ସିଦ୍ଦରମୈୟାଙ୍କ ଘର ବାହାରେ ସୁରକ୍ଷାକର୍ମୀ ମୁତୟନ, ୨୦ରେ ଶପଥ ଗ୍ରହଣ ଉତ୍ସବ

ସିଦ୍ଦରମୈୟା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦ ହାତେଇ ନେଇଥିବା ବେଳେ ଡିକେ ଶିବ କୁମାର ହେବେ ଡେପୁଟି ସିଏମ୍ । ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ପଦରେ ମୋହର ବାଜିବା ପରେ ତାଙ୍କ ବାସଭବନ ସାମ୍ନାରେ ସୁରକ୍ଷାବଳ ମୁତୟନ ହୋଇଛନ୍ତି ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା ହାଇଡ୍ରାମାରେ ପୂର୍ଣ୍ଣଚ୍ଛେଦ ପଡିଛି । ବରିଷ୍ଠ କଂଗ୍ରେସ ନେତା ସିଦ୍ଦରମୈୟା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦ ହାତେଇ ନେଇଥିବା ବେଳେ ଡିକେ ଶିବ କୁମାର ହେବେ ଡେପୁଟି ସିଏମ୍ । ଗତକାଲି ଶିବକୁମାର ଉପମୁଖ୍ୟମନ୍ତ୍ରୀ ପଦ ନେବାକୁ ସିଧାସଳଖ ମନା କରିଦେଇଥିଲେ । କିନ୍ତୁ ରାହୁଲଙ୍କ ଗାନ୍ଧିଙ୍କ ଉପଦେଶ କ୍ରମେ ସେ ପଦ ପାଇଁ ରାଜି ହୋଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ସମାରୋହ ଆସନ୍ତା ୨୦ ତାରିଖ ମଧ୍ୟାହ୍ନ ୧୨ଟା୩୦ରେ ବାଙ୍ଗାଲୁରୁରେ ହେବ ।

ତେବେ ଏହା ଉପରେ ମୋହର ମାରିବା ନିମନ୍ତେ କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳ ବୈଠକ ଆଜି ସନ୍ଧ୍ୟା ୭ଟାରେ ବେଙ୍ଗାଲୁରୁରେ ଡକାଯାଇଛି। ଅଖିଳ ଭାରତୀୟ କଂଗ୍ରେସ କମିଟିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ବେଙ୍ଗାଲୁରୁରେ ପହଞ୍ଚିବାକୁ କୁହାଯାଇଛି।
ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ପଦରେ ମୋହର ବାଜିବା ପରେ ତାଙ୍କ ବାସଭବନ ସାମ୍ନାରେ ସୁରକ୍ଷାବଳ ମୁତୟନ ହୋଇଛନ୍ତି । ତେବେ ସିଦ୍ଦରମୈୟା ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା ହେବା ପରେ ତାଙ୍କ ବାସଭବନ ବାହାରେ ଗହଳି ଲାଗି ରହିଛି । ପାର୍ଟିର କାର୍ଯ୍ୟକର୍ତ୍ତା ଏବଂ ଜନତା ଶୁଭେଚ୍ଛା ଜଣାଇବାକୁ ଲମ୍ବା ଲାଇନ ଲାଗିଛନ୍ତି । ଏହାଛଡା କର୍ଣ୍ଣାଟକରେ ସିଦ୍ଦରମୈୟାଙ୍କ ପୋଷ୍ଟରକୁ ସମର୍ଥକମାନେ କ୍ଷୀରରେ ଧୋଉଥିବା ନଜର ଆସିଛନ୍ତି । ଚାଲିଛି ଜୋରସୋର ସେଲିବ୍ରେସନ୍‌ । ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବାକୁ ଥିବା ଶିବକୁମାରଙ୍କ ଘରେ ବାହାରେ ମଧ୍ୟ ସୁରକ୍ଷାବଳ ମୁତୟନ ହୋଇଛନ୍ତି ।

ସୂଚନାଯୋଗ୍ୟ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଭାଗବଣ୍ଟା ଛିଣ୍ଡୁ ନ ଥିବା ବେଳେ ନୂଆଦିଲ୍ଲୀରେ ଡେରା ପକାଇ ରହିଥିବା ଶିବକୁମାର ଓ ସିଦ୍ଦରମୈୟା ଗତକାଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ଓ ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ। ଉଭୟ ପକ୍ଷଙ୍କ ମଧ୍ୟରେ ଘନ ଘନ ବୈଠକ ବସିଥିଲା। ସନ୍ଧ୍ୟା ସୁଦ୍ଧା କୌଣସି ଆପୋଷ ସହମତିର ସୂଚନା ମିଳି ନ ଥିବା ବେଳେ ବିଳମ୍ବିତ ରାତିରେ କିନ୍ତୁ ଭାଗବଣ୍ଟା ଛିଣ୍ଡିଥିବା ଜଣାଯାଇଛି। ଏହି ବୈଠକ ପରେ ଶିବକୁମାର ପୁଣିଥରେ ଖଡଗେଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ପୂର୍ବରୁ କ୍ଷମତା ଭାଗବଣ୍ଟା ଫର୍ମୁଲାକୁ ଗ୍ରହଣ କରୁ ନଥିବା ଶିବକୁମାର ପରେ ଏଥିରେ ରାଜି ହୋଇଥିବା ସୂଚନା ଜଣାଯାଇଛି।

ଅଢ଼େଇ ବର୍ଷ ଲେଖାଏଁ ପାଳି ବଦଳରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ହେବେ ଦୁଇ ନେତା। ଉଭୟଙ୍କ ପାଇଁ ଦଳ ଏହି ସର୍ତ୍ତ ରଖିଛି। ପ୍ରଥମେ ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ହେବେ ସିଦ୍ଦରମୈୟା। ଉମୁମୁଖ୍ୟମନ୍ତ୍ରୀ ହେବେ ଡିକେ ଶିବକୁମାର। ପରବର୍ତ୍ତୀ ଅଢ଼େଇ ବର୍ଷ ଶିବ କୁମାର ହେବେ ମୁଖ୍ୟମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.