‘ମୋ ବିରୋଧରେ ଗଭୀର ଷଡ଼ଯନ୍ତ୍ର…’, ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନ JMMର ସମସ୍ତ ପଦରୁ ଦେଲେ ଇସ୍ତଫା

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)କୁ ବଡ଼ ଝଟ୍‌କା । ବିଧାୟକ ସୀତା ସୋରେନ ଦଳର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି ।

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)କୁ ବଡ଼ ଝଟ୍‌କା । ବିଧାୟକ ସୀତା ସୋରେନ ଦଳର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି । ଏ ସମ୍ବନ୍ଧରେ ସେ ଏକ ଚିଠି ଲେଖି ଦଳର ଅଧ୍ୟକ୍ଷ ତଥା ନିଜ ଶ୍ୱଶୁର ଶିବୁ ସୋରେନଙ୍କ ନିକଟକୁ ପଠାଇଛନ୍ତି । ସୀତା କହିଛନ୍ତି ଯେ ‘ମୋ ଏବଂ ମୋ ପରିବାର ବିରୋଧରେ ଗଭୀର ଷଡଯନ୍ତ୍ର ରଚାଯାଉଛି’ ।

ସୀତା ସୋରେନ କହିଛନ୍ତି, ‘ମୁଁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର କେନ୍ଦ୍ରୀୟ ମହାସଚିବ ଏବଂ ଜଣେ ସକ୍ରିୟ ସଦସ୍ୟ । ବର୍ତ୍ତମାନ ମୁଁ ଦଳର ବିଧାୟକ । ଅତ୍ୟନ୍ତ ଦୁଃଖଦ ହୃଦୟ ସହିତ ମୁଁ ନିଜର ଇସ୍ତଫା ପତ୍ର ଦାଖଲ କରୁଛି’ ।

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନ ସମସ୍ତ ଦଳୀୟ ପଦରୁ ଇସ୍ତଫା ଦେଇଛନ୍ତି । ସୂଚନା ସାମ୍ନାକୁ ଆସିଛି ଯେ ଶିବୁ ସୋରେନଙ୍କ ବଡ଼ ବୋହୂ ସୀତା ଆଜି ନିଜର ଦୁଇ ଝିଅ ଜୟଶ୍ରୀ ଓ ରାଜଶ୍ରୀଙ୍କ ସହ ବିଜେପିରେ ଯୋଗ ଦେଇପାରନ୍ତି । ଜେଏମ୍‌ଏମ୍‌ରୁ ଇସ୍ତଫା ଦେବାର କିଛି ସମୟ ପରେ ସେ ବିଜେପି କାର୍ଯ୍ୟାଳୟ ଯାଇ ପାର୍ଟିର ସଦସ୍ୟତା ଗ୍ରହଣ କରିବେ ।

ସୀତା ସୋରେନ ଜାମା ନିର୍ବାଚନମଣ୍ଡଳୀରୁ ବିଧାୟକ । ବର୍ତ୍ତମାନ ସେ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଏବଂ ଝାଡ଼ଖଣ୍ଡରେ ଚମ୍ପଇ ସୋରେନଙ୍କୁ ନୂତନ ମୁଖ୍ୟମନ୍ତ୍ରୀ କରାଯିବା ସମୟରୁ ହିଁ ସୀତା ସୋରେନ କ୍ରୋଧିତ ବୋଲି କୁହାଯାଉଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.