କୋଟିପତି ସ୍ୱାମୀ ଥାଇ ଅଟୋବାଲା ପ୍ରେମିକ ସହ ଫେରାର ହୋଇଗଲା ସ୍ତ୍ରୀ, ସାଙ୍ଗରେ ନେଇଥିବା ୪୭ ଲକ୍ଷ ଟଙ୍କା ମନଇଚ୍ଛା ବର୍ବାଦ କରି ପୁଣି ଫେରି ଆସିଲା

ମଧ୍ୟ ପ୍ରଦେଶ ଇନ୍ଦୋରର ଖଜରାନା ଥାନା ଅଞ୍ଚଳରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଏଠାରେ ନିଜ ସ୍ୱାମୀଙ୍କ ସହିତ ରହୁଥିବା ୪୫ ବର୍ଷୀୟା ଜଣେ ମହିଳା ଘରୁ ୪୭ ଲକ୍ଷ ଟଙ୍କା ନେଇ ପ୍ରେମିକ ସହ ଫେରାର ହୋଇ ଯାଇଥିଲେ। ଆଉ ଏବେ ସେ ଘରକୁ ଫେରି ଆସିଛନ୍ତି। ମହିଳା ଜଣକ ଖଜରାନା ଥାନାରେ ପହଞ୍ଚି ନିଜର ବୟାନ ରେକର୍ଡ କରିଛନ୍ତି। ମହିଳାଙ୍କ କହିବା ହେଉଛି, ସେ ଏବେ ନିଜ ସ୍ୱାମୀଙ୍କ ସହିତ ରହିବାକୁ ଚାହୁଁଛନ୍ତି। ସେପଟେ ମହିଳାଙ୍କ ସ୍ୱାମୀ ମଧ୍ୟ ତାଙ୍କୁ ରଖିବାକୁ ଚାହୁଁଛନ୍ତି। ପୋଲିସ ଏହି ମାମଲାରେ ୩୪ ଲକ୍ଷ ଟଙ୍କା ଜବତ କରିଥିବା ବେଳେ ମହିଳାଙ୍କ ପ୍ରେମିକ ସମ୍ପୃକ୍ତ ଅଟୋ ଡ୍ରାଇଭର ଫେରାର ଅଛନ୍ତି।

ଖଜରାନା ଥାନା ସିଏସ୍‌ପି ଜୟନ୍ତ ରାଠୌଡ୍‌ କହିଛନ୍ତି, ୧୩ ଅକ୍ଟୋବରରେ ଖଜରାନା ଅଞ୍ଚଳର ଜଣେ ସମ୍ପତ୍ତି ଦଲାଲଙ୍କ ସ୍ତ୍ରୀ ନିଜଠାରୁ ୧୩ ବର୍ଷ ସାନ ବୟସର ଜଣେ ଅଟୋ ଡ୍ରାଇଭରଙ୍କ ସହ ଫେରାର ହୋଇ ଯାଇଥିଲେ। ଯିବା ବେଳେ ସେ ଘରୁ ୪୭ ଲକ୍ଷ ଟଙ୍କା ନେଇ ଯାଇଥିଲେ। ମହିଳାଙ୍କ ସ୍ୱାମୀ ଜଣେ କୋଟିପତି ବୋଲି କୁହାଯାଉଛି। ପୋଲିସ ସୂଚନା ମୁତାବକ, ଅଭିଯୁକ୍ତ ୩୪ ଲକ୍ଷ ଟଙ୍କା ତାଙ୍କର ଦୁଇଜଣ ସାଙ୍ଗଙ୍କୁ ଦେଇଥିଲେ। ପୋଲିସ ଏହି ଟଙ୍କାଗୁଡ଼ିକୁ ଅଟୋ ଡ୍ରାଇଭରଙ୍କ ସାଙ୍ଗ ରିତେଶ ଠାକୁର ଓ ଫୁରକାନଙ୍କଠାରୁ ଜବତ କରି ନେଇଛି। ତେବେ ମହିଳା ଓ ଅଟୋ ଡ୍ରାଇଭରଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ଜାଗାରେ ଖୋଜାଖୋଜି କରିଥିଲା। କିନ୍ତୁ ଦୁଇଜଣ ଯାକ ହିଁ ପୋଲିସ ହାତରେ ଧରା ପଡ଼ି ନ ଥିଲେ। ସୋମବାର ବିଳମ୍ବିତ ରାତିରେ ମହିଳା ନିଜେ ଆସି ଥାନାରେ ପହଞ୍ଚିଥିଲେ।

