ନିର୍ବାଚନରେ ଭିଭିପାଟ୍‌ ସ୍ଲିପ୍‌ ଗଣତି ସଂଖ୍ୟା ବଢ଼ାଇବାକୁ ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ, ଏପ୍ରିଲ ୧ ସୁଦ୍ଧା ସତ୍ୟପାଠ ଦାଖଲ କରିବେ ନିର୍ବାଚନ କମିଶନ

ଆଗାମୀ ସାଧାରଣ ନିର୍ବାଚନରେ ଅଧିକ ସଂଖ୍ୟାରେ ଭିଭିପାଟ୍‌ ସ୍ଲିପ୍‌ ଗଣତି କରି ଇଭିଏମ୍‌ ଭୋଟର ଟାଲି କରାଯିବ ଆବଶ୍ୟକ। ନିର୍ବାଚନ କମିଶନଙ୍କୁ ଆଜି ସୁପ୍ରିମକୋର୍ଟ ଏଭଳି ପ୍ରସ୍ତାବ ଦେଇଛନ୍ତି। ପ୍ରଧାନବିଚାରପତି ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପିଠ କହିଛନ୍ତି, ଏ ନେଇ ନିର୍ବାଚନ କମିଶନ ଏପ୍ରିଲ ୧ ସୁଦ୍ଧା ସତ୍ୟପାଠ ଦେବେ। କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, କୌଣସି ବି ଅନୁଷ୍ଠାନ ଯେକୌଣସି ଭଲ ପ୍ରସ୍ତାବଠାରୁ ଦୂରେଇ ରହିବା ଉଚିତ ନୁହଁ।

ନିର୍ବାଚନ କମିଶନ ଘୋଷଣା କରିଛନ୍ତି, ଚଳିତ ନିର୍ବାଚନରେ ପ୍ରତି ନିର୍ବାଚନୀ କ୍ଷେତ୍ରରେ ଗୋଟିଏ ପୋଲିଂ ବୁଥରେ ହିଁ ଭିଭିପାଟ୍‌ ସ୍ଲିପ୍‌ ସହ ଇଭିଏମ୍‌ ଭୋଟ୍‌ର ଟାଲି କରାଯାଇ ପାରିବ। ଆବେଦନକାରୀ କହିଛନ୍ତି, ଏହା ଦ୍ୱାରା ମାତ୍ର ଶୂନ ଦଶମିକ ୪୪ ପ୍ରତିଶତ ଭୋଟର ଯାଞ୍ଚ ହୋଇ ପାରିବ। ଯାହା ଭିଭିପାଟ୍‌ ବ୍ୟବହାରର ଅସଲ ଉଦ୍ଦେଶ୍ୟ ପୁରଣ କରିପାରିବ ନାହିଁ। ପୂର୍ବରୁ ସମୁଦାୟ ଇଭିଏମ୍‌ ସହ ୩୩ ପ୍ରତିଶତ ଭୋଟ ଭିଭିପାଟ ସ୍ଲିପ ସହ ଟାଲି କରିବା ଲାଗି ନିର୍ବାଚନ କମିଶନଙ୍କ ପାଖରେ ଦାବି ହୋଇଥିଲା। କିନ୍ତୁ ଲଜିଷ୍ଟିକ୍‌ ସମସ୍ୟା ଦର୍ଶାଇ କମିଶନ ଏହି ପ୍ରସ୍ତାବକୁ ଖାରଜ କରିଦେଇଥିଲେ।

ଇଭିଏମ୍‌ ଜରିଆରେ ନିର୍ବାଚନ ସଂପୂର୍ଣ୍ଣ ତ୍ରୁଟି ଶୁନ୍ୟ ନୁହେଁ। ଟ୍ୟାମ୍ପରିଂ ସଂଦେହ ରହିଛି। ବିରୋଧୀ ଦଳର ଏଭଳି ଅଭିଯୋଗକୁ ନିର୍ବାଚନ କମିଶନ ଖଣ୍ଡନ କରିବା ପରେ ୫୦ ପ୍ରତିଶତ ଭୋଟ ଭିଭିପାଟର ସ୍ଲିପ୍‌ ଯାଂଚ ପାଇଁ ବିରୋଧୀ ଦାବି କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ତେଲୁଗ ଦେଶମ୍‌ ପାର୍ଟି ସହ ସମେତ ୨୧ଟି ବିରୋଧୀ ଦଳ ପକ୍ଷରୁ ଆବେଦନ କରାଯାଇଥିଲା। ଏ ନେଇ ତୁରନ୍ତ ସତ୍ୟପାଠ ଦେବାକୁ କୋର୍ଟ ନିର୍ବାଚନ କମିନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.