ବିଜେପି ସମର୍ଥକଙ୍କ ବୃଦ୍ଧା ମା’ଙ୍କୁ ଅତି ନିର୍ଦ୍ଦୟ ଭାବେ ପିଟିଲେ ଟିଏମ୍‌ସି କର୍ମୀ, ଫଟୋ ଦେଖିଲେ ଥରି ଉଠିବ ଛାତି

ପଶ୍ଚିମବଙ୍ଗରେ ଚଳିତବର୍ଷ ନିର୍ବାଚନ ହେବ। ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗର କେତେକ ଅଞ୍ଚଳରେ ଲଗାତାର ହିଂସା ହେଉଥିବା ଖବର ସାମ୍ନାକୁ ଆସିଛି। ଏବେ ପଶ୍ଚିମବଙ୍ଗର ନର୍ଥ ୨୪ ପ୍ରଗଣା ଜିଲ୍ଲାରେ ଟିଏମ୍‌ସି କର୍ମକର୍ତ୍ତାମାନେ ଭାରତୀୟ ଜନତା ପାର୍ଟିର ନେତା ଗୋପାଳ ମଜୁମଦାର ଓ ତାଙ୍କ ବୃଦ୍ଧା ମା’ଙ୍କୁ ଅତି ଅମାନୁଷିକ ଭାବେ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ଏହି ମାମଲା ୨୭ ଫେବ୍ରୁଆରୀର। ଏନେଇ ମାମଲା ବି ରୁଜୁ ହୋଇଛି। ତେବେ ଟିଏମ୍‌ସି ତରଫରୁ ବିଜେପିର ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କୁହାଯାଇଛି, ଯାହାକୁ ନେଇ ରାଜନୀତି ଜୋର୍‌ ଧରିଛି।

ପଶ୍ଚିମବଙ୍ଗର ଏହି ଘଟଣା ପରେ ପୋଷ୍ଟର ମାଧ୍ୟମରେ ଭାରତୀୟ ଜନତା ପାର୍ଟି ଟିଏମ୍‌ସି ଉପରେ ଆକ୍ରମଣାତ୍ମକ ହୋଇପଡ଼ିଛି। ବିଜେପି ତରଫରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଗୋପାଳ ମଜୁମ୍‌ଦାରଙ୍କ ମା’ଙ୍କ ମାଡ଼ ମରାଯାଇଥିବା ଫଟୋ ଲଗାଇ ଟିଏମ୍‌ସିକୁ ପ୍ରଶ୍ନ କରିଛନ୍ତି ଯେ କ’ଣ ଇଏ ପଶ୍ଚିମବଙ୍ଗର ଝିଅ ନୁହେଁ? ଏହା ବ୍ୟତୀତ ବିଜେପି ସୋସିଆଲ ମିଡିଆ ମାଧ୍ୟମରେ ମଧ୍ୟ ଟିଏମ୍‌ସିକୁ ଟାର୍ଗେଟ୍‌ କରିଛି।

ମହିଳାଙ୍କ କ୍ଷତାକ୍ତ ଫଟୋ ସେୟାର କରି ବିଜେପି ତରଫରୁ ଲେଖାଯାଇଛି, ‘ବଙ୍ଗଳାର ଜନତା ବଙ୍ଗଳାର ଝିଅଙ୍କ ସହ ହୋଇଥିବା ମାରପିଟ୍‌କୁ କ୍ଷମା କରିବ ନାହିଁ’।

ତେବେ ଏହି ମାମଲାରେ ପୋଲିସ ତଦନ୍ତ ଚଳାଇଥିବା କହିଛି। କେଉଁ କାରଣରୁ ମହିଳାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହେଲା ଓ କିଏ ଏହି ଘଟଣା ଭିଆଇଲା, ସେ ନେଇ ତଦନ୍ତ ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ଦୋଷୀକୁ ଧରାଯିବ ଓ ଦଣ୍ଡ ଦିଆଯିବ ବୋଲି ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.