ଚାକିରିରେ ମହିଳା ସଂରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ଶୁଣାଣି, କହିଲେ – ‘ଭେଦଭାବ ନୁହେଁ, ମେରିଟ୍‌ ହିଁ ହେବ ମୁଖ୍ୟ ଆଧାର’

ଚାକିରିରେ ମହିଳାଙ୍କ ପାଇଁ ସଂରକ୍ଷଣ ମାମଲାରେ ସୁପ୍ରିମ୍‌କୋର୍ଟ ଏକ ବଡ଼ ଘୋଷଣା କରିଛନ୍ତି। କୋର୍ଟ କହିଛନ୍ତି, ଯଦି କୌଣସି ସଂରକ୍ଷିତ ବର୍ଗର ମହିଳା ସାଧାରଣ ବର୍ଗ ପାଇଁ ନିର୍ଦ୍ଧାରିତ ହୋଇଥିବା କଟ୍‌ଅଫ୍‌ ମାର୍କରୁ ଅଧିକ ନମ୍ବର ଆଣନ୍ତି ତେବେ ସେ ସାଧାରଣ ବର୍ଗକୁ ଯାଇପାରିବେ। ଅର୍ଥାତ୍‌, ଉକ୍ତ ମହିଳା ପ୍ରାର୍ଥୀଙ୍କର ଗଣତି ସାଧାରଣ ବର୍ଗରେ ହେବ। କୋର୍ଟ କହିଛନ୍ତି, ଓପନ୍‌ ବା ସାଧାରଣ ବର୍ଗ ସମସ୍ତଙ୍କ ପାଇଁ। ସେଥିରେ ସଂରକ୍ଷିତ ବର୍ଗର ଲୋକ ମଧ୍ୟ ଆସୁଛନ୍ତି ଓ ଓପନ୍‌ କାଟାଗୋରୀରେ କେବଳ ମେରିଟ୍‌ ହିଁ ଆଧାର ହେବ।

ଏଥିସହ ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ପୋଲିସ ନିଯୁକ୍ତିରେ ସାଧାରଣ ବର୍ଗର କଟ୍‌ଅଫ୍‌ରୁ ଅଧିକ ନମ୍ବର ରଖିଥିବା ଅନ୍ୟ ପଛୁଆ ବର୍ଗ(ଓବିସି)ର ସଂରକ୍ଷିତ ବର୍ଗର ମହିଳା ପ୍ରାର୍ଥୀଙ୍କୁ ଚାକିରି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍‌ ୟୁୟୁ ଲଳିତ, ଜଷ୍ଟିସ୍‌ ଏସ୍‌ ରବିନ୍ଦ୍ର ଭଟ୍ଟ ଓ ଜଷ୍ଟିସ୍‌ ଋଷିକୋ ରାୟଙ୍କୁ ନେଇ ଅନୁଷ୍ଠିତ ଖଣ୍ଡପୀଠରେ ଉତ୍ତର ପ୍ରଦେଶରେ ୨୦୧୩ରେ ପୋଲିସ ନିଯୁକ୍ତି ମାମଲାରେ ଶୁକ୍ରବାର ଏହି ବଡ଼ ଶୁଣାଣି ହୋଇଛି।

ସୂଚନାଯୋଗ୍ୟ ଯେ ସାଧାରଣ ବର୍ଗର ପ୍ରାର୍ଥୀ ସୋନମ୍‌ ତୋମାର ପୋଲିସ କନେଷ୍ଟବଳ ନିଯୁକ୍ତି ୨୦୧୩ରେ ଅନିୟମିତତା ହୋଇଥିବା ନେଇ ସୁପ୍ରିମ୍‌କୋର୍ଟରେ ଏକ ପିଟିସନ୍‌ ଦାଖଲ କରିଥିଲେ। ଏହି ପିଟିସନ୍‌ ଆଧାରରେ ସୁପ୍ରିମ୍‌କୋର୍ଟ ଶୁଣାଣି କରି କହିଛନ୍ତି ଯେ, ଓବିସିର ମହିଳା ଶ୍ରେଣୀର ସମସ୍ତ ପ୍ରାର୍ଥୀ ଯେଉଁମାନେ ସାଧାରଣ ବର୍ଗର କଟ୍‌ଅଫ୍‌ ୨୭୪.୮୯୨୮ରୁ ଅଧିକ ନମ୍ବର ରଖିଛନ୍ତି, ସେମାନଙ୍କୁ ଉତ୍ତର ପ୍ରଦେଶ ପୋଲିସରେ କନେଷ୍ଟବଳ ଚାକିରି ଦିଆଯାଉ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.