ସିଙ୍ଗାପୁରରେ ଫାଶୀରେ ଝୁଲିଲେ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି, ୨୦୧୩ରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ହୋଇଥିଲେ ଦୋଷୀ ସାବ୍ୟସ୍ତ

ଗଞ୍ଜେଇ ଚୋରା ଚାଲାଣରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ସିଙ୍ଗାପୁରରେ ମିଳିଛି ଫାଶୀ ଦଣ୍ଡ। ଏହି ବ୍ୟକ୍ତିଙ୍କ ନାମ ତଙ୍ଗରାଜୁ ସୁପୈୟା ଏବଂ ସେ ଭାରତୀୟ ମୂଳର ବ୍ୟକ୍ତି ଥିଲେ।

ଗଞ୍ଜେଇ ଚୋରା ଚାଲାଣରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ବୁଧବାର ସିଙ୍ଗାପୁରରେ ଫାଶୀଦଣ୍ଡ ମିଳିଛି। ଏହି ବ୍ୟକ୍ତିଙ୍କ ନାମ ତଙ୍ଗରାଜୁ ସୁପୈୟା ଏବଂ ସେ ଭାରତୀୟ ମୂଳର ବ୍ୟକ୍ତି ଥିଲେ। କିନ୍ତୁ ସୁପୈୟା ସିଙ୍ଗାପୁରର ନାଗରିକତା ପାଇଥିଲେ। ସୁପୈୟାଙ୍କ ପରିବାର ସିଙ୍ଗାପୁର ସରକାରଙ୍କ ପାଖରେ ଦୟା ପିଟିସନ ଦାଖଲ କରିଥିଲେ ମଧ୍ୟ ତାଙ୍କ ପରିବାରର ଆବେଦନ ଉପରେ କୌଣସି ଶୁଣାଣି କରାଯାଇ ନ ଥିଲା।

ରିପୋର୍ଟ ମୁତାବକ, ୪୬ ବର୍ଷୀୟ ତଙ୍ଗରାଜୁ ସୁପୈୟାଙ୍କୁ ୨୦୧୩ରେ ୧ କିଲୋରୁ ଅଧିକ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ନିଶାଦ୍ରବ୍ୟ ଏବଂ ନିଶା ଔଷଧ ବିରୋଧରେ ସିଙ୍ଗାପୁରରେ ରହିଛି ବହୁତ କଠୋର ନିୟମ। ସିଙ୍ଗାପୁରରେ ସାମାଜିକ ସୁରକ୍ଷା ପାଇଁ ଏହା ଆବଶ୍ୟକ ବୋଲି ଅଧିକାରୀମାନେ କହିଛନ୍ତି।

ସୂଚନାଥାଉ କି, ଫାଶୀର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି କ୍ଷମା ପିଟିସନକୁ ପ୍ରତ୍ୟାଖ୍ୟାନ କରିବା ପରେ ସୁପୈୟାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଏହି ପ୍ରସଙ୍ଗରେ ଯେତେବେଳେ ସିଙ୍ଗାପୁର ସରକାରଙ୍କ ପ୍ରତିକ୍ରିୟା ଲୋଡ଼ାଯାଇଥିଲା, ସେତେବେଳେ କୌଣସି ପ୍ରତିକ୍ରିୟା ମିଳି ନ ଥିଲା।

ରିପୋର୍ଟ ଅନୁଯାୟୀ, ୧ କିଲୋ ଗଞ୍ଜେଇକୁ ସିଙ୍ଗାପୁରରୁ ମାଲେସିଆ ପରିବହନ କରିବାରେ ତଙ୍ଗରାଜୁ ସୁପୈୟା ଦୋଷୀ ସାବ୍ୟସ୍ତ ହୋଇଥିଲେ। ଯଦିଓ ଗଞ୍ଜେଇ ସହିତ ସେ ଧରାପଡି ନ ଥିଲେ। ମିଳିତ ଜାତିସଂଘ ମାନବ ଅଧିକାର ସଂଗଠନ ସମେତ ଅନ୍ୟାନ୍ୟ ମାନବାଧିକାର ସଂଗଠନ ସୁପୈୟାଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡକୁ ବିରୋଧ କରିଛନ୍ତି। ବ୍ରିଟିଶ ଅରବପତି ରିଚାର୍ଡ ବ୍ରାନସନ ମଧ୍ୟ ଏହି ବିରୋଧକାରୀଙ୍କ ମଧ୍ୟରେ ଅଛନ୍ତି।

ସିଙ୍ଗାପୁରର ଗୃହ ମନ୍ତ୍ରଣାଳୟ ମାମଲାର ତଥ୍ୟ ସାମ୍ନାରେ ରଖି କହିଛି ଯେ ୪୬ ବର୍ଷୀୟ ସୁପୈୟାଙ୍କୁ ୧୦୧୭.୯ ଗ୍ରାମ ଗଞ୍ଜେଇ ଚୋରା ଚାଲାଣ ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଗୃହ ମନ୍ତ୍ରଣାଳୟ ମୁତାବକ, ଯଦି ଗଞ୍ଜେଇର ମାତ୍ରା ୫୦୦ ଗ୍ରାମରୁ ଅଧିକ ହୁଏ, ତା’ ହେଲେ ଡ୍ରଗ୍ସ ଅଧିନିୟମର ଦୁରୂପଯୋଗ ଅଧୀନରେ ମୃତ୍ୟୁଦଣ୍ଡ ଦିଆଯାଏ। ଏଠାରେ ସୁପୈୟାଙ୍କ କ୍ଷେତ୍ରରେ ଗଞ୍ଜେଇର ପରିମାଣ ହେଉଛି ୧୦୧୭.୯ ଗ୍ରାମ, ଯାହା ମୃତ୍ୟୁଦଣ୍ଡ ପାଇଁ ନିର୍ଦ୍ଧାରିତ ପରିମାଣଠାରୁ ଦୁଇଗୁଣ ଅଧିକ। ଏଥିରେ ୧ ସପ୍ତାହ ପର୍ଯ୍ୟନ୍ତ ପ୍ରାୟ ୧୫୦ ନିଶାଡ଼ିଙ୍କ ନିଶା ପୂରଣ ହୋଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.