ଛାତ୍ରଛାତ୍ରୀ ସ୍କୁଲ ଛାଡ଼ିଦେବାରୁ କୀଟନାଶକ ପିଇଦେଲେ ଶିକ୍ଷକ, ମୃତ୍ୟୁ ପୂର୍ବରୁ ଲେଖିଲେ ଏହି ଆଶ୍ଚର୍ଯ୍ୟଜନକ କଥା

ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ୪୬ ବର୍ଷୀୟ ଜଣେ ଶିକ୍ଷକ ନିଜ ଜୀବନ ହାରି ଦେଇଛନ୍ତି। ତାଙ୍କ ମୃତ୍ୟୁର କାରଣ ବିଷୟରେ ପୋଲିସ କହିଛି ଯେ ଛାତ୍ରଛାତ୍ରୀମାନେ ସ୍କୁଲ ଆସିବା ବନ୍ଦ କରିଦେବାରୁ ଶିକ୍ଷକ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ।

ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ୪୬ ବର୍ଷୀୟ ଜଣେ ଶିକ୍ଷକ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଆତ୍ମହତ୍ୟାର କାରଣ ବିଷୟରେ ପୋଲିସ କହିଛି ଯେ ଛାତ୍ରଛାତ୍ରୀମାନେ ସ୍କୁଲ ଆସିବା ବନ୍ଦ କରିଦେବାରୁ ଶିକ୍ଷକ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ। ସୂଚନା ରହିଛି, ନିକଟରେ ପୁଣେର ଏକ ଜିଲ୍ଲା ପରିଷଦ ସ୍କୁଲକୁ ଶିକ୍ଷକଙ୍କର ଟ୍ରାନ୍ସଫର ହୋଇଥିଲା।

ପୋଲିସ ମୁତାବକ, ମୃତ ଶିକ୍ଷକଙ୍କ ନାମ ଅରବିନ୍ଦ ଜ୍ଞାନେଶ୍ୱର ଦେବକର। ଦେଢ଼ ମାସ ତଳେ ସେ ସ୍କୁଲରେ ଯୋଗଦେବା ପରେ ସ୍କୁଲରେ ସଫେଇ ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ ଏଥିରେ ଉତ୍ତ୍ୟକ୍ତ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ଅନ୍ୟ ସ୍କୁଲକୁ ନେଇଯାଇଥିଲେ। ଅଭିଭାବକମାନେ ଜାଣିବାକୁ ପାଇଥିଲେ ଯେ ସଫେଇ କର୍ମଚାରୀଙ୍କ ଅନୁପସ୍ଥିତିରେ ଶିକ୍ଷକ ସ୍କୁଲରେ ସଫେଇ କାର୍ଯ୍ୟ ପାଇଁ ଛାତ୍ରଛାତ୍ରୀଙ୍କୁ ଲଗାଇଥିଲେ।

ସେପଟେ ଛାତ୍ରଛାତ୍ରୀମାନେ ସ୍କୁଲ ଛାଡ଼ିଦେବାର ଦେଖି ଶିକ୍ଷକ ନିଜ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ। ସ୍କୁଲ ଭିତରେ ହିଁ ସେ କୀଟନାଶକ ପିଇ ଆତ୍ମହତ୍ୟା କରିଥିଲେ। ସୁଇସାଇଡ୍‌ ନୋଟ୍‌ରେ ଲେଖିଥିଲେ, ସ୍କୁଲରେ କୌଣସି ଷ୍ଟାଫ୍‌ ନ ଥିଲେ। ତେଣୁ ସେ ଯୋଗଦେବା ମାତ୍ରେ ସ୍କୁଲକୁ ସଫାସୁତରା ରଖିବା ପାଇଁ ପିଲାଙ୍କ ଦ୍ୱାରା ସଫେଇ ଅଭିଯାନ ଚଳାଇଥିଲେ। ହେଲେ କିଛି ଅଭିଭାବକ ଏଥିରେ ରାଗିଯାଇ ପରଦିନ ସ୍କୁଲକୁ ଆସି ପାଟିତୁଣ୍ଡ କରିଥିଲେ।

ଘଟଣାର କିଛି ଦିନ ମଧ୍ୟରେ ୧୦ରୁ ୯ ଜଣ ଛାତ୍ରଛାତ୍ରୀ ଅନ୍ୟ ସ୍କୁଲକୁ ସ୍ଥାନାନ୍ତର ହୋଇଯାଇଥିଲେ। ଶିକ୍ଷକ ଅଭିଭାବକମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଥିଲେ। ଶେଷରେ ଏକମାତ୍ର ଛାତ୍ର ମଧ୍ୟ ସ୍କୁଲ ଆସିବା ବନ୍ଦ କରିଦେଇଥିଲା। ଫଳରେ ଏ ସବୁ ସହି ନ ପାରି ଶିକ୍ଷକ ଆତ୍ମହତ୍ୟା କରିଥିବା ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.