Below header

ପ୍ରତିଦିନ ଭୋକିଲା ଲୋକଙ୍କ ଭୋକ ମେଣ୍ଟାଇଥାନ୍ତି ଥାନ୍ତି ହାଇଦରାବାଦର ଯୁବକ

ପେଟ ପାଇଁ ନାଟ । ପ୍ରକୃତରେ କହିବାକୁ ଗଲେ ଏହି ପେଟ ଚାଖଣ୍ଡକ ପାଇଁ ତ ସବୁ ନାଟ ଚାଲିଛି । ବାସ୍ତବରେ ଖାଦ୍ୟର ନିଜସ୍ୱ କିଛି ଜାତି, ଧର୍ମ, ବର୍ଣ୍ଣ ନଥାଏ । ଶରୀରକୁ ପୋଷଣ ଯୋଗାଇବା ପାଇଁ ହିଁ ଖାଦ୍ୟ ଖିଆଯାଇଥାଏ । ଯଦି ନିଜର ପେଟର ଭୋକକୁ ମେଣ୍ଟାଇ ଆମେ ଯଦି ଆଉ କାହାର ପେଟ କଥା ଚିନ୍ତା କରୁ ତେବେ ତାଠାରୁ ବଳି ପୁର୍ଣ୍ୟ ଆଉ କିଛି ନାହିଁ । ଏହା ଠାରୁ ବଳି ସେବା ମଧ୍ୟ ଆଉ କିଛି ନାହିଁ । ହାଇଦରାବାଦ ସ୍ଥିତ ଅଜହର ମକୁସି ନାମୀ ଜଣେ ସାମାଜିକ କର୍ମୀ ଏହି ବାଣୀ ଟିକୁ ଯେମିତି ନିଜ ଜୀବନର ଏକ ଅଂଶ ଭାବେ ମାନିବା ସହ ଏହାକୁ ସତ୍ୟରେ ପରିଣତ କରିଛନ୍ତି । ନିଜ ଛୋଟବେଳେ ପରିବାର ଲୋକଙ୍କ ସହ କେତେ ରାତି ଭୋକରେ କାଟିବାକୁ ତାଙ୍କୁ ପଡିଥିଲା  ।

ତେଣୁ କରି ହୁଏତ ଭୋକିଲା ପେଟର କଷ୍ଟକୁ ମର୍ମେ ମର୍ମେ ବୁଝିପାରିଥିଲେ । ବଡ ହେଇ ଭୋକିଲା ପେଟର ଯନ୍ତ୍ରଣା ମେଣ୍ଟାଇବାକୁ ନିଜ ଜୀବନର ପ୍ରଧାନ ଲକ୍ଷ କରିବେ ବୋଲି ସ୍ଥିର କରିଥିଲେ । ସେ ପ୍ରତିଦିନ ଶହ ଶହ ଗରିବ ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇଥାନ୍ତି । ପ୍ରଥମେ ପ୍ରଥମେ ହାଇଦରାବାଦ ସହର ସ୍ଥିତ ଗାନ୍ଧୀ ଜେନେରାଲ ହସ୍ପିଟାଲ ଓ ଦାବିରପୁରା ଅଂଚଳରେ ହିଁ ସେ ପ୍ରତିଦିନ ଭୋକିଲା ମାନଙ୍କୁ ଖାଦ୍ୟ ଯୋଗାଉଥିଲେ । ଏଥିପାଇଁ ତାଙ୍କୁ ଦୈନିକ ୩୦୦ ରୁ ୪୦୦ ଲୋକଙ୍କ ପାଇଁ ଖାଦ୍ୟ ଯୋଗାଡ କରିବାକୁ ପଡିଥାଏ । ଅଜହରଙ୍କ କହିବା ଅନୁଯାୟୀ ସେ ପ୍ରାୟ ୭ ବର୍ଷ ଧରି ସେ ଏହି କାମ କରି ଆସୁଛନ୍ତି । ସେତେବେଳେ ତାଙ୍କ ଆର୍ଥିକ ଅବସ୍ଥା ଏତେଟା ଭଲ ନଥିଲେ ମଧ୍ୟ ସେ ଏହି କାମରୁ କେବେ ମଧ୍ୟ ପଛଘୁଞ୍ଚା ଦେଇନାହାନ୍ତି ।

