ମଙ୍କିପକ୍ସରୁ ରକ୍ଷା ପାଇବା ପାଇଁ ସୁରକ୍ଷିତ ଯୌନ ସମ୍ବନ୍ଧ ଜରୁରୀ! ଟିକାକରଣକୁ ନେଇ ଏମିତି ଚେତାବନୀ ଜାରି କଲା WHO

ବିଶ୍ୱର ଅନେକ ଦେଶରେ ମଙ୍କିପକ୍ସ ମାମଲା ସାମ୍ନାକୁ ଆସିବା ପରେ ତତ୍ପର ହୋଇଉଠିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO)। WHO ନିକଟରେ ନୂଆ ଚେତାବନୀ ଜାରି କରି କହିଛି ଯେ ମଙ୍କିପକ୍ସର ବିସ୍ତାରକୁ ରୋକିବା ପାଇଁ କରୋନା ଭଳି ଟିକାକରଣ ଅଭିଯାନର ଆବଶ୍ୟକତା ନାହିଁ, ବରଂ ସୁରକ୍ଷିତ ଯୌନ ସମ୍ବନ୍ଧ ରଖିବା ଏବଂ ସଫାସୁତରା ଉପରେ ଧ୍ୟାନ ଦେବା ଦ୍ୱାରା ହିଁ ମଙ୍କିପକ୍ସ ଉପରେ ଲଗାମ୍‌ ରଖାଯାଇ ପାରିବ। WHO କହିଛି ଯେ ମଙ୍କିପକ୍ସରୁ ରକ୍ଷା ପାଇଁ ତତ୍କାଳ ଟିକା ଯୋଗାଣ ଏବଂ ଆଣ୍ଟି ଭାଇରାଲ ଟ୍ରିଟ୍‌ମେଣ୍ଟର କୌଣସି ଆବଶ୍ୟକ ନାହିଁ। କହି ରଖୁଛୁ, ୧୯୫୮ରେ ଆଫ୍ରିକାରେ ପ୍ରଥମେ ମଙ୍କିପକ୍ସର ମାମଲା ସାମ୍ନାକୁ ଆସିଥିଲା ଏବଂ ପରେ ଏହି ରୋଗକୁ ଏଣ୍ଡାମିକ୍‌ ଘୋଷିତ କରି ଦିଆଯାଇଥିଲା।

ସୂଚନାଥାଉ କି, ଆମେରିକାରେ ମେ’ ୧୮ରେ ମଙ୍କିପକ୍ସର ପ୍ରଥମ ମାମଲା ମିଳିଥିଲା। ପୀଡ଼ିତ ବ୍ୟକ୍ତି ମୈସାଚୁସେଟ୍ସର ବାସିନ୍ଦା ହୋଇଥିବା ବେଳେ ନିକଟରେ ସେ କାନାଡା ଯାତ୍ରା କରିଥିଲେ। ତେବେ ଆମେରିକାରେ ମଙ୍କିପକ୍ସକୁ ରୋକିବା ପାଇଁ ୧୮ରୁ ଅଧିକ ବୟସର ଲୋକଙ୍କୁ ଟିକା ଦିଆଯାଉଛି। ଏଥି ସହିତ ଦୁର୍ବଳ ଇମ୍ୟୁନ ସିଷ୍ଟମ୍‌ ଏବଂ ଏଚ୍‌ଆଇଭିରେ ସଂକ୍ରମିତ ଲୋକଙ୍କୁ ମଧ୍ୟ ଟିକା ଦିଆଯାଉଛି।  ଆମେରିକା ଏବଂ ୟୁରୋପରେ ଅନେକ ସଂଖ୍ୟାରେ ମଙ୍କିପକ୍ସ ମାମଲା ସାମ୍ନାକୁ ଆସୁଛି। ଖାସ୍‌ କଥା ହେଉଛି ଯେ ଏମାନଙ୍କ ମଧ୍ୟରୁ କେହି ବି ଆଫ୍ରିକା ଯାତ୍ରା କରି ନାହାନ୍ତି। WHO କହିଛି କି, ଏ ପର୍ଯ୍ୟନ୍ତ ଭାଇରସ୍‌ ବ୍ୟାପିବାର ପ୍ରକୃତ କାରଣ ବିଷୟରେ ଜଣାପଡ଼ି ନାହିଁ। କିନ୍ତୁ ଆଶ୍ୱସ୍ତିକର କଥା ହେଉଛି, ବର୍ତ୍ତମାନ ଭାଇରସ୍‌ ଦ୍ରୁତ ଗତିରେ ମାଡ଼ିବାର କୌଣସି ପ୍ରମାଣ ମିଳିନାହିଁ।

monkey2
photo: fiercepharma

ୟୁରୋପରେ WHO ପ୍ୟାଥୋଗେନ୍‌ ଥ୍ରେଟ୍‌ ଟିମ୍‌ର ସଦସ୍ୟ ରିଚାର୍ଡ ପେବୋଜି କହିଛନ୍ତି ଯେ ଭାଇରସ୍‌ରୁ ରକ୍ଷା ପାଇବା ପାଇଁ କନ୍‌ଟାକ୍ଟ ଟ୍ରେସିଙ୍ଗ୍‌ ଏବଂ ଆଇସୋଲେସନ ଜରୁରୀ। ଏଥି ସହିତ ମଙ୍କିପକ୍ସ ଭ୍ୟାକ୍ସିନର ପାର୍ଶ୍ୱ ପ୍ରତିକ୍ରିୟା ପୂର୍ବରୁ ହଁ ସାମ୍ନାକୁ ଆସି ସାରିଛି। ପେବୋଜି କହିଛନ୍ତି, ଏହି ଭାଇରସ୍‌ ସମସ୍ତଙ୍କୁ ନୁହେଁ, କିନ୍ତୁ ଅଧିକାଂଶ ମାମଲାରେ ପୁରୁଷ, ପୁରୁଷଙ୍କ ସହିତ ସମ୍ବନ୍ଧ ରଖିବା ଦ୍ୱାରା ରୋଗ ବ୍ୟାପିଥାଏ। ଏହାପରେ ସଙ୍ଗଠନ କହିଛି ଯେ ରୋଗର ବିସ୍ତାରକୁ କମ୍‌ କରିବା ପାଇଁ ଲଗାତାର ସେକ୍ସୁଆଲ ସ୍କ୍ରିନିଙ୍ଗ୍‌ ଏବଂ ମେଡିକାଲ ପରାମର୍ଶ ନେବାର ଆବଶ୍ୟକତା ରହିଛି। ମଙ୍କିପକ୍ସ ଏକ ଦୁର୍ଲ୍ଲଭ ରୋଗ, ଯାହା କି ସାଧାରଣ ଫ୍ଲୁ ଭଳି ହୋଇଥାଏ। ଏହା ମୁହଁ ଏବଂ ଶରୀରରେ ବଡ଼ ବଡ଼ ଫୋଟକା ଭଳି ବାହାରିଥାଏ। ଅଧିକାଂଶ ମାମଲାରେ ସଂକ୍ରମଣ ୨ ରୁ ୪ ସପ୍ତାହ ପର୍ଯ୍ୟନ୍ତ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.