ଶତ୍ରୁଘ୍ନ କହିଲେ ‘ତେରି ମେହଫିଲ ମେ ହମ୍‌ ନା ହୋଙ୍ଗେ..’, ବିଜେପି ଛାଡ଼ିବାର ସଂକେତ ନୁହେଁ ତ ?

ନୂଆଦିଲ୍ଲୀ : ହିନ୍ଦୀ ସିନେମାରେ ନିଜର ଡାଇଲଗ୍‌ ଏବଂ ବାହାରେ ବଦ୍‌ରାଗୀ ଭାବେ ପରିଚିତ ଶତ୍ରୁଘ୍ନ ସିହ୍ନା ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ନେତା । ତେବେ ୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କୁ ଦଳରେ ଅଣଦେଖା କରାଯାଉଛି । ତେଣୁ ନିଜର ସ୍ୱଭାବ ସୁଲଭ ଢଙ୍ଗରେ ଶତ୍ରୁଘ୍ନ ମୋଦି ସରକାରଙ୍କୁ ଲଗାତର ଭାବେ ସମାଲୋଚନା କରିବାର ମଉକା ଛାଡୁ ନାହାନ୍ତି । ତଥାପି ଏଯାଏ ସେ ଦଳ ଛାଡ଼ି ନଥିଲେ । ହେଲେ ଆଜି ଯେଉଁ ଟୁଇଟ୍‌ କରିଛନ୍ତି, ସେଥିରୁ ଲାଗୁଛି ଯେ ଆଉ ବୋଧହୁଏ ଶତ୍ରୁଘ୍ନ ଓରଫ୍‌ ସଟ୍‌ଗନ୍‌ ପଦ୍ମ ଦଳ ସହ ରହିବେ ନାହିଁ । ସେ ମୋଦିଙ୍କୁ ଟୁଇଟ୍‌ କରି କହିଛନ୍ତି କି ‘‘ସାର୍‌, ସାରା ଦେଶ ଆପଣଙ୍କ ସମ୍ମାନ କରେ । ହେଲେ ଆପଣ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ଯାହା କହିଥିଲେ ସେ କଥା ରଖି ନାହାନ୍ତି । ତେଣୁ ଆପଣଙ୍କ ନେତୃତ୍ୱ ବିଶ୍ୱସନୀୟତା ହରାଇଛି ।’’ ସେ ଆଉ ଗୋଟିଏ ଟୁଇଟ୍‌ରେ ଲେଖିଛନ୍ତି ‘‘ପୁରୁଣା ପ୍ରତିଶ୍ରୁତି ଏପର୍ଯ୍ୟନ୍ତ ପୂରଣ କରାଯାଇ ପାରିନାହିଁ । ଆଶା ଓ ଶ୍ରଦ୍ଧାର ସହ କେବଳ ପ୍ରାର୍ଥନା କରୁଛି । ହୁଏତ ମୁଁ କିନ୍ତୁ ଆପଣଙ୍କ ସହ ନଥିବି । ମୋହବତ୍‌ କରନେଓ୍ଵାଲେ କମ୍‌ ନା ହୋଙ୍ଗେ (ଶାୟଦ), ତେରି ମେହଫିଲମେ ମଗର ହମ୍‌ନା ହୋଙ୍ଗେ’’ ।

SATRU-2
ତେବେ ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଶତ୍ରୁ ଏଭଳି କାହିଁକି ସଂକେତ ଦେଇଛନ୍ତି ତା ପଛରେ ରହିଛି ଅଲଗା ରହସ୍ୟ । ପ୍ରକୃତ କଥା ହେଉଛି ତାଙ୍କୁ ଦଳ ଏଥର ଟିକେଟ୍‌ ଦେଉନଥିବା ଜଣାପଡ଼ିଛି । ତେଣୁ ଶତ୍ରୁଘନ ଏଭଳି ଟୁଇଟ୍‌ କରିଛନ୍ତି ସିଧାସଳଖ ମୋଦିଙ୍କୁ । ସେ କହିବା କଥା ହେଉଛି ଯେ ଗତ ନିର୍ବାଚନରେ ସେ ସର୍ବାଧିକ ଭୋଟ୍‌ ବ୍ୟବଧାନରେ ଜିତିଥିଲେ । ତଥାପି ତାଙ୍କୁ ଦଳ ଟିକେଟ୍‌ ଦେଉ ନାହିଁ । କଣ ପାଇଁ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି । ଅନ୍ୟ ରାଜନୈତିକ ଦଳ ତାଙ୍କୁ ପ୍ରସ୍ତାବ ଦେଇଛନ୍ତି ବୋଲି ମଧ୍ୟ ଶତ୍ରୁ କହିଛନ୍ତି । ଆପଣ କାହିଁକି ଦଳ ଛାଡ଼ି ଦେଉ ନାହାନ୍ତି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଶତ୍ରୁଘନ କହିଛନ୍ତି ‘‘ଦଳ ମୋତେ ବାହାର କରୁ ନାହିଁ କାହିଁକି ? ମୁଁ ତ ଦଳ ପାଇଁ ଅନେକ କାମ କରିଛି । ଗତ ଥର ମଧ୍ୟରେ ମୋ ଟିକେଟ୍‌ ପାଇବା କଥା ଶେଷ ମୁହୂର୍ତ୍ତରେ ଘୋଷଣା କରାଯାଇଥିଲା । ଏଥର ଶୁଣୁଛି କି ମୋତେ ଟିକେଟ୍‌ ମିଳିବ ନାହିଁ ।’’ ଏହି ଚର୍ଚ୍ଚାକୁ ନେଇ ସେ ବିଜେପି ଛାଡ଼ିବାର ସଂକେତ ଦେଇଥିବା କୁହାଯାଉଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.