ଏହି କାମ ଆରମ୍ଭର ୩ ବର୍ଷ ପରେ ତାଙ୍କୁ ଅନ୍ୟ କେତେକ ସହୃଦୟ ବ୍ୟକ୍ତି ମାନଙ୍କର ସହାୟତା ମିଳିଥିଲା । ସେବେଠାରୁ ସେ ଅଧିକ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ । ଏହା ସହ ନିଜ ଆୟତନକୁ ମଧ୍ୟ ବିସ୍ତାର କରିଥିଲେ । ବାଙ୍ଗାଲୋର ,ରାଇଚୁର, ତନ୍ଦୁର, ଝାରଖଣ୍ଡ ଓ ଆସାମ ରାଜ୍ୟର କେତେକ ସ୍ଥାନରେ ମଧ୍ୟ ଅଜହରଙ୍କ ଏହି ଅଭିଯାନକୁ ଆରମ୍ଭ କରାଯାଇଥିଲା । ବର୍ତମାନ ସମୟରେ ପ୍ରତିଦିନ ପ୍ରାୟ ୧୦୦୦ ରୁ ୧୨୦୦ ଲୋକଙ୍କ ଖାଦ୍ୟର ବ୍ୟବସ୍ଥା କରାଯାଉଛି । ଯେତେ ବେଳେ ଜଣେ ଦିନ ମଜୁରିଆଙ୍କୁ ଏ ସମ୍ପର୍କରେ ପଚରା ଯାଇଥିଲା ସେ କହିଥିଲେ ଗୋଟେ ଦିନ ତାଙ୍କୁ କୌଣସି କାମ ମଧ୍ୟ ମିଳିନଥିଲା । ନିଜ ପେଟର ଭୋକକୁ ମେଣ୍ଟାଇବା ପାଇଁ ସେ ଅଜହରଙ୍କ ପାଖକୁ ଆସିବାରୁ ସେ ଖାଦ୍ୟ ପାଇ ପାରିଥିଲେ ।

ଏହାସହ ପଢନ୍ତୁ: ମୋବାଇଲ୍‌ ଆପ୍‌ରୁ ଠାବ ହେଲା ୫ ବର୍ଷ ତଳେ ହଜିଥିବା ଝିଅ

ଅଜହରଙ୍କୁ ଯେତେବେଳେ ନିଜ ଅନୁଭୂତି ସମ୍ପର୍କରେ ପଚରା ଯାଇଥିଲା ସେ କହିଥିଲେ ଯେ ନିଜ ଛୋଟବେଳେ ନିକଟରେ ରହୁଥିବା ଜଣେ ମହିଳାଙ୍କୁ ନିଜ ଭୋକ ମେଣ୍ଟାଇବାକୁ ସଂଘର୍ଷ କରୁଥିବାର ଦେଖିଥିଲେ । ସେହି ଦିନରୁ ସେ ଏକ ପ୍ରକାର ନିଷ୍ପତି ନେଇଥିଲେ କି ଯେମିତି ବି ହେଉ ସେ ଭୋକିଲା ମାନଙ୍କ ଭୋକ ମେଣ୍ଟାଇବେ । ଏହି ଘଟଣା ହିଁ ତାଙ୍କୁ ଏପରି ଏକ କାମ କରିବା ପାଇଁ ପ୍ରଥମେ ପ୍ରେରଣା ଯୋଗାଇଥିଲା । ସେ ଏହା ମଧ୍ୟ କହିଥିଲେ କି ଖାଦ୍ୟର ସେପରି କୌଣସି ଜାତି ଧର୍ମ ନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.