୧୪୪ ଧାରା ଥିବା ସ୍ଥାନରେ ହେବନାହିଁ ଶୋଭାଯାତ୍ରା, ହନୁମାନ ଜୟନ୍ତୀ ପାଇଁ ସତର୍କ କରାଇଲେ କଲିକତା ହାଇକୋର୍ଟ
ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହିଂସା ଆଶଙ୍କାକୁ ଦୃଷ୍ଟିରେ ରଖି କଲିକତା ହାଇକୋର୍ଟ କେନ୍ଦ୍ରୀୟ ସୁରକ୍ଷା ବାହିନୀ ନିୟୋଜିତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସାଧାରଣ ଲୋକଙ୍କୁ ମଧ୍ୟ ୧୪୪ ଧାରା ଲାଗୁ ଥିବା ସ୍ଥାନରେ ଶୋଭାଯାତ୍ରା ନ କରିବାକୁ କହିଛନ୍ତି।

ପଶ୍ଚିମବଙ୍ଗରେ ହିଂସା ଭିତରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାକୁ ନେଇ କଲିକତା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଶାନ୍ତି ବଜାୟ ରଖିବା ପାଇଁ କେନ୍ଦ୍ରୀୟ ସୁରକ୍ଷା ବାହିନୀ ନିୟୋଜିତ କରିବାକୁ କୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି। ଏହା ସହିତ ଶୋଭାଯାତ୍ରା କରୁଥିବା ଲୋକଙ୍କୁ ମଧ୍ୟ ୧୪୪ ଧାରା ଲାଗୁ ଥିବା ସ୍ଥାନରେ ଶୋଭାଯାତ୍ରା ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଯେତେବେଳେ ବର୍ତ୍ତମାନ ପୂରା ପଶ୍ଚିମବଙ୍ଗ ରାମ ନବମୀ ଦିନଠାରୁ ହିଂସା କବଳରେ ରହିଛି, ଏମିତି ସମୟରେ କଲିକତା ହାଇକୋର୍ଟ ଏହି ଆଦେଶ ଜାରି କରିଛନ୍ତି। ସେପଟେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିଶୀଥ ପ୍ରମାଣିକ ବଙ୍ଗରେ ଚାଲିଥିବା ହିଂସାକୁ ନେଇ ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି।
ସେ କହିଛନ୍ତି ଯେ ବଙ୍ଗ ସରକାର ରାଜ୍ୟରେ ଆଇନ ଶୃଙ୍ଖଳା ପ୍ରତିଷ୍ଠା କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ରାମ ନବମୀ ଦିନଠାରୁ ବଙ୍ଗ ଜଳୁଛି ଏବଂ ସେଠାକାର ପ୍ରଶାସନ ଓ ସରକାର ମୂକ ଦର୍ଶକ ସାଜିଛନ୍ତି।