ଦେବାଳିଆରୁ ବଞ୍ଚିବା ପାଇଁ ସୁନା ବିକ୍ରି କରୁଛି ଏହି ଦେଶ, ବର୍ତ୍ତମାନ ସୁଦ୍ଧା ଏତିକି ଟନ୍ ବିକି ସାରିଲାଣି; ପୂର୍ବରୁ ଭାରତ ବି କରି ସାରିଛି ଏମିତି
ଭାରତର ପଡୋଶୀ ଦେଶ ଶ୍ରୀଲଙ୍କା ଦେବାଳିଆରୁ ବଞ୍ଚିବା ପାଇଁ ସୁନା ବିକ୍ରି କରିବା ଆରମ୍ଭ କରି ଦେଇଛି। ଏମିତି କରି ଏହି ଦେଶ ନିଜର ଅର୍ଥ ବ୍ୟବସ୍ଥାକୁ ସାହାରା ଦେବାକୁ ଚେଷ୍ଟା କରୁଛି। ଶ୍ରୀଲଙ୍କାର କେନ୍ଦ୍ରୀୟ ବ୍ୟାଙ୍କ ମୁତାବକ, ଏହା ଶେଷ ହେଉଥିବା ବୈଦେଶିକ ମୁଦ୍ରା ଭଣ୍ଡାରକୁ ବଞ୍ଚେଇବା ପାଇଁ ନିଜର ସୁନା ସଂରକ୍ଷଣର ଏକ ଅଂଶ ବିକ୍ରି କରି ଦେଇଛି। ଶ୍ରୀଲଙ୍କାର ପ୍ରମୁଖ ଅର୍ଥନୀତିଜ୍ଞ ତଥା କେନ୍ଦ୍ରୀୟ ବ୍ୟାଙ୍କର ପୂର୍ବତନ ଡେପୁଟି ଗଭର୍ଣ୍ଣର ଡ. ଡବ୍ଲ୍ୟୁ. ଏ ବିଜେୱର୍ଦ୍ଧନେ କହିଛନ୍ତି, କେନ୍ଦ୍ରୀୟ ବ୍ୟାଙ୍କର ସୁନା ସଂରକ୍ଷଣ ହ୍ରାସ ପାଇଛି।
ଡ. ଡବ୍ଲ୍ୟୁ. ଏ ବିଜେୱର୍ଦ୍ଧନେ ଟ୍ୱିଟରେ ଲେଖିଛନ୍ତି ଯେ ସେଣ୍ଟ୍ରାଲ ବ୍ୟାଙ୍କର ସୁନା ସଂରକ୍ଷଣ ୩୮.୨ କୋଟି ଡଲାରରୁ ହ୍ରାସ ପାଇ ୧୭.୫ କୋଟି ଡଲାର ହୋଇ ଯାଇଛି। ସେପଟେ ଶ୍ରୀଲଙ୍କାର କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ନିଭାର୍ଡ କ୍ୟାବ୍ରାଲ ମଧ୍ୟ କହିଛନ୍ତି, ଦେଶ ନିଜର ସୁନା ଭଣ୍ଡାରର ଗୋଟିଏ ଭାଗକୁ ‘liquid foreign assets’କୁ ବଢ଼ାଇବା ପାଇଁ ବିକ୍ରି କରିଛି।
ଶ୍ରୀଲଙ୍କାର କେନ୍ଦ୍ରୀୟ ବ୍ୟାଙ୍କ ଚୀନ ସହିତ ମୁଦ୍ରା ଅଦଳବଦଳ ପରେ ବର୍ଷ ଶେଷରେ ହିଁ ନିଜର ସୁନା ସଂରକ୍ଷଣକୁ ବଢ଼ାଇଥିଲା। ଏକ ରିପୋର୍ଟ ମୁତାବକ, ଶ୍ରୀଲଙ୍କାର କେନ୍ଦ୍ରୀୟ ବ୍ୟାଙ୍କ ପାଖରେ ୨୦୨୧ ଆରମ୍ଭରେ ୬.୬୯ ଟନ ସୁନା ଭଣ୍ଡାର ଥିଲା ବୋଲି ଅନୁମାନ କରାଯାଉଛି। ଏବେ ପାଖାପାଖି ୩.୬ ଟନ୍ ସୁନା ବିକ୍ରି କରାଯାଇଛି। ଏହି କାରଣରୁ ଏହି ଦେଶ ପାଖରେ ୩.