ହିମାଚଳ ପ୍ରଦେଶ ଦିଲ୍ଲୀକୁ ଛାଡ଼ିବ ୧୩୭ କ୍ୟୁସେକ୍‌ ପାଣି, ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ

ଦିଲ୍ଲୀ ପାଇଁ ଆଶ୍ୱସ୍ତିଜନକ ଖବର । ସୁପ୍ରିମକୋର୍ଟ ହିମାଚଳ ପ୍ରଦେଶକୁ ୧୩୭ କ୍ୟୁସେକ୍ ଜଳ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହାପରେ ବର୍ତ୍ତମାନ ହିମାଚଳ ପ୍ରଦେଶ ଶୁକ୍ରବାରଠାରୁ ପୂରା ମାସ ପାଇଁ ଦିଲ୍ଲୀକୁ ଜଳ ଛାଡ଼ିବ । ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ହରିୟାଣା ଏଥିରେ କୌଣସି ପ୍ରତିବନ୍ଧକ ସୃଷ୍ଟି କରିବ ନାହିଁ ।

ସୁପ୍ରିମକୋର୍ଟରେ ଜଷ୍ଟିସ ପ୍ରଶାନ୍ତ ମିଶ୍ର ଓ ଜଷ୍ଟିସ କେ.ଭି. ବିଶ୍ୱନାଥନଙ୍କ ପୀଠ କହିଛନ୍ତି, ବୁଧବାର ଉପର ଯମୁନା ନଦୀ ବୋର୍ଡ ସହିତ ବୈଠକ ବସିଥିଲା । ଏଥିରେ ସମସ୍ତ ସଦସ୍ୟ ଏକମତ ହୋଇଥିଲେ ଯେ ଉଭୟ ରାଜ୍ୟରେ ଭୀଷଣ ଗରମ ପଡ଼ିଛି ଏବଂ ଉଭୟଙ୍କୁ ହିଁ ଜଳର ଆବଶ୍ୟକତା ରହିଛି ।

ସୁପ୍ରିମକୋର୍ଟ କହିଛନ୍ତି, ଜୁନ୍ ୨ରେ ଅନୁଷ୍ଠିତ ବୈଠକରେ ହିମାଚଳ ପ୍ରଦେଶ ସାମିଲ ହୋଇଥିଲା । ହିମାଚଳ ପ୍ରଦେଶ କହିଛି ଯେ ଅତିରିକ୍ତ ଜଳ ଯାହା ରହିଛି, ତାହାକୁ ସେ ଦିଲ୍ଲୀ ସହ ବାଣ୍ଟିବାକୁ ଚାହୁଁଛି । ଆସନ୍ତା ଶୁକ୍ରବାରଠାରୁ ହିମାଚଳକୁ ୧୩୭ କ୍ୟୁସେକ୍ ପାଣି ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କୋର୍ଟ କହିଛନ୍ତି, ହରିୟାଣା ସରକାର ହିମାଚଳରୁ ମିଳୁଥିବା ଜଳ ପ୍ରବାହକୁ ବିନା କୌଣସି ବାଧାରେ ଦିଲ୍ଲୀର ୱଜିରାବାଦରେ ପହଞ୍ଚିବାକୁ ଅନୁମତି ଦେବା ଉଚିତ୍‌, ଯେପରି ଦିଲ୍ଲୀର ଲୋକମାନେ ପାନୀୟ ଜଳ ପାଇପାରିବେ । ସେପଟେ ଦିଲ୍ଲୀରେ ମଧ୍ୟ କୌଣସି ବି ପ୍ରକାରେ ଜଳର ଅପଚୟ ନ ହେବା ଦିଗରେ ସମସ୍ତେ ଯତ୍ନବାନ ହେବା ଦରକାର । ହିମାଚଳ ସରକାର ଶୁକ୍ରବାରଠାରୁ ଜଳ ଛାଡ଼ନ୍ତୁ । ଯମୁନା ନଦୀ ଫ୍ରଣ୍ଟ ବୋର୍ଡ କେତେ ଜଳ ଆସିଛି, ସେଥିପ୍ରତି ଧ୍ୟାନ ଦେବ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ସୋମବାର ହେବ ।

କହି ରଖୁଛୁ ଯେ ରାଜଧାନୀ ଦିଲ୍ଲୀରେ ଦେଖାଦେଇଛି ଗମ୍ଭୀର ଜଳ ସଙ୍କଟ । ଗତ କିଛି ଦିନ ହେବ କେତେକ ଅଞ୍ଚଳକୁ ପାଣି ଯୋଗାଣ ହୋଇପାରୁ ନାହିଁ । ଏଭଳି ସ୍ଥିତି ପାଇଁ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ହରିୟାଣାକୁ ଦାୟୀ କରିଛି । ହରିୟାଣାରୁ ଦିଲ୍ଲୀକୁ ଯମୁନା ପାଣି ଛଡ଼ା ନ ଯିବା ଏହାର ବଡ଼ କାରଣ ବୋଲି ଆପ୍‌ କହିଛି ।

Leave A Reply

Your email address will not be published.