ବନ୍ୟା ଯୋଗୁ ପାକ୍‌ରେ ମିଳୁନି ପରିବା: ଟମାଟୋ କିଲୋ ୫୦୦, ପିଆଜ ହେଲା ୪୦୦

କରାଚି: ଏବେ ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ଯା ପରିସ୍ଥିତି ଦେଖାଦେଇଛି। ଫଳରେ ବେଲୁଚିସ୍ତାନ, ସିନ୍ଧ ଏବଂ ଦକ୍ଷିଣ ପଞ୍ଜାବରୁ ପନିପରିବା ଯୋଗାଣ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏଣୁ ଆଗାମୀ ଦିନରେ ଖାଦ୍ୟ ସାମଗ୍ରୀର ମୂଲ୍ଯ ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଆଗାମୀ ଦିନରେ ପିଆଜ ଏବଂ ଟମାଟୋର ମୂଲ୍ଯ କିଲୋ ପ୍ରତି ୭୦୦ ହୋଇପାରେ। ସେହିଭଳି ଆଳୁର ମୂଲ୍ଯ କିଲୋ ପ୍ରତି ୪୦ ରୁ ୧୨୦କୁ ବୃଦ୍ଧି ପାଇଛି।

ପାକିସ୍ତାନର ଲାହୋର ଏବଂ ପଞ୍ଜାବ ସମେତ କେତେକ ପ୍ରଦେଶରେ ବନ୍ଯା ପରିସ୍ଥିତି ଏପରି ଭୟଙ୍କର ରୂପ ନେଇଛି ଯେ ଲୋକମାନେ ଖାଦ୍ୟ ପାଇଁ ହାହାକାର ହେଲେଣି। ବନ୍ଯା ଯୋଗୁଁ ବିଭିନ୍ନ ପନିପରିବା ଏବଂ ଫଳର ମୂଲ୍ଯରେ ଢେର ବୃଦ୍ଧି ପାଇଛି। ଏହି ସମୟରେ ପାକିସ୍ତାନ ସରକାର ଭାରତରୁ ଟମାଟୋ ଏବଂ ପିଆଜ ଆମଦାନୀ କରିବେ ବୋଲି ସୂଚନା ମିଳିଛି।

ରବିବାର ଲାହୋର ବଜାରରେ ଟମାଟୋ ଏବଂ ପିଆଜର ମୂଲ୍ଯ ଯଥାକ୍ରମେ ୫୦୦ ଏବଂ ୪୦୦ଟଙ୍କା ରହିଛି। ଏହି ସମୟରେ ଓ୍ୱାଘା ସୀମା ଦେଇ ଭାରତରୁ ପିଆଜ ଏବଂ ଟମାଟୋ ଆମଦାନୀ କରିବାର ବିକଳ୍ପ ଉପରେ ପାକିସ୍ତାନ ସରକାର ବିଚାର କରୁଛନ୍ତି। ବର୍ତ୍ତମାନ ଆଫଗାନିସ୍ତାନରୁ ଲାହୋରର ଟୋର୍କାମ ସୀମା ଏବଂ ପଞ୍ଜାବର ଅନ୍ଯ ସହରକୁ ଟମାଟୋ ଏବଂ ପିଆଜ ଯୋଗାଯାଉଛି। ଲାହୋର ମାର୍କେଟ କମିଟିର ସଚିବ ଶାହଜାଦ ଖେମା କହିଛନ୍ତି ଯେ ବନ୍ଯା ଯୋଗୁଁ ବଜାରରେ କ୍ଯାପସିକମ୍ ପରି ପନିପରିବାର ଅଭାବ ମଧ୍ୟ ଦେଖାଦେଇଛି। ଇରାନ ସରକାର ଆମଦାନୀ ଏବଂ ରପ୍ତାନି ଉପରେ ଟିକସ ବଢ଼ାଇଥିବାରୁ ଇରାନରୁ ପନିପରିବା ଆମଦାନୀ କରିବା ସହଜ ହେଉନାହିଁ। ଏଣୁ ଏବେ ପାକ୍ ସରକାର କଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Also Read: ଆମେରିକାରେ ଲୋକଙ୍କ ଉପରକୁ ଅନ୍ଧାଧୁନ ଗୁଳିମାଡ଼ କଲା ଦୁର୍ବୃତ୍ତ, ଘଟଣାସ୍ଥଳରେ ଗଲା ୬ ଜୀବନ