୦ରୁ ୩.୧ ଟନ୍ ସୁନା ହିଁ ରହିଛି। ଶ୍ରୀଲଙ୍କାର କେନ୍ଦ୍ରୀୟ ବ୍ୟାଙ୍କ ୨୦୨୦ରେ ମଧ୍ୟ ସୁନା ବିକ୍ରି କରିଥିଲା। ଶ୍ରୀଲଙ୍କା ପାଖରେ ପୂର୍ବରୁ ୧୯.୬ ଟନ୍ ସୁନାର ଭଣ୍ଡାର ଥିଲା, ସେଥି ମଧ୍ୟରୁ ୧୨.୩ ଟନ୍ ସୁନା ବିକ୍ରି ହୋଇଥିଲା। ପୂର୍ବରୁ ଏହି ଦେଶ ୨୦୧୫, ୨୦୧୮ ଏବଂ ୨୦୧୯ରେ ମଧ୍ୟ ସୁନା ବିକ୍ରି କରିଥିଲା।
ଭାରତ କେବେ କରିଥିଲା ଏମିତି
କହି ରଖୁଛୁ କି, ଭାରତ ମଧ୍ୟ ୧୯୯୧ରେ ଉଦାରୀକରଣ ପୂର୍ବରୁ ଦେଶର ଖରାପ ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ଦୁଇ ଥର ସୁନା ବନ୍ଧକ ରଖିଥିଲା। ଏହି ପରିସ୍ଥିତି ସେତେବେଳେ ଆସିଥିଲା, ଯେତେବେଳେ ଯଶୱନ୍ତ ସିହ୍ନା ଅର୍ଥମନ୍ତ୍ରୀ ଥିଲେ ଏବଂ ଚନ୍ଦ୍ରଶେଖର ପ୍ରଧାନମନ୍ତ୍ରୀ ଥିଲେ। ସେହି ସମୟରେ ଅନ୍ତର୍ଜାତୀୟ ଏଜେନ୍ସି ଭାରତର ରେଟିଙ୍ଗ୍ ଖସାଇ ଦେଇଥିଲା। ଏହି କାରଣରୁ ଭାରତ ଅନ୍ତର୍ଜାତୀୟ ମାର୍କେଟରେ ଦେବାଳିଆ ହେବାର ଆଶଙ୍କା ରହିଥିଲା। ଏମିତିରେ ଶେଷ ବିକଳ୍ପ ଭାବରେ ସୁନା ବନ୍ଧକ ରଖିବାର ନିଷ୍ପତ୍ତି ନିଆଯାଇଥିଲା। ଏହି କାରଣରୁ ୨୦ ହଜାର କିଲୋ ସୁନାକୁ ଗୁପ୍ତ ଭାବରେ ମେ’ ୧୯୯୧ରେ ସ୍ୱିଜରଲ୍ୟାଣ୍ଡର UBS ବ୍ୟାଙ୍କରେ ବନ୍ଧକ ରଖାଯାଇଥିଲା। ଏହା ପ୍ରତିବଦଳରେ ଭାରତକୁ ୨୦ କୋଟି ଡଲାର ମିଳିଥିଲା।
ଏହା ପରେ ୨୧ ଜୁନ ୧୯୯୧ରେ ପିଭି ନରସିଂହ ରାଓ ସରକାର ଆସିଥିଲେ, ଯେଉଁଥିରେ ମନମୋହନ ସିଂଙ୍କୁ ଅର୍ଥମନ୍ତ୍ରୀ କରାଯାଇଥିଲା। ନୂଆ ସରକାରଙ୍କ ପାଖରେ ମଧ୍ୟ ଦେବାଳିଆ ହେଉଥିବା ଦେଶକୁ ବଞ୍ଚାଇବାର ଆହ୍ଵାନ ଥିଲା। ଏଭଳି ପରିସ୍ଥିତିରେ ସରକାର ପୁଣି ଥରେ ସୁନା ବନ୍ଧକ ରଖିଥିଲେ। ଅବଶ୍ୟ ପରେ ଯେତେବେଳେ ଆର୍ଥିକ ସ୍ଥିତିରେ ସୁଧାର ଆସିଥିଲା, ତ ସେହି ବର୍ଷ ସୁନା ପୁଣି କିଣାଯାଇଥିଲା।