ଆମେରିକାର ବୁଦ୍ଧିଜୀବୀ ଚାମ୍‌ସ୍କୀ ଦେଲେ ଟ୍ରମ୍ପ୍‌ଙ୍କ ଦୋଷ : କହିଲେ ଟ୍ରମ୍ପ୍‌ କେବଳ ଆମେରିକା ନୁହେଁ ସାରା ଦୁନିଆର ହଜାର ହଜାର ଲୋକଙ୍କ ମୃତ୍ୟୁ ପାଇଁ ଦାୟୀ

ଓ୍ଵାଶିଂଟନ୍‌ : ଆମେରିକାରେ ହଜାର ହଜାର ସଂଖ୍ୟାରେ କରୋନା ମୃତ୍ୟୁ ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦାୟୀ ବୋଲି ଦୁନିଆର ଜଣାଶୁଣା ସମାଜଶାସ୍ତ୍ରୀ ଓ ବୁଦ୍ଧିଜୀବୀ ନୋମ୍‌ ଚାମ୍‌ସ୍କୀ ପ୍ରକାଶ କରିଛନ୍ତି ।

ଟ୍ରମ୍ପ୍‌ ନିଜର ନିର୍ବାଚନ ଫାଇଦା ଓ ବ୍ୟବସାୟୀଙ୍କ ପକେଟ୍‌ ଭରିବା ପାଇଁ ଆମେରିକୀୟଙ୍କ ଜୀବନକ୍‌ୁ ବାଜି ଲଗାଇଛନ୍ତି । ବ୍ରିଟିଶ ଖବରକାଗଜ ‘ଦି ଗାର୍ଡିଅନ୍‌’କୁ ଦେଇଥିବା ଏକ ସାକ୍ଷାତକାରରେ ଚାମ୍‌ସ୍କୀ ଏକଥା କହିଛନ୍ତି ।

chamski

ଦଶନ୍ଧିର ସବୁଠୁ ବଡ଼ ସ୍ୱାସ୍ଥ୍ୟ ସଙ୍କଟ ବେଳେ ଆମେରିକାର ରାଷ୍ଟ୍ରପତି ଦେଶର ରକ୍ଷକ ସାଜୁଥିବା ନାଟକ କରି ଦେଶର ସାଧାରଣ ଲୋକଙ୍କ ପିଠିରେ ଛୁରି ଭୁସିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦିତୀୟ ଥର ରାଷ୍ଟ୍ରପତି ହେବା ସ୍ୱପ୍ନରେ ବ୍ୟବସାୟୀଙ୍କ ଫାଇଦା ପାଇଁ ଟ୍ରମ୍ପ୍‌ ସ୍ୱାସ୍ଥ୍ୟ ସମ୍ପର୍କିତ ରିସର୍ଚ୍ଚ ଫଣ୍ଡକୁ ମଧ୍ୟ ହ୍ରାସ କରିଛନ୍ତି ।

ଟ୍ରମ୍ପ୍‌ ତାଙ୍କ କାର୍ଯ୍ୟକାଳର ପ୍ରତି ବର୍ଷ ସରକାରୀ ଫଣ୍ଡ୍‌କୁ ହ୍ରାସ କରି ଚାଲିଛନ୍ତି । ଯାହା ଫଳରେ ସାଧାରଣ ଲୋକଙ୍କ ଜୀବନକୁ ଅସୁବିଧାରେ ପକାଇ ବଡ଼ ଲୋକ ଓ ବ୍ୟବସାୟୀମାନଙ୍କ କାରବାର ବଢ଼ାଇ ପାରିବେ ।

ରାଷ୍ଟ୍ରପତି ରାଜ୍ୟର ଗଭର୍ନରଙ୍କ ଉପରେ ଦାୟୀତ୍ୱ ଛାଡ଼ି ନିଜେ କର୍ତ୍ତବ୍ୟରୁ ଓହରି ଯାଇଛନ୍ତି । ହଜାର ହଜାର ଲୋକଙ୍କୁ ମୃତ୍ୟୁ ମୁଖକୁ ଠେଲି ନିଜର ନିର୍ବାଚନ ଫାଇଦା ପାଇବା ପାଇଁ ଟ୍ରମ୍ପ୍‌ଙ୍କ ଏହି ରଣନୀତି ବୋଲି ଚାମ୍‌ସ୍କୀ କହିଛନ୍ତି ।

ଆମେରିକା ଲୋକଙ୍କ ପାଖରେ ନିଜର ଅପରାଧ ଲୁଚାଇବା ପାଇଁ ଟ୍ରମ୍ପ୍‌ କାହାକୁ ନା କାହାକୁ ବଲି କା ବକ୍‌ରା ବନେଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଫଣ୍ଡିଂ ବନ୍ଦ କରିବା ଯୋଗୁ ଆଫ୍ରିକୀୟ ମହାଦେଶ ଲୋକଙ୍କର ଜୀବନ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ ।

ଏହାଦ୍ୱାରା ଆଫ୍ରିକୀୟ ମହାଦେଶର ବହୁ ଲୋକ ମଧ୍ୟ ମୃତ୍ୟୁ ମୁଖରେ ପଡ଼ିବେ । ୟୁରୋପୀୟ ସଂଘ ଠିକ ଭାବରେ ତା’ର ଦାୟୀତ୍ୱ ତୁଲାଇ ନଥିବା ନେଇ ମଧ୍ୟ ଚାମ୍‌ସ୍କୀ ୟୁରୋପୀୟ ସଂଘକୁ ସମାଲୋଚନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.