ଥାନାରେ ପୋଲିସ ଯେତେବେଳେ ତାଙ୍କୁ ଘଣ୍ଟା ଘଣ୍ଟା ଧରି ପଚରାଉଚରା କରିଥିଲା, ସେହି ସମୟରେ ମହିଳା କହିଥିଲେ କି, ସେ ଘରୁ ଟଙ୍କା ଧରି ବାହାରିଥିଲେ ଏବଂ ଏକ ଟ୍ୟାକ୍ସିକୁ ଡକାଇଥିଲେ। ଟ୍ୟାକ୍ସିରେ ବସି ସେ ଓ ତାଙ୍କ ପ୍ରେମିକ ପ୍ରଥମେ ପିଥମ୍‌ପୁର ଯାଇଥିଲେ। ଏହାପରେ ସେମାନେ ଜାଓ୍ଵରା, ଶିର୍ଡି, ଲୋନାଓ୍ଵଲା, ଖଣ୍ଡାଲା, ନାସିକ, ବଡ଼ୋଦରା ଓ ସୁରତର କେତେକ ଅଞ୍ଚଳରେ ବୁଲିଥିଲେ। ସେମାନଙ୍କ ପାଖରେ ଯେତେବେଳେ ପଇସା ସରି ଯାଇଥିଲା, ତ ପାଖାପାଖି ୧ ମାସ ପରେ ପୁଣି ଇନ୍ଦୋର ଫେରି ଆସିବାକୁ ସେମାନେ ନିଷ୍ପତ୍ତି ନେଇଥିଲେ।

ମହିଳା କହିବା ହେଲା, ତାଙ୍କ ପ୍ରେମିକ ତାଙ୍କଠାରୁ ୧୩ ବର୍ଷ ସାନ। ଏହା ସତ୍ତ୍ୱେ ସେ ପ୍ରେମରେ ପଡ଼ି ଜଣେ ଅଟୋ ଡ୍ରାଇଭର ସହ ଫେରାର ହୋଇ ଯାଇଥିଲେ। ମହିଳା ଜଣକ ପୋଲିସକୁ କହିଥିଲେ ଯେ ସ୍ୱାମୀ ତାଙ୍କୁ ହଇରାଣ କରୁଥିଲେ। ଏଥିପାଇଁ ସେ ଘରୁ ଚାଲି ଯାଇଥିଲେ। କିନ୍ତୁ ଏବେ ସ୍ୱାମୀଙ୍କ ସହ ରହିବାକୁ ଚାହୁଁଛନ୍ତି ଏବଂ ସ୍ୱାମୀ ମଧ୍ୟ ନିଜ ସ୍ତ୍ରୀକୁ ରଖିବାକୁ ଚାହୁଁଛନ୍ତି। ପୋଲିସ କହିଛି ଯେ ମହିଳା ଏକ ଭଲ ପରିବାରର। ସେ ନିଜ ସହିତ ଯେଉଁ ଗହଣା ସବୁ ନେଇ ଯାଇଥିଲେ, ସେଗୁଡ଼ିକୁ ଫେରାଇ ଆଣିଛନ୍ତି। କିନ୍ତୁ ଯେଉଁ ଟଙ୍କା ନେଇ ଯାଇଥିଲେ, ସେଗୁଡ଼ିକୁ ଉଭୟ ମିଶି ଖର୍ଚ୍ଚ କରି ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.