ଆକାଉଣ୍ଟରୁ ଚାଲିଗଲା ୫୨ ଲକ୍ଷ, ଠକଙ୍କ ଜାଲରେ ଫସିଲେ ଡାକ୍ତର

ତାମିଲନାଡୁର ଏକ ତାଜା ମାମଲା ସାମ୍ନାକୁ ଆସିଛି । ତାମିଲନାଡ଼ୁର ଜଣେ ଡାକ୍ତରଙ୍କ ନିକଟକୁ ଏକ କୋରିଅର କମ୍ପାନୀରୁ ପାର୍ସଲ ଡେଲିଭରି ପାଇଁ କଲ୍‌ ଆସିଥିଲା । ପରେ ତାଙ୍କ ଆକାଉଣ୍ଟରୁ ୫୨ ଲକ୍ଷ ଟଙ୍କା ଚାଲିଯାଇଥିଲା ।

ଭାରତରେ ହ୍ୟାକିଂ ଏବଂ ସାଇବର ଠକେଇ ମାମଲା ବଢ଼ି ଚାଲିଛି । ଦେଶରେ ଏତେ ମାତ୍ରାରେ ସାଇବର ଠକେଇ ମାମଲା ଦେଖିବାକୁ ମିଳୁଛି ଯେ ଏହା ବର୍ତ୍ତମାନ ସାଧାରଣ କଥା ହୋଇଯାଇଛି । ସାଧାରଣ ଲୋକମାନେ ପ୍ରତିଦିନ ନୂଆ ନୂଆ ଉପାୟରେ ଠକାମିର ଶିକାର ହେଉଛନ୍ତି । ସ୍କାମରମାନେ ଟେକ୍ନୋଲୋଜି ବ୍ୟବହାର କରି ଲୋକଙ୍କୁ ଠକୁଛନ୍ତି । ତେବେ ନିକଟରେ ହିଁ ତାମିଲନାଡୁର ଏକ ତାଜା ମାମଲା ସାମ୍ନାକୁ ଆସିଛି । ତାମିଲନାଡ଼ୁର ଜଣେ ଡାକ୍ତରଙ୍କ ନିକଟକୁ ଏକ କୋରିଅର କମ୍ପାନୀରୁ ପାର୍ସଲ ଡେଲିଭରି ପାଇଁ କଲ୍‌ ଆସିଥିଲା । ପରେ ତାଙ୍କ ଆକାଉଣ୍ଟରୁ ୫୨ ଲକ୍ଷ ଟଙ୍କା ଚାଲିଯାଇଥିଲା । ସେ ଠକାମିର ଶିକାର ହେବା ପରେ ବର୍ତ୍ତମାନ ଚିନ୍ତାରେ ଅଛନ୍ତି । ତେବେ ଆସନ୍ତୁ ଜାଣିବା କିପରି ଜଣେ ଡାକ୍ତର ସାଇବର ଫ୍ରଡର ଶିକାର ହେଲେ ।

ତାମିଲନାଡୁର ରାମଲିଙ୍ଗା ନଗରର ବାସିନ୍ଦା ଡକ୍ଟର ଆନନ୍ଦଙ୍କ ପାଖକୁ ଫେଡେକ୍ସ କୋରିଅର କମ୍ପାନୀରୁ ଏକ କଲ ଆସିଥିଲା । ପରେ ତାଙ୍କୁ କଲ କରି କୁହାଯାଇଥିଲା ଯେ ଆପଣଙ୍କ ପାଇଁ ଏକ ଜରୁରୀ ପାର୍ସଲ ଆସିଛି ଯାହା ଡେଲିଭରି ହେବ । କୋରିଅର କମ୍ପାନୀ ନାମରେ ଫୋନ କରିଥିବା ଠକ ଜଣଙ୍କ କହିଥିଲା ଯେ ସେ ଏୟାରପୋର୍ଟର ସିବିଆଇ ଟିମ୍‌ ରୁ କଥା ହେଉଛି । ଏଭଳି କଥା ଶୁଣିବା ପରେ ଡାକ୍ତର ଜଣଙ୍କ ଭୟ ପାଇଥିଲେ ।

କଲ୍ କରିଥିବା ଉକ୍ତ ଠକ ଜଣକ ଡାକ୍ତରଙ୍କୁ କହିଥିଲା ଯେ ତାଙ୍କ ଆଧାର କାର୍ଡ ବ୍ୟବହାର କରି ତାଇୱାନରୁ ଏକ ପ୍ୟାକେଟ୍ ଅର୍ଡର କରାଯାଇଛି । ପରେ ଠକ ଜଣକ ଡାକ୍ତରଙ୍କୁ ଡରାଇବା ପାଇଁ ପ୍ୟାକେଟକୁ ନେଇ ଡାକ୍ତରଙ୍କ ବିରୋଧରେ ପୋଲିସର ଅଭିଯୋଗ ହୋଇଛି ବୋଲି କହିଥିଲା । ବାଶ୍‌ ତାପରେ ଡାକ୍ତର ଜଣଙ୍କ ଠକ ଜାଲରେ ଫସି ଯାଇଥିଲେ ।

ଏହା ପରେ ଡାକ୍ତରଙ୍କ ନିକଟକୁ ଆଉ ଏକ କଲ୍‌ ଆସିଥିଲା ଏବଂ କଲରେ ଥିବା ବ୍ୟକ୍ତି ନିଜକୁ ସିବିଆଇ ଅଧିକାରୀ ବୋଲି ଦାବି କରିଥିଲା । ଏହା ପରେ ମାମଲାକୁ ବନ୍ଦ କରିବା ସହ ପାର୍ସଲ ଡେଲିଭରି କରିବା ପାଇଁ ଡାକ୍ତରଙ୍କୁ ଟଙ୍କା ଟ୍ରାନ୍ସଫର କରିବାକୁ କୁହାଯାଇଥିଲା । ଡାକ୍ତର ଭାବିଥିଲେ ଯେ ସେ ଜଣେ ପ୍ରକୃତ ସିବିଆଇ ଅଧିକାରୀଙ୍କ ସହ କଥା ହେଉଛନ୍ତି ଏବଂ ଏହା ପରେ ସେ RTGS ଦ୍ୱାରା ଠକମାନଙ୍କ ଆକାଉଣ୍ଟକୁ ୫୨,୧୦,୩୬୪ ଟଙ୍କା ଟ୍ରାନ୍ସଫର କରିଥିଲେ ।

ଏହି ଠକାମି କରିବା ପାଇଁ ସାଇବର ଠକ ମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ି ନଥିଲା । ଡାକ୍ତର ଜଣଙ୍କ ନିଜେ ଠକମାନଙ୍କ ଜାଲରେ ଫସି ଯାଇଥିଲେ । ଯଦି ଆପଣଙ୍କୁ ମଧ୍ୟ ଏପରି କଲ୍ କିମ୍ବା ମେସେଜ ଆସୁଛି , ତେବେ ସାବଧାନ ରୁହନ୍ତୁ ଏବଂ ଶିକାର ହେବା ପୂର୍ବରୁ ସାଇବର ପୋଲିସ୍ ନିକଟରେ ଅଭିଯୋଗ କରନ୍ତୁ । ନଚେତ ଆପଣଙ୍କର ବି ଲକ୍ଷ ଲକ୍ଷ ଟଙ୍କା ଉଡ଼ିଯିବାର ସମ୍ଭାବନା ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.