ଦକ୍ଷିଣ କୋରିଆ ସ୍ଥିତି ସାଂଘାତିକ: ଗତ ୨୪ ଘଣ୍ଟାରେ ଗଲାଣି ୯୪ ଜଣଙ୍କ ମୁଣ୍ଡ, ହସ୍ପିଟାଲରେ ଆଉ ନାହିଁ ଜାଗା

କେନ୍ଯୁଜ୍: ସାରା ବିଶ୍ୱକୁ ଡରାଉଛି କରୋନା । ଦକ୍ଷିଣ କୋରିଆରେ ଅତ୍ୟନ୍ତ ବିପଦଜ୍ଜନକ ସ୍ଥିତି ଉପୁଜିଛି। ଡେଲ୍‌ଟା ଯୋଗୁଁ ଦକ୍ଷିଣ କୋରିଆରେ ସଂକ୍ରମଣ କ୍ଷୀପ୍ର ଗତିରେ ମାଡି ଚାଲିଛି। ଏଥିପାଇଁ ହସ୍‌ପିଟାଲରେ ରୋଗୀଙ୍କ ସଂଖ୍ୟା ବଢୁଛି। ହସ୍‌ପିଟାଲରେ ଏବେ ଆଉ ଜାଗା ନାହିଁ। କିଛି ରୋଗୀ ବେଡ୍‌ ପାଇବା ପାଇଁ ଅପେକ୍ଷା କରି ମରିଯାଉଛନ୍ତି । ପ୍ରାୟ ୧୫ ଶହ ଲୋକ ଏବେ ହସ୍ପିଟାଲରେ ବେଡ ପାଇବା ପାଇଁ ଅପେକ୍ଷାରେ ରହିଛନ୍ତି ।

ଗତ ସପ୍ତାହରେ ବେଡ ଅପେକ୍ଷାରେ ରହି ୧୭ ଜଣଙ୍କ ମୃତ୍ୟୁ ହୋଇଛି । ଆଗକୁ ଯଦି କଟକଣା କଡାକଡି ନହୁଏ ତେବେ ଭୟଙ୍କର ସ୍ଥିତି ଉପୁଜିପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନ ଚେତାବନୀ ଦେଇଛନ୍ତି। ଗତ ୨୪ ଘଣ୍ଟାରେ ୯୪ ଜଣଙ୍କ ମୁଣ୍ଡ ନେଇଛି ଭାଇରସ । ସଂକ୍ରମଣ ଏବଂ ମୃତ୍ୟୁ ବଢୁଥିବାରୁ ଟିକାକରଣରୁ ତ୍ୱରାନ୍ନିତ ହୋଇଛି । ଦକ୍ଷିଣ କୋରିଆରେ ସଂକ୍ରମଣ ବଢୁଥିଲେ ବି ସରକାର କଟକଣା କଡାକଡି କରୁନଥିବାରୁ ଏହାକୁ ନେଇ ଚିନ୍ତା ବଢିଛି ।

ମାଡୁଛି ଓମିକ୍ରନ୍‌ ବଢୁଛି ଭୟ:

ଏପଟେ ମାଡୁଛି ଓମିକ୍ରନ୍‌ । ବଢୁଛି ଭୟ । ଗୋଟିଏ ପରେ ଗୋଟିଏ ଦେଶ ନୂଆ ଭାରିଆଣ୍ଟ କବଳକୁ ଆସିଲେଣି । ବର୍ତ୍ତମାନ ସୁଦ୍ଧା ୭୭ ଦେଶରେ କାୟା ମେଲାଇଲାଣି । ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଡିଜି ଟେଡ୍ରୋସ ଅଧାନୋମ ଘେବ୍ରିୟସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । କହିଛନ୍ତି ଓମିକ୍ରମ ଏବେ ପ୍ରାୟ ସବୁ ଦେଶକୁ ବ୍ୟାପିଲାଣି । ଅନେକ ଦେଶରେ ଏହା ଚିହ୍ନଟ ହୋଇନାହିଁ । ଓମିକ୍ରନ ଦୂତ ଗତିରେ ସଂକ୍ରମିତ ହେଉଛି । ଆକ୍ରାନ୍ତ ଗୁରୁତର ନ ହେଲେ ବି ଅନେକ ଲୋକ ସଂକ୍ରମିତ ହେଉଛନ୍ତି । ଏହା ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଦେବ ବୋଲି WHO ଚେତାବନୀ ଦେଇଛି ।

ଭ୍ୟାକସିନ ନୁହେଁ ମାସ୍କ, ସାମାଜିକ ଦୂରତା ଏବଂ ହାତ ଧୋଇବା ଉପରେ WHO ଡିଜି ଗୁରୁତ୍ୱ ଦେଇଛନ୍ତି । ବ୍ରିଟେନରୁ ଓମିକ୍ରନରେ ପ୍ରଥମ ମୃତ୍ୟୁ ଖବର ଆସିବା ପରେ ଏହି ଭାରିଏଣ୍ଟକୁ ନେଇ ଭୟ ଓ ସତର୍କତା ବଢିଛି । ନଭେମ୍ବରରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଓମିକ୍ରନ ଚିହ୍ନଟ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.