ମୁଜାଫରପୁର ସେଲଟରହୋମରେ ଦୁଷ୍କର୍ମ ମାମଲା : ବିହାର ସରକାରଙ୍କୁ ତୀବ୍ର ଭର୍ତ୍ସନା କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ : ମୁଜାଫରପୁର ବାଳିକାଗୃହରେ ଦୁଷ୍କର୍ମ ମାମଲାକୁ ନେଇ ବିହାର ସରକାରଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ମାମଲାର ଶୁଣାଣି ପାଇଁ ଗଠିତ ତିନି ଜଣିଆ ଖଣ୍ଡପୀଠ ଗଭୀର ଉଦବେଗ ପ୍ରକାଶ କରି କହିଛନ୍ତି ଯେ ଏନ୍‌ଜିଓ ଦ୍ୱାରା ପରିଚାଳିତ ଏହି ବାଳିକା ଗୃହରେ ଯେଭଳି ଜଘନ୍ୟ କାଣ୍ଡ ଘଟିଛି ଲାଗୁଛି ଯେମିତି ଏହା ପଛରେ ବିହାର ସରକାରଙ୍କ ପ୍ରୋତ୍ସାହନ ରହିଛି । ଏହି ବାଳିକା ଗୃହରେ ନାବାଳିକା ଓ ମହିଳାମାନେ ବାରମ୍ବାର ଦୁଷ୍କର୍ମର ଶିକାର ହେଲେ । ଅଥଚ କେହି କିଛି କରି ପାରିଲେ ନାହିଁ । ନେସନାଲ କ୍ରାଇମ୍‌ ରେକର୍ଡ଼ ବ୍ୟୁରୋର ତଥ୍ୟ ଅନୁଯାୟୀ ଦେଶରେ ପ୍ରତି ୬ ଘଣ୍ଟାରେ ଜଣେ ଲେଖାଏଁ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । ୨୦୧୬ରେ ଭାରତରେ ୩୮, ୯୪୭ ଜଣ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି । ଏଭଳି ପରିସ୍ଥିତିରେ କଣ କରାଯିବ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି । ଜଷ୍ଟିସ୍‌ ଏମ୍‌ବି ଲୋକୁର, ଜଷ୍ଟିସ୍‌ ଦୀପକ ଗୁପ୍ତା ଓ ଜଷ୍ଟିସ୍‌ କେଏମ୍‌ ଯୋଶେଫଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ଉଦବେଗ ପ୍ରକାଶ କରିଛନ୍ତି । ଆହୁରି ମଧ୍ୟ ବିହାର ବାଳିକା ଗୃହ କିଏ ଚଳାଉଥିଲା, ଏଥିଲାଗି କିଏ ପାଣ୍ଠି ଯୋଗାଉଥିଲା ବୋଲି ସୁପ୍ରିମ କୋର୍ଟ ପ୍ରଶ୍ନ କରିଛନ୍ତି । ଏଭଳି ଆଶ୍ରୟ ଗୃହର ଦୈନିକ ତଦାରଖ, ସେଠାରେ ସିସିଟିଭି ଲଗାଇବା ଆଦି ସୁରକ୍ଷା ଜନିତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ମୁଜାଫରପୁର ଭଳି ବିହାରରେ ଆଉ ୧୫ଟି ସେଲଟର ହୋମ୍‌ ଏବେ ଯାଞ୍ଚ ପରିସରଭୁକ୍ତ ହୋଇଥିବା ସୁପ୍ରିମ କୋର୍ଟ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.