ଛି…ପାଇଖାନାରେ ତିଆରି ହେଉଥିଲା ସିଙ୍ଗଡ଼ା, ହେଲେ ଜାଣିପାରୁ ନ ଥିଲେ ଲୋକେ! ଏବେ ୩୦ ବର୍ଷ ପରେ ରେଷ୍ଟୁରାଣ୍ଟ ସିଲ୍‌

ପାଇଖାନାରେ ସିଙ୍ଗଡ଼ା ପ୍ରସ୍ତୁତି। କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। କିନ୍ତୁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଏମିତି ହିଁ ଏକ ଘଟଣା ଘଟିଛି ସାଉଦି ଆରବରେ। ଏଠାରେ ଏଭଳି ଏକ ମାମଲାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିକଟରେ ଜେଦାହ ସହରରେ ଥିବା ଏକ ରେଷ୍ଟୁରାଣ୍ଟକୁ ସ୍ଥାନୀୟ ଅଧିକାରୀମାନେ ବନ୍ଦ କରି ଦେଇଛନ୍ତି। ଅଭିଯୋଗ ଅନୁସାରେ, ଏହି ରେଷ୍ଟୁରାଣ୍ଟ ଗତ ୩୦ରୁ ଅଧିକ ବର୍ଷ ହେବ ପାଇଖାନା ଭିତରେ ସିଙ୍ଗଡ଼ା ଏବଂ ଅନ୍ୟାନ୍ୟ ସ୍ନାକ୍ସ ତିଆରି କରି ଆସୁଥିଲା। ରିପୋର୍ଟ ମୁତାବକ, ଜେଦାହ ନଗରପାଳିକାର ଅଧିକାରୀମାନେ କୌଣସି ସୂତ୍ରରୁ ଖବର ପାଇ ସେଠାରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ସେମାନେ ଶୌଚାଳୟ ଭିତରେ ସଙ୍ଗଡ଼ା ଓ ଅନ୍ୟାନ୍ୟ ଜିନିଷ ତିଆରି ଚାଲିଥିବାର ଦେଖିବାକୁ ପାଇଥିଲେ। ଏହି ସମୟରେ ସେଠାରେ ବିଭିନ୍ନ ସ୍ନାକ୍‌ ଆଇଟମ୍‌ ତିଆରି ଚାଲିଥିଲା। କେବଳ ଶୌଚାଳୟ ନୁହେଁ, ଏହିଭଳି ଅନେକ ଅପରିଷ୍କାର ଜାଗା ମଧ୍ୟ ଜଳଖିଆ ତିଆରି ପାଇଁ ବ୍ୟବହାର କରାଯାଉଥିଲା।

ଖବରରୁ ଜଣାପଡ଼ିଛି, ୩୦ରୁ ଅଧିକ ବର୍ଷ ଧରି ସମ୍ପୃକ୍ତ ରେଷ୍ଟୁରାଣ୍ଟ ଏହି କାର୍ଯ୍ୟ କରି ଆସୁଥିଲା। ରେଷ୍ଟୁରାଣ୍ଟ ଶୌଚାଳୟରେ ଜଳଖିଆ, ଭୋଜନ ଆଦି ପ୍ରସ୍ତୁତ କରୁଥିଲା। ସେଠାରେ ଅତି ଦୟନୀୟ ଭାବରେ ଖାଦ୍ୟପେୟ ସାମଗ୍ରୀ ରହିଥିଲା। ମାଂସ ଓ ପନିରରେ ପୋକ ସାଲୁବାଲୁ ହେଉଥିଲେ। ଏପରି କି, ୨ ବର୍ଷ ପୁରୁଣା କିଛି ଖାଦ୍ୟ ଜିନିଷ ମଧ୍ୟ ବ୍ୟବହାର କରାଯାଉଥିଲା। ବର୍ତ୍ତମାନ ଘଟଣା ପ୍ରଘଟ ହେବା ପରେ ସାଉଦି ଆରବର କଡ଼ା ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଚଢ଼ାଉ ପରେ ଅଧିକାରୀମାନେ କହିଛନ୍ତି ଯେ ରେଷ୍ଟୁରାଣ୍ଟ କିଛି ଆଇନକୁ ଖୋଲାଖୋଲି ଉଲ୍ଲଂଘନ କରୁଥିଲା। ଏଠାକାର କର୍ମଚାରୀଙ୍କ ପାଖରେ ନା ହେଲ୍‌ଥ କାର୍ଡ ଥିଲା ନା ନିବାସ ଆଇନର ପାଳନ ହେଉଥିଲା। ଯେଉଁ କାରଣରୁ ରେଷ୍ଟୁରାଷ୍ଟକୁ ସବୁଦିନ ପାଇଁ ବନ୍ଦ କରି ଦିଆଯାଇଛି।

ତେବେ ଏଭଳି ଘଟଣା ଏଠାରେ ପ୍ରଥମ ନୁହେଁ, ପୂର୍ବରୁ ମଧ୍ୟ ସାଉଦି ଆରବରେ କେତେକ ରେଷ୍ଟୁରାଷ୍ଟକୁ ବନ୍ଦ କରି ଦିଆଯାଇଛି। ରିପୋର୍ଟ ମୁତାବକ, ଗତ ଜାନୁଆରୀରେ ଜେଦାହରେ ଏକ ପ୍ରସିଦ୍ଧ ରେଷ୍ଟୁରାଣ୍ଟକୁ ବି ବନ୍ଦ କରି ଦିଆଯାଇଥିଲା। ସ୍ଥାନୀୟ ଅଧିକାରୀମାନେ ଚଢ଼ାଉ ସମୟରେ ଉକ୍ତ ରେଷ୍ଟୁରାଣ୍ଟରେ ମୂଷାମାନେ ଏଣେତେଣେ ବୁଲୁଥିବାର ଦେଖିବାକୁ ପାଇଥିଲେ। ସେହିପରି କିଛି ମୂଷା ମାଂସ ଖାଉଥିବାର ମଧ୍ୟ ଦେଖାଯାଇଥିଲା। ସ୍ଥାନୀୟ ମିଡିଆରେ ରେଷ୍ଟୁରାଣ୍ଟଗୁଡ଼ିକର ଏଭଳି ଦୟନୀୟ ସ୍ଥିତି ଏବଂ ଶୌଚାଳୟରେ ଖାଦ୍ୟ ପ୍ରସ୍ତୁତିକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେବାରେ ଲାଗିଛି। ସୋସିଆଲ ମିଡିଆରେ ଲୋକମାନେ ଏ ନେଇ ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। କିଛି ୟୁଜର ରେଷ୍ଟୁରାଣ୍ଟ ଉପରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ସେପଟେ ସାଉଦି ଆରବର ଅଧିକାରୀମାନେ କହିଛନ୍ତି ଯେ ଏବେ ଲଗାତାରେ ଭାବେ ରେଷ୍ଟୁରାଣ୍ଟଗୁଡ଼ିକ ଉପରେ ଚଢ଼ାଉ କରାଯାଇ ତଥ୍ୟ ସଂଗ୍ରହ କରାଯାଉଛି। ନଗରପାଳିକାର ତଥ୍ୟ ମୁତାବକ, ବର୍ତ୍ତମାନ ସୁଦ୍ଧା ୪୩ଟି ସ୍ଥାନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ୨୬ ରେଷ୍ଟୁରାଣ୍ଟକୁ ବନ୍ଦ କରି ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.