ହଲିଉଡ୍ ଗାୟିକା ଲେଡି ଗାଗାଙ୍କ କୁକୁରକୁ ମାରିଥିଲେ ଗୁଳି; ଏବେ ଦୋଷୀଙ୍କୁ ମିଳିଲା ୨୧ ବର୍ଷ ଜେଲ୍ଦଣ୍ଡ

ହଲିଉଡ୍ ଗାୟିକା ଲେଡି ଗାଗାଙ୍କୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଗାଗାଙ୍କ ପୋଷା କୁକୁରକୁ ଗୁଳି ମାରିଥିବା ଯୁବକଙ୍କୁ ୨୧ ବର୍ଷ ଜେଲ୍ଦଣ୍ଡ ମିଳିଛି। ଏହି ମାମଲା ୨୦୨୧ର, ଯାହାକୁ ନେଇ କୋର୍ଟ ଏବେ ନିଜର ରାୟ ଶୁଣାଇଛନ୍ତି। ସୂଚନା ମୁତାବକ, ଲେଡି ଗାଗାଙ୍କ ଫ୍ରେଞ୍ଚ ବୁଲ୍ଡଗକୁ କେହି ଗୁଳି ମାରିଥିଲା। ଆକ୍ରମଣକାରୀଙ୍କ ନାମ ଥିଲା ଜେମ୍ସ ହାଓ୍ଵର୍ଡ ଜ୍ୟାକସନ, ଯିଏକି ଗତବର୍ଷ ଫେବୃୟାରୀରେ ନିଜର ଦୁଇ ସାଥୀଙ୍କ ସହ ମିଶି ଏହି କାଣ୍ଡ ଘଟାଇଥିଲେ।
ରିପୋର୍ଟ ମୁତାବକ, ଅଭିଯୁକ୍ତ ଜ୍ୟାକସନ ହଲିଉଡ୍ ଷ୍ଟ୍ରିଟ୍ରେ ରାୟନ ଫିଶର ଉପରେ ଆଟାକ୍ କରିଥିଲେ, ଯିଏ ଲେଡି ଗାଗାଙ୍କ ୩ ପୋଷା କୁକୁରଙ୍କୁ ବୁଲାଇବା ପାଇଁ ନେଇକି ଯାଇଥିଲେ। ଏହି ସମୟରେ ଅଭିଯୁକ୍ତ ଲେଡି ଗାଗାଙ୍କ ଡଗ୍ ଓ୍ଵାକର ଉପରେ ଆକ୍ରମଣ କରିଥିଲେ। ଏହି ଘଟଣାକୁ ନେଇ ଲେଡି ଗାଗା ଅତ୍ୟନ୍ତ ମର୍ମାହତ ହୋଇ ପଡ଼ିଥିଲେ। କାରଣ, ୩ ପୋଷା କୁକୁରଙ୍କୁ ଗାଗା ନିଜ ଜୀବନଠୁ ଅଧିକ ଭଲ ପାଉଥିଲେ।
ସିଙ୍ଗରଙ୍କ କୁକୁରମାନଙ୍କୁ କେହି ଅପହରଣ କରି ନେଇଯାଇଥିଲେ। ପରେ ଲେଡି ଗାଗା ନିଜର ପୋଷା କୁକୁରଙ୍କୁ ଫେରାଇ ଆଣିବା ପାଇଁ ୫୦୦,୦୦୦ ଡଲାରର ପୁରସ୍କାର ରାଶି ଘୋଷଣା କରିଥିଲେ। ଜଣେ ମହିଳା ଆଣି ତାଙ୍କ କୁକୁରମାନଙ୍କୁ ଫେରାଇଥିଲେ, କିନ୍ତୁ ପରେ କାହାଣୀ ଆଉ କିଛି ବାହାରିଥିଲା। କାହିଁକି ନା, ସେହି ମହିଳା ହିଁ କୁକୁରମାନଙ୍କୁ ଚୋରି କରିଥିଲେ। ସେପଟେ ଏହି ମାମଲାରେ ଜ୍ୟାକସନଙ୍କ ବ୍ୟତୀତ ତାଙ୍କର ଅନ୍ୟ ସାଥୀମାନେ ବର୍ତ୍ତମାନ ଜେଲ୍ରେ ଅଛନ୍ତି।
ଲସ୍ ଏଞ୍ଜେଲସ୍ ପୋଲିସକୁ ଏହା ଲାଗୁନି ଯେ ମାଲିକମାନଙ୍କ ଉପରେ ରାଗ ଯୋଗୁ ସେମାନଙ୍କ କୁକୁରଙ୍କୁ ଟାର୍ଗେଟ୍ କରାଯାଉଛି। ବରଂ ପୋଲିସର କହିବା ହେଲା, ମାର୍କେଟ୍ରେ ଏହି କୁକୁରମାନଙ୍କୁ ଚଢ଼ା ଦାମ୍ରେ ବିକ୍ରି କରାଯାଉଛି। ହୋଇପାରେ, ସେମାନଙ୍କୁ ଚୋରାଇ କଳା ବଜାରୀରେ ବିକ୍ରି କରିବା ପାଇଁ ସେମାନଙ୍କ ଉପରେ ଆକ୍ରମଣ କରାଯାଇଥିବ। ସେଲିବ୍ରିଟିମାନଙ୍କର ଡିମାଣ୍ଡ ହେତୁ ଏହି କୁକୁରମାନଙ୍କ ଦାମ୍ ପୂର୍ବାପେକ୍ଷା ବଢ଼ିଯାଇଛି।