ନୁହରେ ହିଂସା: ଅଗଷ୍ଟ ୨ ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ବନ୍ଦ, ୧୪୪ ଧାରା ଲାଗୁ; ଜିଲ୍ଲାର ସମସ୍ତ ସୀମା ସିଲ୍‌

ହରିୟାଣାର ନୁହ ଜିଲ୍ଲାରେ ହିଂସା ଦେଖାଦେଇଛି। ଏଠାରେ ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ଆୟୋଜିତ ବ୍ରିଜମଣ୍ଡଳ ଯାତ୍ରା ସମୟରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ପରିସ୍ଥିତି ଜଟିଳ ହେବାରୁ ଜିଲ୍ଲାର ସମସ୍ତ ସୀମାକୁ ସିଲ୍ କରି ଦିଆଯାଇଛି।

ହରିୟାଣାର ନୁହ ଜିଲ୍ଲାରେ ହିଂସା ଦେଖାଦେଇଛି। ଏଠାରେ ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ଆୟୋଜିତ ବ୍ରିଜମଣ୍ଡଳ ଯାତ୍ରା ସମୟରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ପରିସ୍ଥିତି ଜଟିଳ ହେବାରୁ ଜିଲ୍ଲାର ସମସ୍ତ ସୀମାକୁ ସିଲ୍ କରି ଦିଆଯାଇଛି। ଏହା ସହିତ ସମଗ୍ର ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି। ନୁହ ସହିତ ହଥିନରେ ମଧ୍ୟ ଇଣ୍ଟରନେଟ ବନ୍ଦ ରହିଛି।

ମିଳିଥିବା ସୂଚନା ମୁତାବକ, ବ୍ରିଜମଣ୍ଡଳ ଯାତ୍ରା ବେଳେ ଏଠାରେ ଏକ ଗୋଷ୍ଠୀ ପକ୍ଷରୁ ପଥରମାଡ଼ ହୋଇଥିଲା, ଯାହା ପରେ ହିଂସା ଆରମ୍ଭ ହୋଇଥିଲା। ଏହି ହିଂସାରେ ୨୦ ଜଣ ଆହତ ହୋଇଥିବା ଖବର ରହିଛି। ପରିସ୍ଥିତି ଅତ୍ୟନ୍ତ ଖରାପ ହୋଇଯାଇଥିବା ବେଳେ ଲୋକେ ଏକାଧିକ ଯାନବାହାନରେ ନିଆଁ ଲଗାଇ ଦେଇଛନ୍ତି। ଥାନା ଏବଂ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ନିଆଁ ଲଗାଇବା ସହିତ ଭଙ୍ଗାରୁଜା କରିଛନ୍ତି।

ଏହି ବ୍ରିଜମଣ୍ଡଳ ଯାତ୍ରା ଗୁରୁଗ୍ରାମରୁ ଆରମ୍ଭ ହୋଇ ନୁହ ଯାଉଥିଲା। ଏଥିରେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇଥିଲେ। ଯାତ୍ରା ନୁହର ନଲହଡ଼ ମନ୍ଦିରରେ ପହଞ୍ଚିବା ପରେ ସେଠାରୁ ଫିରୋଜପୁର ଝିରକାର ଝିର୍‌ ମନ୍ଦିର ଯାଉଥିଲା। ହେଲେ ସେହି ସମୟରେ ଏକ ଗୋଷ୍ଠୀ ପେଟ୍ରୋଲ ବୋମା ଫିଙ୍ଗିବା ସହ ପଥର ଫିଙ୍ଗିବା ଆରମ୍ଭ କରିଥିଲେ।

ଏହା ପରଠାରୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ନୁହ ପରେ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନକୁ ମଧ୍ୟ ହିଂସା ବ୍ୟାପିବାରେ ଲାଗିଛି। ସ୍ଥିତିକୁ ନିୟନ୍ତ୍ରଣ ପାଇଁ କେତେକ ଜିଲ୍ଲାର ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପରିସ୍ଥିତିକୁ ନଜରରେ ରଖି ସମଗ୍ର ଜିଲ୍ଲାରେ ୧୪୪ ଧାରା ଲାଗୁ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.