ସମଲିଙ୍ଗୀ ବିବାହକୁ ମିଳିବ କି ଆଇନରେ ମାନ୍ୟତା ? ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ମାମଲାର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ତା ଉପରେ ଦେଶର ନଜର ରହିଛି ।

ନୂଆଦିଲ୍ଲୀ : ସମଲିଙ୍ଗୀ ବିବାହ ମାମଲାର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ସିଜେଆଇଙ୍କ ନେତୃତ୍ୱାଧୀନ ସୁପ୍ରିମକୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ସମଲିଙ୍ଗୀ ବିବାହ ମାମଲାର ଶୁଣାଣି କରିବେ । ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ଦାବି କରି ସୁପ୍ରିମକୋର୍ଟର ଏକାଧିକ ଆବେଦନ ହୋଇଛି। ସମଲିଙ୍ଗୀ ବିବାହକୁ ବିରୋଧ କରି ଗତକାଲି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର । ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବାରୁ ସର୍ବୋଚ୍ଚ ନ୍ୟାୟାଳୟ ବିରତ ରୁହନ୍ତୁ ବୋଲି କେନ୍ଦ୍ର ସରକାର କହିଛନ୍ତି ।

ସୁପ୍ରିମକୋର୍ଟକୁ ସରକାର କହିଛନ୍ତି ସମଲିଙ୍ଗୀ ବିବାହକୁ ଅନୁମତି ବିବାହ ଭଳି ଏକ ଅନୁଷ୍ଠାନ ପ୍ରତି ପକ୍ଷପାତ ହେବ। କାରଣ ପାରମ୍ପରିକ ଭାବେ ବିବାହକୁ ସାରା ବିଶ୍ୱରେ ଏକ ସାମାଜିକ-ଆଇନଗତ ସଂପର୍କ ଭାବେ ଗ୍ରହଣ କରାଯାଏ । ଧର୍ମ ନିର୍ବିଶେଷରେ ଗ୍ରହଣ କରାଯାଏ। ଏହାକୁ ହିନ୍ଦୁ ଆଇନର ସବୁ ବିଭାଗରେ ଧାର୍ମିକ ଅନୁଷ୍ଠାନ ଭାବେ ବିଚାର କରାଯାଏ।

ଇସଲାମରେ ମଧ୍ୟ ଏହା ଧାର୍ମିକ ଅନୁଷ୍ଠାନ। ଏହା କେବଳ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ମଧ୍ୟରେ ହୋଇଥାଏ। ସମଲିଙ୍ଗୀ ବିବାହକୁ ଅନୁମତି ଦେବା ଅର୍ଥ ଆଇନର ସବୁ ବିଭାଗର ନ୍ୟାୟିକ ପୁନର୍ଲିଖିନ ସହ ସମାନ କଥା। ତେଣୁ ଏଭଳି ନିର୍ଦ୍ଦେଶ ଦେବାରୁ ବିରତ ରୁହନ୍ତୁ କୋର୍ଟ । ଏଥିସହ ସମଲିଙ୍ଗୀ ସଂପର୍କକୁ ମନ୍ୟାତା ପ୍ରଦାନ କାର୍ଯ୍ୟ ସଂସଦ ଦ୍ୱାରା କରାଯାଇପାରିବ, ନ୍ୟାୟତନ୍ତ୍ର ଦ୍ୱାରା ନୁହେଁ ବୋଲି ସରକାର କହିଛନ୍ତି।

ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦେବା ପାଇଁ ଯେଉଁ ଆବେଦନ କରାଯାଇଛି ତାହା କେବଳ କେତେଜଣ ସହରୀ ବୁଦ୍ଧିଜୀବୀଙ୍କ ଦ୍ବାରା ସାମାଜିକ ଗ୍ରହଣୀୟତା ପାଇଁ କରାଯାଇଛି । କିନ୍ତୁ ସମାଜ ଏହାକୁ କେବେ ବି ଗ୍ରହଣ କରିବ ନାହିଁ । ସୁପ୍ରିମ୍‌କୋର୍ଟର ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଏସ୍‌କେ କୌଲ, ଜଷ୍ଟିସ ରବୀନ୍ଦ୍ର ଭଟ୍ଟ, ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ପିଏସ୍ ନରସିଂହଙ୍କ ପାଞ୍ଚଜଣିଆ ସମ୍ବିଧାନ ଖଣ୍ଡପୀଠ ଏ ସମ୍ପର୍କରେ ଆଗତ ଏକାଧିକ ମାମଲାର ଶୁଣାଣି ଆଜି କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.