ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମ୍‌କୁ କଲ୍‌! ଏପ୍ରିଲ ୩୦ରେ ସଲମାନ ଖାନଙ୍କୁ ହତ୍ୟା ନେଇ ଧମକ

ଅଭିନେତା ସଲମାନ ଖାନଙ୍କୁ ପୁଣିଥରେ ମିଳିଛି ହତ୍ୟା ଧମକ। ଏଥର ସଲମାନଙ୍କୁ ହତ୍ୟା କରିବାର ତାରିଖ ସୁଦ୍ଧା ଘୋଷଣା କରାଯାଇଛି। ଏ ନେଇ ସୂଚନା ଦେଇଛି ମୁମ୍ବାଇ ପୋଲିସ।

ଅଭିନେତା ସଲମାନ ଖାନଙ୍କୁ ପୁଣିଥରେ ମିଳିଛି ହତ୍ୟା ଧମକ। ଏଥର ସଲମାନଙ୍କୁ ହତ୍ୟା କରିବାର ତାରିଖ ସୁଦ୍ଧା ଘୋଷଣା କରାଯାଇଛି। ଏ ନେଇ ସୂଚନା ଦେଇଛି ମୁମ୍ବାଇ ପୋଲିସ। ପୋଲିସ କହିଛି ଯେ ଗତକାଲି ପୋଲିସ କଣ୍ଟ୍ରୋଲ ରୁମ୍‌କୁ ଏକ କଲ୍‌ ଆସିଥିଲା, ଯେଉଁଥିରେ ରାଜସ୍ଥାନ ଯୋଧପୁରର ରକି ଭାଇ ନାମକ ଯୁବକ ସଲମାନଙ୍କୁ ହତ୍ୟା ନେଇ ଧମକ ଦେଇଥିଲେ।

ଫୋନ୍‌ରେ ଧମକ ଦିଆଯାଇଥିଲା ଯେ ଏପ୍ରିଲ ୩୦ରେ ସେ ଅଭିନେତା ସଲମାନଙ୍କୁ ହତ୍ୟା କରିବେ। ତେବେ ଏହି ଫୋନ୍‌ କଲ୍‌କୁ ନେଇ ମୁମ୍ବାଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ପୋଲିସ କହିଛି, ସେମାନେ ଫୋନ୍‌ ଟ୍ରାକ୍‌ କରି ଘଟଣାର ଅଭିଯୁକ୍ତଙ୍କୁ ଖୁବ୍‌ ଜଲ୍‌ଦି ଧରିବାକୁ ଚେଷ୍ଟା ଚଳାଇଛନ୍ତି।

ନିଜ ସୁରକ୍ଷା ପାଇଁ କିଣିଛନ୍ତି ବୁଲେଟ ପ୍ରୁଫ କାର୍

ସେପଟେ ସଲମାନ ଖାନଙ୍କୁ ବାରମ୍ବାର ହତ୍ୟା ଧମକ ମିଳିବା ପରେ ସେ ଏକ ବୁଲେଟ ପ୍ରୁଫ କାର୍ କିଣିଛନ୍ତି। ଏହି କିଛି ଦିନ ହେବ ସଲମାନ Nissan Patrol SUV ବୁଲେଟ ପ୍ରୁଫ କାର୍‌ରେ ବୁଲୁଥିବା ଦେଖିବାକୁ ମିଳିଛି। ସଲମାନଙ୍କ ଗାଡ଼ି ସହ ଫର୍ଚୁନର କାରରେ ତାଙ୍କ ସିକ୍ୟୁରିଟି ଗାର୍ଡ ଏବଂ ଅନ୍ୟ ଏକ ଗାଡ଼ିରେ ପୋଲିସ ଅଫିସର ଯାଉଛନ୍ତି।

କୁହାଯାଉଛି ଯେ ସଲମାନ ଖାନ ଏହି କାର୍‌କୁ ବିଦେଶରୁ ଆଣିଛନ୍ତି। କିଛି ଦିନ ପୂର୍ବରୁ ସଲମାନ ଖାନଙ୍କୁ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗଠାରୁ ଧମକପୂର୍ଣ୍ଣ ମେଲ ମିଳିଥିଲା। ଏପରି କି, ତିହାର ଜେଲ୍ରେ ବନ୍ଦୀ ଥିବା ଲରେନ୍ସ ବିଷ୍ଣୋଇ ଏକ ଇଣ୍ଟରଭ୍ୟୁରେ ସଲମାନଙ୍କୁ ହତ୍ୟା କରିବାକୁ ଚେତାବନୀ ଦେଇଥିଲା। ସଲମାନ ନିଜ ସୁରକ୍ଷା ପାଇଁ ବୁଲେଟ ପ୍ରୁଫ କାର କିଣିଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.