ପ୍ରଥମ ଥର ଲୋକଙ୍କ ସାମ୍ନାକୁ ଆସିଲେ ଆଫଗାନିସ୍ତାନର ସର୍ବୋଚ୍ଚ ନେତା ହୈବତୁଲ୍ଲାହ ଅଖୁନ୍ଦଜାଦା, ଅତୀତରେ ମୃତ୍ୟୁ ଖବର ଆସିଥିଲା ସାମ୍ନାକୁ!

ଆଫଗାନିସ୍ତାନରେ ତାଲିବାନର ସର୍ବୋଚ୍ଚ ନେତା ହୈବତୁଲ୍ଲାହ ଅଖୁନ୍ଦଜାଦା ପ୍ରଥମ ଥର ପାଇଁ ସାର୍ବଜନିକ ରୂପେ ସାମ୍ନାକୁ ଆସିଛନ୍ତି। ମିଳିଥିବା ସୂଚନା ମୁତାବକ, ଅଖୁନ୍ଦଜାଦା ପ୍ରଥମ ଥର କନ୍ଧାରରେ ନିଜ ସମର୍ଥକମାନଙ୍କୁ ସମ୍ବୋଧିତ କରିଛନ୍ତି। ଏହା ତାଙ୍କର ପ୍ରଥମ ସାର୍ବଜନିକ ଉପସ୍ଥିତି ଥିଲା। କହି ରଖୁଛୁ ଯେ ଅଖୁନ୍ଦଜାଦା ତାଲିବାନର ସର୍ବୋଚ୍ଚ ନେତା ବ୍ୟତୀତ ସୁପ୍ରିମ୍‌ କମାଣ୍ଡର ମଧ୍ୟ ଅଛନ୍ତି। ଅଖୁନ୍ଦଜାଦାଙ୍କ ଉପସ୍ଥିତି ନେଇ ଦୁଇ ଦଶକ ଭିତରେ ଆମେରିକା ମଧ୍ୟ ପତ୍ତା ଲଗେଇ ପାରି ନ ଥିଲା। ଆଫଗାନିସ୍ତାନ ଉପରେ କବ୍‌ଜା କରିବାର କିଛି ଦିନ ପରେ ତାଲିବାନ କହିଥିଲା କି, ଅଖୁନ୍ଦଜାଦା କନ୍ଧାରରେ ହିଁ ଅଛନ୍ତି ଏବଂ ସେ ଜଲ୍‌ଦି ସମସ୍ତଙ୍କ ସାମ୍ନାକୁ ଆସିବେ। ତାଲିବାନ ସରକାର ଗଢ଼ିବା ପରେ ମଧ୍ୟ ଏହା କୁହାଯାଉଥିଲା କି, ଅଖୁନ୍ଦଜାଦା ସାମ୍ନାକୁ ଆସିବେ, ହେଲେ ସେ ଆସି ନ ଥିଲେ। କହି ରଖୁଛୁ, କନ୍ଧାର ପ୍ରଥମରୁ ହିଁ ତାଲିବାନର ଗଡ଼ ରହି ଆସିଛି। ତାଲିବାନର ରଣନୀତି ଏହିଠାରୁ ହିଁ ତୟ କରାଯାଉଛି।

ହୈବତୁଲ୍ଲାହ ଅଖୁନ୍ଦଜାଦା ୨୦୧୬ ମସିହାଠାରୁ ହିଁ ଇସ୍‌ଲାମିକ ଆନ୍ଦୋଳନର ଆଧ୍ୟାତ୍ମିକ ପ୍ରମୁଖ ରହିଛନ୍ତି। ସେ ସାର୍ବଜନିକ ରୂପରେ ବହୁତ କମ୍‌ ସାମ୍ନାକୁ ଆସିଛନ୍ତି। ଯଦିଓ ତାଲିବାନର ସମସ୍ତ ସର୍ବୋଚ୍ଚ ନେତା ଏହିଭଳି ଭାବେ ଲୁଚିକି ରହିଛନ୍ତି। ତାଲିବାନର ସରକାର ଗଠନ ମଧ୍ୟ ଅଖୁନ୍ଦଜାଦାଙ୍କ ଇଚ୍ଛା ମୁତାବକ କରାଯାଇଛି। ବିଗତ ଦିନରେ ତାଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା। କିନ୍ତୁ ଏହି ଖବର ମିଥ୍ୟା ପ୍ରମାଣିତ ହୋଇଛି। ଅଖୁନ୍ଦଜାଦାଙ୍କ ସାର୍ବଜନିକ ରୂପେ ଉପସ୍ଥିତିକୁ ନେଇ ତାଲିବାନ ତରଫରୁ କୁହାଯାଇଛି କି, ସେ ଶନିବାର ଦାରୁଲ ଉଲୁମ୍‌ ହକୀମ୍‌ ମଦ୍ରସାରୁ ନିଜ ଯୋଦ୍ଧା ଏବଂ ସମର୍ଥକମାନଙ୍କୁ ସମ୍ବୋଧନ କରିବେ। ଏହି ସମୟରେ ତାଙ୍କର ସୁରକ୍ଷା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। କାହାକୁ ବି ତାଙ୍କ ଫଟୋ ନେବା ପାଇଁ ଅନୁମତି ସୁଦ୍ଧା ନ ଥିଲା। ତାଲିବାନ ତାଙ୍କ ସମ୍ବୋଧନର ଏକ ଛୋଟ ଅଡିଓ କ୍ଲିପ୍‌ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛି। ଅଖୁନ୍ଦଜାଦାଙ୍କୁ ‘ଅମୀରୁଲ ମୋମିନୀନ୍‌’ ରୂପରେ ମଧ୍ୟ ଜଣା ଯାଇଥାଏ, ଯାହାକି ଏକ ଧାର୍ମିକ ବାର୍ତ୍ତା ଦେଇଥାଏ।

କୁହାଯାଇଛି କି, ସେ ନିଜ ଭାଷଣରେ ରାଜନୀତି ବିଷୟରେ ଅନେକ କଥା ନୁହେଁ, ବରଂ ତାଲିବାନ ନେତୃତ୍ୱ ପାଇଁ ଈଶ୍ୱରଙ୍କ ଆଶୀର୍ବାଦ ମାଗିଛନ୍ତି। ଏଥି ସହିତ ସେ ଆମେରିକା ସହ ଯୁଦ୍ଧରେ ମୃତ୍ୟୁବରଣ କରିଥିବା ଏବଂ ଆହତ ହୋଇଥିବା ଯୋଦ୍ଧାମାନଙ୍କ ପାଇଁ ପ୍ରାର୍ଥନା ମଧ୍ୟ କରିଛନ୍ତି। ସୂଚନାଥାଉ କି, ବର୍ଷ ୨୦୧୬ରେ ମୁଲ୍ଲା ଅଖତର୍‌ ମନସୁରଙ୍କ ମୃତ୍ୟୁ ପରେ ହୈବତୁଲ୍ଲାହ ଅଖୁନ୍ଦଜାଦାଙ୍କୁ ତାଲିବାନର ନେତା ନିଯୁକ୍ତ କରାଯାଇଥିଲା। ମନସୁରଙ୍କ ମୃତ୍ୟୁ ଆମେରିକାର ଡ୍ରୋନ୍‌ ଆକ୍ରମଣରେ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.