୧୧ କିଲୋ ସୁନା ଏବଂ ୧୦୧ ହୀରାର ମୁକୁଟ ରାମଲାଲାଙ୍କୁ ଦାନ କରିବାକୁ ଚାହୁଁଛି ସୁକେଶ ଚନ୍ଦ୍ରଶେଖର, ଜେଲରୁ ପଠାଇଲା ଚିଠି

ଜେଲରୁ ଭକ୍ତିଭରା ଚିଠି ପଠାଇଲା ମହାଠକ ସୁକେଶ ଚନ୍ଦ୍ରଶେଖର । ଅଯୋଧ୍ୟାରେ ନିର୍ମିତ ଭଗବାନ ଶ୍ରୀରାମଙ୍କ ମନ୍ଦିରରେ ପ୍ରତିଷ୍ଠା ହେବାକୁ ଥିବା ମୂର୍ତ୍ତି ପାଇଁ ୧୧ କିଲୋ ସୁନା ଏବଂ ୧୦୧ ହୀରା ଖଚିତ ମୁକୁଟ ଦାନ କରିବାକୁ ଚାହୁଁଛି ସୁକେଶ । ତେଣୁ ଚିଠି ଦ୍ୱାରା ଟ୍ରଷ୍ଟ ଠାରୁ ଅନମୁତି ମାଗିଛି ।

ଦିଲ୍ଲୀ ଜେଲରେ ସଜା କାଟୁଥିବା ସୁକେଶ ଚନ୍ଦ୍ରଶେଖର ପୁଣି ଏକ ନୂଆ ଇଚ୍ଛା ଜାହିର କରିଛନ୍ତି । ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରରେ ରାମଲାଲାଙ୍କ ପାଇଁ ୧୧ କିଲୋ ସୁନା ଏବଂ ୧୦୧ ହୀରା ଖଚିତ ମୁକୁଟ ଦାନ କରିବାକୁ ଇଚ୍ଛା ରଖିଛି ସୁକେଶ । ଏଥିପାଇଁ ଜେଲରୁ ଏକ ଚିଠି ଲେଖି ମୂର୍ତ୍ତି ଦାନ କରିବା ପାଇଁ ଅନୁମତି ମାଗିଛି ।

ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରମୁଖଙ୍କୁ ସୁକେଶ ଚିଠିରେ ଲେଖିଛି କି, ରାମଲାଲଙ୍କ ମୂର୍ତ୍ତି ପାଇଁ ଏକ ମୁକୁଟ ଦାନ କରିବାକୁ ଚାହୁଁଛି । ନିଜ ସାମର୍ଥ୍ୟ ଅନୁସାରେ ଦାନ କରିବି । ଏହି ମୁକୁଟ ୧୧ କିଲୋ ୯୧୬ କ୍ୟାରେଟ ସୁନାରେ ନିର୍ମିତ । ଏହି ମୁକୁଟରେ ୧୦୧ଟି ହୀରା ରହିବ । ପ୍ରତି ହୀରାର ଓଜନ ୫ କ୍ୟାରେଟ ରହିବ ।

ସୁକେଶ କହିଛି କି, ମୋ ପରିବର ଭଗବାନ ଶ୍ରୀ ରାମଙ୍କ ବଡ ଭକ୍ତ । ତେଣୁ ମୁଁ ମୁକୁଟ ଦାନ କରିବାକୁ ଚାହୁଁଚି । ତେବେ ଆମ ପାଖରେ ଯାହା ରହିଛି, ତାହା ଭଗବାନ ରାମଙ୍କ ଆଶୀର୍ବାଦରୁ ଅଛି । ତେଣୁ ମହାନ ମନ୍ଦିର ପାଇଁ ଛୋଟ ଯୋଗଦାନ କରିବାକୁ ଚାହୁଁଛୁ ।

ସୁକେଶ ଏହି ଚିଠିରେ ମୁକୁଟ ତିଆରି କରିବା ଜୁଏଲାରୀ ଦୋକାନ ବିଷୟରେ ଲେଖିଛି । ତେବେ ୧୯୦୦ ମସିହାରୁ ଜୁଏଲାରୀ ତିଆରି କରୁଥିବା ଦକ୍ଷିଣ ଭାରତର ଏକ ଜୁଏଲର ଏଭଳି ମୁକୁଟ ତିଆରି କରିଛନ୍ତି ।

ଚିଠି ମୁତାବକ, ସୁକେଶଙ୍କ ଓକିଲ ଟ୍ରଷ୍ଟକୁ ମୁକୁଟ ଦାନ କରିବେ । ସୁକେଶଙ୍କ ଆଇନ ପରାମର୍ଶଦାତା ଅନନ୍ତ ମଲିକ ଏବଂ ଷ୍ଟାଫ ସଦସ୍ୟ ଏହାର ଦାୟିତ୍ୱ ନେଇଛନ୍ତି । ଏହାସହିତ ଜଡିତ ସମସ୍ତ ବିଲ୍‌, ପ୍ରମାଣପତ୍ର ଏବଂ ଆଇନଗତ ଔପଚାରିକତା ବିଷୟରେ ଧ୍ୟାନ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.