୱାରା ପ୍ରାୟ ୧୭ ଆପାର୍ଟମେଣ୍ଟ ପ୍ରଭାବିତ ହୋଇଥିଲା। ଦୁର୍ଘଟଣାସ୍ଥଳରୁ ୨୫୦ ନିବାସୀଙ୍କୁ ବାହାର କରାଯାଇ ଅସ୍ଥାୟୀ ଆବାସରେ ପହଞ୍ଚା ଯାଇଥିଲା। କ୍ରେମଲିନ ତରଫରୁ କୁହାଯାଇଛି କି, ଏହି ଦୁର୍ଘଟଣା ବିଷୟରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନଙ୍କୁ ସୂଚିତ କରାଯାଇଛି ଏବଂ ସ୍ଥାନୀୟ ଗଭର୍ଣ୍ଣରଙ୍କ ସହ ସ୍ୱାସ୍ଥ୍ୟ ଓ ବିପର୍ଯ୍ୟୟ ମନ୍ତ୍ରୀଙ୍କୁ ମଧ୍ୟ ସାଇଟ୍‌ ପରିଦର୍ଶନ କରିବାକୁ ଆଦେଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.