ପାଟନାରେ ଭୋଟ୍‌ ଦେଲେ ମୁଣ୍ଡ ଯୋଡ଼ା ଯାଆଁଳା ଭଉଣୀ

ପାଟନା : ଚଳିତ ଲୋକସଭା ନିର୍ବାଚନର ଆଜି ଥିଲା ଅନ୍ତିମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣର ଦିନ । ଏହି ସାତଟି ପର୍ଯ୍ୟାୟରେ ତ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ହେଲେ ଆଜି ଯେଉଁ ଘଟଣା ଆମେ ଆପଣଙ୍କ ସାମନାକୁ ଆଣୁଛୁ ତା ହୁଏତ ନିଶ୍ଚିତ ଭାବେ ଆପଣଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ଲାଗିବ । ଆଜି ଗୋଟିଏ ଯାଆଁଳା ଭଉଣୀ ଯୋଡ଼ି ଭୋଟ୍‌ ଦେଇଛନ୍ତି । ଆପଣ କହି ପାରନ୍ତି ଇଏ ତ କିଛି ଆଚମ୍ବିତ କଥା ନୁହେଁ ? ଆଜ୍ଞା ହଁ ଏଥିରେ ଯେଉଁ ଆଚମ୍ବିତ କଥା ଅଛି ତାହା ହେଉଛି ଦୁଇ ଭଉଣୀଙ୍କ ମୁଣ୍ଡ ଯୋଡ଼ା ଅବସ୍ଥାରେ ଅଛି । ଠିକ୍‌ ଯେମିତି ଆମ ଓଡ଼ିଶା କନ୍ଧମାଳର ଜଗା ବଳିଆଙ୍କ ମୁଣ୍ଡ ଅପରେସନ୍‌ ପୂର୍ବରୁ ଯୋଡ଼ି ହୋଇ ରହିଥିଲା, ସେହିଭଳି ଏହି ଦୁଇ ଭଉଣୀଙ୍କର ମୁଣ୍ଡ ଯୋଡ଼ି ହୋଇ ରହିଛି । ସେମାନେ ଭୋଟ୍‌ ଦେବାକୁ ଆସିଥିଲେ ଏବଂ ଦୁଇଜଣଙ୍କ ମୁଣ୍ଡ ଯୋଡ଼ି ହୋଇଥିବା ସତ୍ତ୍ୱେ ଦୁହେଁ ଅଲଗା ଭୋଟର୍‌ ଭାବେ ଭୋଟ୍‌ ଦେଇଥିଲେ । ପୂର୍ବରୁ ସେମାନଙ୍କୁ ଜଣେ ବ୍ୟକ୍ତି ଭାବେ ଧରା ଯାଉଥିଲା ।

TWIN-1

ଏମାନେ ହେଉଛନ୍ତି ବିହାର ପାଟନାରେ ରହୁଥିବା ଦୁଇ ଭଉଣୀ ସବା ଓ ଫରହା । ଏମାନେ ଆଜି ଦୁଇଟି ଅଲଗା ଅଲଗା ଭୋଟର କାର୍ଡ଼ ସହ ମତଦାନ କେନ୍ଦ୍ରକୁ ଯାଇ ଇଭିଏମ୍‌ରେ ଭୋଟ୍‌ ଦେଇଥିଲେ । ଏମାନଙ୍କୁ ଏବେ ୨୨ ବର୍ଷ ବୟସ । ଗତ ନିର୍ବାଚନରେ ସେମାନେ ଗୋଟିଏ ଭୋଟ୍‌ ଦେଇଥିଲେ । କାରଣ ନିର୍ବାଚନ ଅଧିକାରୀ ସେମାନଙ୍କୁ ଜଣେ ବ୍ୟକ୍ତି ଭାବେ ଧରିଥିଲେ । ତେବେ ଏଥର ପାଟନା ଜିଲ୍ଲା ନିର୍ବାଚନ ଅଧିକାରୀ ସେମାନଙ୍କୁ ଦୁଇଜଣ ବ୍ୟକ୍ତି ଭାବେ ଭୋଟର୍‌ କାର୍ଡ଼ ଦେବା ପରେ ସେମାନେ ଦୁଇଜଣ ଭିନ୍ନ ବ୍ୟକ୍ତି ଭାବେ ଭୋଟ୍‌ ଦାନ କରିଛନ୍ତି ।

ଅପରେସନ୍‌ କରି ଦୁଇ ଭଉଣୀଙ୍କ ମୁଣ୍ଡ ଅଲଗା କରିବା ଲାଗି ବହୁତ ଉଦ୍ୟମ ହୋଇଛି । ହେଲେ ବିଶେଷଜ୍ଞ ଡାକ୍ତର ଏଥିଲାଗି ବାରଣ କରିଛନ୍ତି । କାରଣ ଅପରେସନ୍‌ ଅତି ଜଟୀଳ ଏବଂ ଏଥିରେ ସେମାନଙ୍କ ଜୀବନ ଚାଲି ଯିବାର ମଧ୍ୟ ଆଶଙ୍କା ରହିଛି । ଏହି ମାମଲା ସୁପ୍ରିମ୍‌ କୋର୍ଟରେ ମଧ୍ୟ ପହଞ୍ଚିଥିଲା । ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଅପରେସନ୍‌ ପାଇଁ ମନା କଲେ ।
ସୂଚନା ଥାଉକି, ସବା ଓ ଫରହାଙ୍କୁ ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ ନିଜ ଧର୍ମ ଭଉଣୀ କରିଛନ୍ତି । ସେମାନଙ୍କୁ ସାହାଯ୍ୟ ମଧ୍ୟ କରିଛନ୍ତି । ଦୁଇ ଭଉଣୀ ସଲମାନ୍‌ଙ୍କୁ ରାକ୍ଷୀ ବାନ୍ଧିଥିଲେ । ଏମିତିକି ୨୦୦୨ରେ ସଲମାନଙ୍କ ବିରୋଧରେ ଯେତେବେଳେ ଫୁଟ୍‌ପାଥ୍‌ ଉପରେ ଗାଡ଼ି ଚଢ଼ାଇ ଲୋକଙ୍କୁ ମାରି ଦେଇଥିବାର ମାମଲା ଚାଲିଥିଲା ଏବଂ ଦଣ୍ଡାଦେଶ ଆସିବାର ଥିଲା ସେତେବେଳେ ସବା ଓ ଫରହା ଖିଆପିଆ ଛାଡ଼ି ଦେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.