ବାପା, ମାଆ ଓ ଶାଶୁ, ଶ୍ୱଶୁରଙ୍କ ସହିତ ବିତାନ୍ତୁ କ୍ୱାଲିଟି ସମୟ, ସରକାର ଦେଲେ ଦୁଇ ଦିନିଆ ସ୍ପେଶାଲ ଛୁଟି; କେବଳ ଏହିମାନେ ହିଁ ଉଠାଇ ପାରିବେ ଲାଭ

ଆମ ଜୀବନରେ ପରିବାରର କେତେ ମହତ୍ତ୍ୱ ଅଛି, ତାହା ଆମେ ସମସ୍ତେ ଜାଣୁ। ଖାସ୍‌ କରି କରୋନା ମହାମାରୀ ଆମକୁ ପରିବାର ସହିତ ସମୟ ଅତିବାହିତ କରିବାର ମହତ୍ତ୍ୱ ବିଷୟରେ ଏକ ଭଲ ଶିକ୍ଷା ଦେଇ ପାରିଛି। ଭାରତରେ ସବୁବେଳେ ପରିବାରକୁ ହିଁ ଗୁରୁତ୍ୱ ଦିଆଯାଇ ଆସିଛି। ଆମ ପରିବାରରେ ମାଆ, ବାପା ଏବଂ ପିଲାମାନଙ୍କ ବ୍ୟତୀତ ଶାଶୁ-ଶ୍ୱଶୁର, ଜେଜେ-ଜେଜେମାଆ, ଦାଦା-ଖୁଡୀ, ଅଜା-ଆଈ ଓ ସେମାନଙ୍କ ପରିବାର ଅର୍ଥାତ୍‌ ବିସ୍ତାରିତ ପରିବାର ମଧ୍ୟ ଆସି ଥାଆନ୍ତି।

ଦେଶରେ ପୂର୍ବରୁ ବଡ଼ ପରିବାର ଏକାଠି ରହୁଥିଲେ, ଆଜି ମଧ୍ୟ ଗାଁମାନଙ୍କରେ ବଡ଼ ପରିବାର ଏକାଠି ରହୁଛନ୍ତି। ସହରରେ ଜାଗାର ଅଭାବ ହେତୁୁ ଛୋଟ ପରିବାରର ଚଳଣୀ ନିଶ୍ଚିତ ଭାବରେ ବୃଦ୍ଧି ପାଇଛି, କିନ୍ତୁ ପରିବାରର ଗୁରୁତ୍ୱ ହ୍ରାସ ପାଇନାହିଁ। ପରିବାରର ଗୁରୁତ୍ୱକୁ ଧ୍ୟାନରେ ରଖି ଆସାମ ସରକାର ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହା ଅଧୀନରେ ରାଜ୍ୟ ସରକାର ନିଜ କର୍ମଚାରୀମାନଙ୍କୁ ୬ ଓ ୭ ଜାନୁଆରୀକୁ ସ୍ୱତନ୍ତ୍ର ଛୁଟି ଦେଇଛନ୍ତି, ଯେପରି ସେମାନେ ନିଜ ପରିବାର ସହିତ କ୍ୱାଲିଟି ସମୟ ବିତାଇ ପାରିବେ।

ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱା ଶର୍ମା ନିଜେ ସମସ୍ତ ସରକାରୀ କର୍ମଚାରୀଙ୍କୁ ଦୁଇ ଦିନିଆ ସ୍ପେଶାଲ ଛୁଟି ଦେବାକୁ ଘୋଷଣା କରିଛନ୍ତି। ୬ ଓ ୭ ଜାନୁଆରୀରେ ସ୍ୱତନ୍ତ୍ର ଛୁଟି ସହିତ ୮ ଓ ୯ ଜାନୁଆରୀରେ ଶନିବାର ଏବଂ ରବିବାରର ଛୁଟିକୁ ମିଶାଇ କର୍ମଚାରୀଙ୍କୁ ମୋଟ ୪ ଦିନର ଛୁଟି ମିଳିବ। ଏହି ୪ ଦିନରେ ସେମାନେ ନିଜ ପରିବାର ସହିତ ଭଲ ସମୟ ବିତାଇ ପାରିବେ। ନିଜର ରନ୍ଧନ କଳା ମାଧ୍ୟମରେ ପରିବାରକୁ ଆଶ୍ଚର୍ଯ୍ୟଚକିତ କରାଇ ସେମାନଙ୍କ ପାଇଁ କିଛି ଖାଦ୍ୟ ଜିନିଷ ରାନ୍ଧି ପାରିବେ। ପିଲାମାନଙ୍କ ସହିତ ମିଶି ଚିତ୍ରାଙ୍କନ କରିବା ଏବଂ ଲୁଡୋ, ଚେସ୍ ଓ ଲୁଚକାଳି ଭଳି ଖେଳ ମଧ୍ୟ ଖେଳି ପାରିବେ। ବୃଦ୍ଧମାନଙ୍କ ସହ ଖରାରେ ବସି ସେମାନଙ୍କ ଅନୁଭୂତିରୁ ଶିକ୍ଷା ପାଇ ପାରିବେ।

ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱା ଶର୍ମା ନିଜର ଏକ ଭିଡିଓ ଟ୍ୱିଟ୍ କରି କହିଛନ୍ତି ଯେ ‘ରାଜ୍ୟର କର୍ମଚାରୀମାନଙ୍କୁ ଏହି ଛୁଟି କେବଳ ମାଆ, ବାପା କିମ୍ବା ଶାଶୁ, ଶ୍ୱଶୁରଙ୍କ ସହିତ ସମୟ ଅତିବାହିତ କରିବା ପାଇଁ ଦିଆଯାଉଛି। ନିଜେ ମୁଖ୍ୟମନ୍ତ୍ରୀ ୬ ଓ ୭ ଜାନୁଆରୀରେ ପରିବାର ସହିତ ସମୟ ବିତାଇବା ପାଇଁ କର୍ମଚାରୀମାନଙ୍କୁ ଛୁଟି ଦେଇଛନ୍ତି। ତେଣୁ ଏହି ସୁଯୋଗର ଲାଭ ଉଠାନ୍ତୁ ଏବଂ ନିଜ ଗୁରୁଜନମାନଙ୍କ ଆଶୀର୍ବାଦ ସହିତ ହିଁ ସେମାନଙ୍କ ଅଭିଜ୍ଞତାର ଲାଭ ନିଅନ୍ତୁ। ସେମାନଙ୍କ ସହିତ କ୍ୱାଲିଟି ସମୟ ବିତାନ୍ତୁ ଏବଂ ସେମାନଙ୍କୁ ଖୁସି କରିବା ପାଇଁ କୌଣସି ସୁଯୋଗ ହାତଛଡ଼ା କରନ୍ତୁ ନାହିଁ’।

ସିଭିଲ ସର୍ଭିସ ଅଫିସରଙ୍କଠାରୁ ଆରମ୍ଭ କରି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ବିଶେଷ ଛୁଟିଦିନର ଲାଭ ଉଠାଇ ପାରିବେ। ଯଦି ଆପଣଙ୍କ ଘରେ ଆପଣଙ୍କ ମାଆ, ବାପା କିମ୍ବା ଶାଶୁ, ଶ୍ୱଶୁର ଅଛନ୍ତି, ତା’ ହେଲେ ଏହି ଦୁଇ ଦିନର ଭରପୂର ଲାଭ ଉଠାନ୍ତୁ। ଯଦି ଉଭୟ ମାଆ, ବାପା କିମ୍ବା ଶାଶୁ, ଶ୍ୱଶୁର ନାହାନ୍ତି, ତେବେ ସେଠି ଏହି ଛୁଟିଦିନ ଆପଣ ପାଇ ପାରିବେ ନାହିଁ। ଅର୍ଥାତ୍‌ ଏହି ଛୁଟି ନେବା ପାଇଁ ଏହା ହିଁ ହେଉଛି ସର୍ତ୍ତ। ଯଦି ସେମାନେ ଦୁନିଆରେ ନାହାନ୍ତି, ତେବେ ଆପଣ ଏହି ଦୁଇ ଦିନ ଅଫିସରେ ପହଞ୍ଚି ସେଠାକାର ପରିବାର ସହିତ ସମୟ ବିତାଇବେ ଏବଂ ଏକାଠି ବସି ସରକାରୀ କାର୍ଯ୍ୟ କରିବେ। ରାଜ୍ୟ ସରକାର ଗତବର୍ଷ ନଭେମ୍ବରରେ ଏହି ନିଷ୍ପତ୍ତି ନେଇଥିଲେ ଯେ ଆସାମ ସରକାରଙ୍କ କର୍ମଚାରୀମାନଙ୍କୁ ଦୁଇ ଦିନିଆ ଛୁଟି ଦିଆଯିବ, ଯାହାଫଳରେ ଏହି ଛୁଟିଦିନରେ ସେମାନେ ନିଜ ପରିବାର ସହିତ ଅଧିକରୁ ଅଧିକ ସମୟ ବିତାଇ ପାରିବେ।